ଶାସକ ବିଜେଡି ପ୍ରଶାସନ ସହାୟତାରେ ଭୋଟରଙ୍କୁ ପ୍ରଭାବିତ କରୁଛି : ବିଜେପି
ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ପ୍ରଶାସନ ସହାୟତାରେ ଶାସକ ବିଜେଡି ଏହାକୁ ଉଲଘଂନ କରି ଭୋଟରଙ୍କୁ ପ୍ରଭାବିତ କରିଚାଲିଛିି । ରାଜ୍ୟରେ ଥିବା କଂଟ୍ରୋଲ ଡିଲରମାନେ ୪ଟି ଏଲିଡି ବଲବ ସହ ଆଇନା ପୁସ୍ତିକା ବଂଟନ କରୁଛନ୍ତି । ଏଥି ସହ ରାଜ୍ୟସରକାରଙ୍କ ହୋଡିଂ ତୁରନ୍ତ ହଟାଇବାକୁ ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।
ରାଜ୍ୟର ଅନେକ ସ୍ଥାନରେ ରାଜ୍ୟ ସରକାରଙ୍କ ଯୋଜନା ବିଭିନ୍ନ ହୋଡିଂ ଏବଂ ଇଲେକ୍ଟୋନିକ୍ସ ହୋଡିଂ ଏବେ ବି ଲାଗିଛି । ଏହି ବିଜ୍ଞାପନ ଏବଂ ହୋଡିଂ ଗୁଡିକ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ସହ ଧାରା ୧୭୧ (ଗ) ଅନୁଯାୟୀ ଆଇନତଃ ଅପରାଧ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ୩୫ ଏବଂ ୩୯ କୁ ଏହା ଉଲ୍ଲଘଂନ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଅନ୍ୟପଟେ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ରହିଥିବା ପୁସ୍ତିକା ଆଇନା ସରକାରୀ କଳ ଏବଂ ଅଙ୍ଗନବାଡୀ କର୍ମୀମାନଙ୍କ ଦ୍ୱାରା ଘରେ ଘରେ ବଂଟାଯାଉଛି । ଏହା ଉପରେ ଲଗାମ ଲଗାଇବା ସହ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିପରେକ୍ଷ କରିବାକୁ ଶ୍ରୀ ମହାନ୍ତି ନିର୍ବାଚନ କମିଶନଙ୍କ ଆଗରେ ଦାବି କରିଛନ୍ତି । ଏହାର ଏକ ନକଲ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଦିଆଯାଇଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଆଇନ ସେବା ପ୍ରକୋଷ୍ଠ ଆବାହକ ରବି ଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା, ସତ୍ୟବ୍ରତ ନାୟକ, ଅନିଲ କୁମାର ଶତପଥୀ, ବିଜୟ ସିଂହ, ଉମାକାନ୍ତ ପଟ୍ଟନାୟକ, ବିଶ୍ୱରଂଜନ ପଟ୍ଟନାୟକ, ସୂର୍ଯ୍ୟନାଥନ ଦାସ, ପ୍ରଜ୍ଞା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କରିଥିଲେ ।