ଚାଷୀମାନଙ୍କ ପାଇଁ ଏକ ଭଣ୍ଡାମି, ଠକାମି ଯୋଜନା କରିଛନ୍ତି ରାଜ୍ୟ ସରକାର:ବିଜେପି

Straight to the Point

ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଓଡିଶାର ସଂପୂର୍ଣ୍ଣରୂପେ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଏବଂ ଭାଗଚାଷୀ ମାନଙ୍କର ରାଜ୍ୟ ସରକାର ଉପରେ ଆକ୍ରୋଷ ରହିଛିି । ଦୀର୍ଘ ୧୯ ବର୍ଷ ଭିତରେ ଚାଷ ଜମିକୁ ପାଣି ଦେଇପାରିଲେ ନାହିଁ । ଧାନ କିଣାରେ ମିଲରମାନଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷିମାନେ ଧାନ ବିକିପାରିଲେ ନାହିଁ । ରାଜ୍ୟ ସରକାର ଯେଉଁଭଳି ଭାବେ ଚାଷ ଏବଂ ଚାଷୀମାନଙ୍କୁ ଅଣଦେଖା କରିଛନ୍ତି ଏବଂ ସେମାନଙ୍କ ରାଗର ଶିକାର ହେବା ଭୟରେ ସେମାନଙ୍କୁ ପ୍ରଲୋଭିତ କରାଇ ନିଜ ଦଳୀୟ ଲୋକଙ୍କୁ ସିଧା ସଳଖ ଭାବରେ ଟଙ୍କା ଦେବାର କାର୍ଯ୍ୟକ୍ରମ ହେଉଛି କାଳିଆ ଯୋଜନା । କ୍ୟାବିନେଟ୍ରେ ୪୫ ଲକ୍ଷ ଲୋକଙ୍କୁ କାଳିଆ ଯୋଜନାରେ ଅର୍ଥ ଦେବେ ବୋଲି କହିଲେ । ଏବେ ବଡ ବଡ ହୋଡିଂ ଲାଗାଇ କହୁଛନ୍ତି ୫୦ ଲକ୍ଷ କ୍ଷୁଦ୍ରଚାଷୀମାନଙ୍କୁ ସହାୟତା ଦେଇଛନ୍ତି । କେତେ ଜଣକୁ ବାସ୍ତବରେ ଟଙ୍କା ଦିଆଯାଇଛି ତାହାର କିଛି ସ୍ପଷ୍ଟତା ନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।

କାଳିଆ ଯୋଜନାର ହିତାଧିକାରି ତାଲିକାକୁ ପ୍ରଥମେ ୱେବସାଇଟ୍ ଛାଡିଲେ । ଯେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଲା ନେତା ଓ ମନ୍ତ୍ରୀଙ୍କ ଭାଇ, ତାଙ୍କ ପତ୍ନୀମାନେ ଟଙ୍କା ନେଇଛନ୍ତି ସେଥିପାଇଁ ସେହି ତାଲିକାକୁ ୱେବସାଇଟରୁ ଉଠାଇଦେଲେ । ପୁଣି ତାଲିକାରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ଥର ଟଙ୍କା ପାଇଥିବା ଉଲ୍ଲେଖ୍ୟ ରହିଛି । ଏବେ କହୁଛନ୍ତି ତୃତୀୟ ପର୍ଯ୍ୟାୟରେ ଅର୍ଥ ଦିଆସାରିଛି । ଏଥିରେ ବି କୌଣସି ସ୍ପଷ୍ଟତା ନାହିଁ । ନିର୍ବାଚନକୁ ଆଖି ଆଗରେ ରଖି ନିଜର ଦଳୀୟ ପ୍ରଚାର କରିବା ସହ କାର୍ଯ୍ୟକର୍ତାଙ୍କୁ ଅନଲାଇନ୍ ଆକାଉଂଟ ଟଙ୍କା ପଠାଇବା ପାଇଁ ଏବଂ ଭୋଟକୁ ପ୍ରଭାବିତ କରିବା ଓ ଭୋଟକୁ ସଂଗ୍ରହ କରିବା ଆଶାରେ ରାଜ୍ୟ ସରକାର ଚାଷୀମାନଙ୍କୁ ଠକିଛନ୍ତି, ଚାଷୀମାନଙ୍କୁ ପ୍ରତାରଣା କରିଛନ୍ତି ଏବଂ ଚାଷୀମାନଙ୍କ ପାଇଁ ଏକ ଭଣ୍ଡାମି, ଠକାମି ଯୋଜନା କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମୋଦି ସରକାର ଫେବୃଆରୀ ମାସରେ ୨୦ ହଜାର କୋଟି ଟଙ୍କାର ବଜେଟର ବ୍ୟବସ୍ଥା କରିଥିଲେ । ଯେଉଁଥିରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଉପକୃତ ହେବେ ଏବଂ ଯାହାର ୨ ହେକ୍ଟର ଭିତରେ ଜମି ଥିବ । ରାଜ୍ୟ ସରକାର ନୈତିକ ଦାୟୀତ୍ୱ ହେଉଛି ରାଜ୍ୟର ୫୦ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇବା । ହେଲେ ରାଜ୍ୟ ସରାକର ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ଦେଲେ । ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ଲୋକଙ୍କ ପାଖକୁ ପଇସା ଆସିଲା । ରାଜ୍ୟରେ କାଳେ ମୋଦିଙ୍କ ଲୋକପ୍ରିୟତା ବଢିଯିିବ ସେ କାଳେ ନାଁ ନେଇଯିବେ ସେହି ଭୟରେ ବାକି ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ଦେଉନାହାନ୍ତି । ଲୋକେ ମୋଦିଙ୍କୁ ଭୋଟ ଦେଇଦେବା ଭୟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ କରୁନାହାନ୍ତି ନବିନ ବାବୁ । ମୋଦି ସରକାର ପଠାଉଥିବା ଟଙ୍କା ଓଡିଶାର ଚାଷୀମାନେ ନପାଆନ୍ତୁ ଏହା ରାଜ୍ୟ ସରକାର ଏକମାତ୍ର ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

error: Thank You Keep Visiting