ଆଦିବାସୀ ଓ ପଛୁଆ ଅଂଚଳର ବିକାଶରେ ବିଜେଡି ସବୁଠୁ ବଡ ବାଧକ : ବଳଭ୍ରଦ ମାଝୀ

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ନବରଙ୍ଗପୁରରେ ଯାହା ସବୁ ବିକାଶମୂଳକ କାର୍ଯ୍ୟ କରାଯାଇଛି ତାହା କେବଳ କେନ୍ଦ୍ରୀୟ ଯୋଜନା ଦ୍ୱାରା ହୋଇଛି ଏବଂ କେନ୍ଦ୍ର ସରକାର ଅନୁଦାନ ଦ୍ୱାରା ହୋଇଛି । ସେଠାକାର ଲୋକମାନଙ୍କର, ଭିତିଭୂମୀ, ଅର୍ଥନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉଦ୍ଦେଶ୍ୟରେ ମୁଁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲି । ଜୟପୁର- ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ମୋ ଉଦ୍ୟମରେ ହୋଇଛି । ବିଗତ ୫ ବର୍ଷରେ ପାଖାପାଖି ୨୫୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ ହୋଇଛି । ପ୍ରାୟ ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି । ହେଲେ କେନ୍ଦ୍ର ସରକାର ଯୋଗାଉଥିବା ଆର୍ଥୀକ ସହାୟତାକୁ ରାଜ୍ୟ ସରକାର ସଠିକ ଭାବେ ବିନିଯୋଗ କରିବାରେ ବିଫଳ ହେଉଛନ୍ତି । ଆଦିବାସୀ ଓ ପଛୁଆ ଅଂଚଳର ବିକାଶରେ ସବୁଠୁ ବଡ ବାଧକ ସାଜିଛନ୍ତି ବିଜେଡି ଏବଂ ରାଜ୍ୟ ସରକାର । ସେଥିପାଇଁ ମୋତେ ଦଳ ଛାଡିବାକୁ ପଡିଲା ବୋଲି ଏବେ ବିଜୁ ଜନତା ଦଳ ଛାଡି ବିଜେପିରେ ମିଶିଥିବା ସାଂସଦ ଶ୍ରୀ ବଳଭ୍ରଦ ମାଝୀ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ମୁଁ ସ୍ୱପ୍ନ ନେଇକି ଆସିଥିଲି ଅବିଭକ୍ତ କୋରାପୁଟ ଅଚଂଳରେ ଆଦିବାସୀମାନଙ୍କର ବିକାଶ ହେବ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ସରକାର ପ୍ରଣୟନ କରିଥିବା ସମସ୍ତ ଯୋଜନାର ଲାଭକୁ ପହଂଚାଇଲେ ନାହିଁ କି ସଠିକ ଭାବେ କାର୍ଯ୍ୟକାରୀ କଲେ ନାହିଁ । ଆଦିବାସୀମାନେ ସେଠି ଅବହେଳିତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ପ୍ରତି ଅପମାନ କରାଯାଉଛି । ଦଳରେ ବି ମୋତେ ଅଣଦେଖା କରାଯାଉଥିଲା ଏବଂ କୌଣସି ବି ଦଳୀୟ ସଭାରେ ମୋତେ ସାମିଲ କରାଯାଉ ନଥିଲା । ପରୋକ୍ଷରେ ବିଜେଡି ଦଳ ମୋତେ ଛୁରା ମାରୁଥିଲେ ଏବଂ ଦଳରୁ ବିତାଡିତ କରିବାର ଚ୍ରକାନ୍ତ କରିଥିଲା । ସେଥିପାଇଁ ମୁଁ ବିଜେଡି ଦଳ ଛାଡିଲି ।
ନବରଙ୍ଗପୁର ଜିଲ୍ଲାରେ ଆଜି ବି ମଧ୍ୟ ୪ଟି ବ୍ଲକ ଅଛି ଯେଉଁଠି ଲକ୍ଷ ଲକ୍ଷ ଲୋକ ଜନସାଧାରଣ ବସବାସ କରୁଛନ୍ତି । ଏବେ ବି ସେଠାରେ ଗୋଟିଏ ବି କଲେଜ ନିର୍ମାଣ କରାଯାଇନାହିଁ । ମୋର ପ୍ରଥମ ଦିନରୁ ପ୍ରାଥମିକତା ଥିଲା କିଭଳି ଭାବେ ଏଠାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବି । ମୋର ଲକ୍ଷ୍ୟ ଥିଲା ସବୁ ବ୍ଳକରେ ଗୋଟିଏ ସରକାରୀ କଲେଜ କିଭଳି ହେବ କିନ୍ତୁ ବିଜେଡି ସରକାର ଏବଂ ପ୍ରଶାସନ ସରକାରୀ କଲେଜ ହୋଇପାରିବା ପାଇଁ କିଛି ଯୋଜନା କଲେ ନାହିଁ କି ଚାହିଁଲେ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି ।

ଶ୍ରୀ ମାଝି କହିଛନ୍ତି ଯେ, ଯେଉଁଠି ଲୋକ ଖାଇବାକୁ ପାଉନାହାଁନ୍ତି ସେଠି ସେଲଫ୍ ଫାଇନାସିଂ କଲେଜରେ କିଭଳି ପାଠ ପଢିବେ ? ସ୍କୁଲ ଥିଲେ ଶିକ୍ଷକ ନାହାନ୍ତି, ଶିକ୍ଷକ ଥିଲେ ଶ୍ରେଣୀ ଗୃହ ନାହିଁ । ଏପରି ଚାଲିଛି ନବରଙ୍ଗପୁରର ଶିକ୍ଷା ବ୍ୟବସ୍ଥା । ନବରଙ୍ଗପୁରରେ ଆଗରୁ ସରକାରୀ କଳେଜ ନଥିଲା ଏବେ ୪ଟି ସରକାରୀ କଲେଜ ସ୍ଥାପନ କରାଯାଇଛିି । ଜଣେ ଆଦିବାସୀ କ୍ୟାବିନେଟ୍ ମନ୍ତ୍ରୀ ଥାଇବି ଏହି ଅଂଚଳରେ ଆଦିବାସୀ ମହିଳାଙ୍କ ପ୍ରତି ବଢିଥିବା ଅନ୍ୟାୟ ଅତ୍ୟାଚାର ରୋକାଯାଇପାରିଲା ନାହିଁ । ରାଜ୍ୟ ସରକାର ଚାଷୀମାନଙ୍କୁ କୌଣସି ସହାୟତା ପ୍ରଦାନ କରିପାରନାହାଁନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟତା ରାଶି (ଏମଏସପି) ଘୋଷଣା କରିଥିଲେ ମଧ୍ୟ ଏହା ଏଠାରେ ଥିବା ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କଲେ ନାହିଁ । ନବୀନ ପଟ୍ଟନାୟକ କେବଳ ନାଁକୁ ମାତ୍ର ମୁଖ୍ୟମନ୍ତ୍ରୀ । ସେ କିଛି ଜାଣନ୍ତିନି, ଯାହା କିଛି ହୁଏ କିଛି ମୁଷ୍ଟମୟ ଅଫିସର ଏବଂ ଦଳୀୟ ନେତାଙ୍କ ଜରିଆରେ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଶ୍ରୀ ମାଝି ମହିଛନ୍ତି ଯେ ନବରଙ୍ଗପୁରବାସୀ ମୋ କାମ ଉପରେ ବହୁତ ଖୁସି ଅଛନ୍ତି । ଦେଶର ପଛୁଆ ଲୋକସଭା କ୍ଷେତ୍ର ଭାବେ ପରିଗଣିତ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ସମେତ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାର ସାମଗ୍ରକ ବିକାଶ ମୋର ପ୍ରାଥମିକତା । ଶାସକ ବିଜେଡିର ଅଗଣତାନ୍ତ୍ରିକ କାର୍ଯ୍ୟକଳାପ, ବିକାଶ ବିରୋଧୀ ଏବଂ ଆଦିବାସୀମାରଣ ନୀତି କାରଣରୁ ଆଜି ଏ ସମସ୍ତ ଜିଲ୍ଲା ପଛୁଆ ହୋଇ ରହିଯାଇଛି । ଏପରିକି କେନ୍ଦ୍ରସରକାରଙ୍କ ବହୁ ଆଦିବାସୀକଲ୍ୟାଣ ଯୋଜନାକୁ ରାଜ୍ୟରେ ଶାସକ ବିଜେଡି କାର୍ଯ୍ୟକାରୀ କରିବାକୁ ଦେଉନାହିଁ । ପଛୁଆ ଅଂଚଳରବିକାଶ ପାଇଁ ଶାସକ ବିଜେଡି ସବୁଠୁ ବଡ ବାଧକ ସାଜିଛି । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଦକ୍ଷତା, ନୀତି ଓ ଆଦର୍ଶ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ବଳିଷ୍ଟ ନେତୃତ୍ୱରେ ଆକ୍ରୃଷ୍ଟ ହୋଇ ମୁଁ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛି ।
ରାଜ୍ୟ କାର୍ଯ୍ୟଳୟଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ଉପ ସଭାପତି ସମିର ମହାନ୍ତି ଓ ବରିଷ୍ଠ ନେତା ଶ୍ରୀ ଜୟରାମ ପାଙ୍ଗୀ ଉପସ୍ଥିତ ଥିଲେ ।

error: Thank You Keep Visiting