ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Straight to the Point

ନୂଆଦିଲ୍ଲୀ,(ଓଡ଼ିଶା ଜର୍ଣ୍ଣାଲ): ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି। ସେମାନେ ହେଲେ କେନ୍ଦୁଝରର ଦୈତାରୀ ନାୟକ, କୋରାପୁଟ ଜିଲାର କମଳା ପୂଜାରୀ ଏବଂ କଟକର ଚା’ ଦୋକାନୀ ଡ. ପ୍ରକାଶ ରାଓ। ଏମାନଙ୍କ ବ୍ୟତୀତ କ୍ରିକେଟର ଗୌତମ ଗମ୍ଭୀର, ପୁଟବଲ ତାରକା ସୁନୀଲ ଛେତ୍ରୀ ଏବଂ ଅନ୍ୟ କେତେଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝରର ଦୈତାରୀ ଏବଂ କଟକର ଡି. ପ୍ରକାଶ ରାଓଙ୍କୁ ପୁରସ୍କୃତ କରାଯାଇଛି। ପାହାଡ଼ କାଟି କ୍ଷେତକୁ ପାଣି ଯୋଗାଇବାରେ ଦୈତାରୀ ସଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା। ସେହିପରି କଟକର ଡି. ପ୍ରକାଶ ରାଓ ଚା’ ଦୋକାନ କରି ପରିବାର ଚଳାନ୍ତି। କିନ୍ତୁ ସେହି ଦୋକାନରୁ ରୋଜଗାର କରୁଥିବା ଅର୍ଥରେ ସେ ବସ୍ତି ପିଲାଙ୍କୁ ପାଠ ପଢ଼ାଇ ନିଜର ମହନୀୟତା ଦେଖାଇଛନ୍ତି। ଏହାବ୍ୟତୀତ କୋରାପୁଟର କମଳା ପୂଜାରୀଙ୍କୁ କୃଷି କ୍ଷେତ୍ରରେ ଅବଦାନ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି କମଳା ପ୍ରଶଂସା ସାଉଁଟିଥିଲେ।

error: Thank You Keep Visiting