ମାନସିକ ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ କୋର୍ଟ ଚାଲାଣ କଲେ ଥାନାଧିକାରୀ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ସ୍ୱାମୀର ଅଭିଯୋଗ ଆଧାରରେ ଜଣେ ମାନସିକ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଭଦ୍ରକ ଗ୍ରମାଞ୍ଚଳ ଥାନାଧିକାରୀ କୋର୍ଟଚାଲାଣ କରିଛନ୍ତି । ଗତ ଫେବ୍ରୁଆରୀ ମାସ ୨୨ତାରିଖ ଘଟିଛି ଏହି ଘଟଣା । ସଂପୃକ୍ତା ମାନସିକ ରୋଗାଗ୍ରସ୍ତ ମହିଳାଙ୍କୁ ତାଙ୍କ ଭାଇ ସେହି ମାସ ୨୬ ତାରିଖ କୋର୍ଟରେ ଜାମିନ ଆବେଦନକରି ଘରକୁ ନେଇଛନ୍ତି । ଏପରି ଏକ ସ୍ପର୍ଶକାତର ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ଗ୍ରାମରେ । ଏହି ଘଟଣାରେ ପିଡ଼ିତା ମହିଳାଙ୍କ ଭାଇ ତ୍ରିଲୋଚନ ସ୍ୱାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସଙ୍କୁ ସାକ୍ଷାତ କରି ଆଜି ସବିଶେଷ ତଥ୍ୟ ଅବଗତ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଏହି ଜିଲ୍ଲା ଆଗରପଡ଼ା ଥାନା ଅଧିନସ୍ଥ ଅଣିଜୋ ଗ୍ରାମର ତ୍ରିଲୋଚନ ସ୍ୱାଇଁଙ୍କ ଭଉଣୀ ଭାରତୀଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ପୁତ୍ର ମଳୟ ସହିତ ୨୦୦୯ ମସହାରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ଯୌତୁକସାମଗ୍ରୀ ମଧ୍ୟ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ଜୀବନ ଠିକଠାକ ନଥିଲା । ତଥାପି ଏହି ଦମ୍ପତ୍ତିଙ୍କ ଔରସରୁ ୨ଜଣ ପୁତ୍ର ଓ କନ୍ୟା ଜନ୍ମ ନେଇଥିଲେ । ତଥାପି ମଳୟଙ୍କ ପରିବାର ଭାରତୀକୁ ମାଡ଼ ମାଣି ଘରୁ ବାହାର କରି ଦେଇଥିଲେ । ଏହି କାରଣରୁ ଭାରତୀଙ୍କ ପରିବାରବର୍ଗ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହେବାପରେ ଏକ ଲିଖିତ ବୁଝାମଣା ୨୦୧୫ ମସିହା ଅକ୍ଟୋବର ୨୭ ତାରିଖ ଉଭୟ ପରିବାର ମଧ୍ୟରେ ଥାନାଧିକାରୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା ।

ଭାରତୀର ସମାନ୍ୟ ମୁଣ୍ଡ ଦୋଷ ଥିବାରୁ ତାଙ୍କ ସ୍ୱାମୀ ମଳୟ ନିଜ ଶ୍ୱଶୂରଘର ଲୋକଙ୍କ ସୂଚନାଅନୁସାରେ କଟକରେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଚିକିତ୍ସା କରିଥିଲେ । କିନ୍ତୁ ଭାରତୀ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ନଖାଇ ଘରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ ଓ ଜୀବନରୁ ମାରିବାର ଧମକ ଦେଉଥିଲେ । ଏପ୍ରକାର ଅଭିଯୋଗ କରି ମଳୟ ଗ୍ରାମାଞ୍ଚଳ ଥାନାରେ ଗତ ମାସ ୨୨ତାରିଖ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗ୍ରାମାଞ୍ଚଳ ପୁଲିସ ଭାରତୀକୁ ଗିରଫ କରି ସେହି ଦିନ କୋର୍ଟ ଚାଲାଣ କରିଥିଲେ ।

ତେବେ ଭାରତୀ ମାନସିକ ରୋଗୀ ବୋଲି ତାଙ୍କ ସ୍ୱାମୀ ଥାନାରେ ଦାଖଲ କରିଥିବା ଅଭିଯୋଗ ସତ୍ତେ୍ୱ ଗ୍ରାମାଞ୍ଚଳ ଥାନାଧିକାରୀ କିପରି ତାଙ୍କୁ କୌଣସି ଚିକିତ୍ସାଳୟ ନେବା ପରିବର୍ତ୍ତେ କୋର୍ଟଚାଲାଣ କଲେ ତାହା ଏବେ ବହୁମୂଲ୍ୟର ପ୍ରଶ୍ନ ହୋଇଛି । ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ କୌଣସି ସ୍ପଷ୍ଟ ଉତ୍ତର ରଖିପାରିନଥିବାବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରନ୍ତୁ ବୋଲି କହିଛନ୍ତି । ତେବେ ଏହି ଘଟଣାକୁ ନେଇ ଜିଲ୍ଲାରେ ମହିଳାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ବିଭିନ୍ନ ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି ।

error: Thank You Keep Visiting