ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦିଆଯିବ ଗୁରୁତ୍ଵ : ବିଜେଡି ସଭାପତି
ଭୁବନେଶ୍ଵର: ଆଗାମୀ ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ ନିଜର ପ୍ରତିକ୍ରିୟା ରଖିଛନ୍ତି। ନବୀନ ନିବାସଠାରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ଗୁରୁତ୍ଵ ଦିଆଯିବ। ଏହା ହିଁ ପ୍ରାର୍ଥୀଙ୍କ ଲାଗି ମାପକାଠି ରହିବ। ନିର୍ବାଚନରେ ବିଜେଡି କାହା ସହ ମେଣ୍ଟ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ଚୟନ କସରତ ଚାଲିଛି। କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଆଗୁଆ ଥିବାବେଳେ ବିଜେଡି ଏବଂ ବିଜେପି ପଛରେ ପଡ଼ିଛନ୍ତି। ତେବେ ବିଜେଡିର ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିର ଅନେକ ବିଧାୟକ ଏବଂ ସାଂସଦଙ୍କ ଟିକେଟ କଟିବ ବୋଲି ପୂର୍ବରୁ କୁହାଯାଉଥିଲା। ଏହାକୁ ନେଇ ବହୁ ବିଧାୟକ ଏବଂ ସାଂସଦ ଆଶଙ୍କାରେ ରହିଛନ୍ତି।