ମୁଁ ଆଜି ୪୫ ବର୍ଷର ସଂପର୍କ କାଟି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛି ଆପଣମାନେ ଖୁସି ତ?: ଡ. ଦାମୋଦର ରାଉତ

Straight to the Point

ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଗତକାଲି ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି । ଏହି ଅବସରରେ ଡ.ରାଉତଙ୍କୁ ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରାରେ ସ୍ୱାଗତ କରାଯାଇଥିଲା । ପରେ ଦଳୀୟ କାର୍ଯ୍ୟାଳୟ ଠାରେ ସ୍ୱାଗତ ସଭା ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ଡ.ରାଉତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି ।
ଡ.ରାଉତଙ୍କୁ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ବିଧାୟକ ଦଳ ନେତା କେ.ଭିସିଂହଦେଓଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ସ୍ୱାଗତ କରିଛନ୍ତି ।
ଆଗାମୀ ଦିନରେ ରାଜ୍ୟରେ ମିଶନ ୧୨୦+ ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ ହେବ । ଡ. ରାଉତଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶକରେ ଦଳ ଆହୁରି ମଜବୁତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ମୁଁ ଆଜି ୪୫ ବର୍ଷର ସଂପର୍କ କାଟି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି ଆପଣମାନେ ଖୁସି ତ? ବିଜୁବାବୁ ମତେ ୧୯୭୪ ମସିହହାରେ ରାଜନୀତିକୁ ଆଣିଥିଲେ । ବହୁ ସ୍ୱପ୍ନଦେଖି ସେ ପାରାଦୀପ ବନ୍ଦର କରିଥିଲେ । ଓଡିଆ ଲୋକଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ସେ ଲଢେଇ କରୁଥିଲେ । ସେତେବେଳ ମତେ ସେ ଡାକିକି ଆଣି ଦଳରେ ସାମିଲ କରିଥିଲେ । ମୁଁ ୩୫ ବର୍ଷ ବିଧାୟକ ହୋଇଛି , ୬ ଥର ମନ୍ତ୍ରୀ ହୋଇଛି, ଅନେକ ଲୋକ ହିତକର କାର୍ଯ୍ୟ କରିଛି ବୋଲି ଡ. ରାଉତ କହିଛନ୍ତି ।
୧୯୮୯ ମସିହା ପରଠୁ ବିଜୁ ବାବୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଉନଥିଲେ । ଏ ପ୍ରଶ୍ନର ଉତର ନବୀନ ବାବୁଙ୍କୁ ପଚାରିବା ଉଚିତ୍ । ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ସମୟରେ ଯେଉଁ ବିଜୁ ଅନୁଗତମାନେ ତାଙ୍କୁ ଆଣିଥିଲେ ସେମାନଙ୍କୁ ସେ ଅପମାନ ଦେଇ ବିଦା କରିଦେଲେ । ଲୋକମାନଙ୍କର ସେବା କରିବା ପାଇଁ ରାଜନୀତି କରାଯାଏ କିନ୍ତୁ ନବୀନ ବାବୁଙ୍କ ଚାରିପଟେ ଯେଉଁମାନେ ଅଛନ୍ତି ସେମାନେ ରାଜନୀତି ନାଁରେ ବେପାର କରିବାକୁ ଆସିଛନ୍ତି । ଯେଉଁମାନଙ୍କର କୋଠି ନାହିଁ ସେମାନେ ବଜେଡିକୁ ଆସି କୋଟିପତି ହୋଇଛନ୍ତି । ରାଜ୍ୟରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଅସୁରକ୍ଷିତ । ରାଜ୍ୟସରକାର ଧର୍ଷଣକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଦୁର୍ନୀତିରେ ଏସରକାର ବୁଡି କି ରହିଛି । ଆଦିବାସୀମାନଙ୍କୁ ଶୋଷଣ କରାଯାଉଛି । ଦୁର୍ନୀତି କଥା କହିବାରୁ ମତେ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଗଲା । ଏହାପରେ ମୁଁ ନବାନ ସରକାରଙ୍କୁ ଖଣ୍ଡିଏ ଭୋଟ ଦିଅନି ବୋଲି ରାଜ୍ୟବ୍ୟାପୀ ପ୍ରଚାର କରିଛି । କେବଳ ବିଜେପି ରାଜ୍ୟରୁ ଦୁର୍ନୀତିକୁ ହଟାଇ ପାରିବ ବୋଲି ଡ. ରାଉତ କହିଛନ୍ତି ।
ସରକାରୀ କଳ ଅପବ୍ୟବହାର କରି ବିଜେଡି ରାଜନୀତି କରୁଛି । କୁନ୍ଦୁଲୀ ପୀଡିତା ନ୍ୟୟ ନପାଇବାରୁ ଆତ୍ମହତ୍ୟା କଲା । ତାକୁ ଯିଏ ଧଷର୍ଣ କରିଥିଲେ ସେ ହେଉଛି ଜଣେ ତାମିଲନାଡୁର କନେଷ୍ଟବଳ । ତାଙ୍କୁ ସୁରକ୍ଷା ଦେବାକୁ ଯାଇ ନାବାଳିକାକୁ ନ୍ୟାୟ ଦେଲେ ନାହିଁ ରାଜ୍ୟସରକାର । ରାଜ୍ୟରେ ସୁଶାସନ କେବଳ ବିଜେପି ହିଁ ଦେଇପାରିବ ବୋଲି ଡ. ରାଉତ କହିଛନ୍ତି । ରାଜ୍ୟରେ ପରିବର୍ତନର ସୂର୍ଯ୍ୟଦୋୟ ହୋଇଛି ବୋଲି ଡ. ରାଉତ କହିଛନ୍ତି ।
ସ୍ୱାଗତ ସଭା ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଡ. ରାଉତଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ କେଦାରନାଥ ଭୋଇ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ମନ୍ମଥନାଥ ସେନାପତି, ଏସିବି ମେଡିକାଲ ଶଲ୍ୟ ବିଭାଗର ଅବସରପ୍ରାପ୍ତ ଡାକ୍ତର ଯୋତିଶ ଚନ୍ଦ୍ର ଦାଶ, ତିର୍ତୋଲର ସାଗର କୁମାର ମହାପାତ୍ର, ସମରେନ୍ଦ୍ର ଦାସ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ସ୍ୱାଗତ ସଭାରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଷ୍ଟ୍ରୀୟ ଉପସଭାପତି ତଥା ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପୂଜାରୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ଜଗତସିଂହ ପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ରଘୁନନ୍ଦନ ଦାସ, ରମାକାନ୍ତ ଭୋଇ, ବାଇଧର ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting