ବାଚସ୍ପତିଙ୍କ କ୍ଷମତାକୁ ବିଜେଡି ଅପବ୍ୟବହାର କରୁଛି:ବିଜେପି

Straight to the Point

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କ ପିଟିସନ ଆଧାରରେ ରାତିଅଧିଆ ଭାବେ ବାଚସ୍ପତି ଯେଭଳି ନିଷ୍ପତି ନେଲେ ତାହା ବିଜେଡିର ଭୟକୁ ପରିପ୍ରକାଶ କରୁଛି ବୋଲି ରାଜ୍ୟ ଉପସଭାପତି ଓ ରାଜ୍ୟ ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ନିର୍ବାଚନ ପରାଜୟ ଭୟରେ ବିଜେଡି ଦଳ ଭୋକ ବିକଳରେ ତାଟିଆ କାମୁଡୁଛି । ଓଡିଶାର ରାଜନୀତି ଇତିହାସ ବିଜେଡି ଦଳକୁ ବୋଧେ ଜଣାନାହିଁ । ୨୦୧୨ ମସିହା ମେ ୨୯ ତାରିଖ ନବୀନବାବୁଙ୍କ ବିରୋଧରେ ପ୍ୟାରୀବାବୁଙ୍କ ବିଦ୍ରୋହକୁ ନବୀନବାବୁ, ତାଙ୍କ ଦଳ ଏବଂ ବାଚସ୍ପତି ବୋଧେ ଭୁଲିଗଲେଣି । ସ୍ୱର୍ଗତଃ ପ୍ୟାରୀ ମହାପାତ୍ର ଯେବେ ନବୀନ ପଟ୍ଟନାୟକଙ୍କୁ ଦଳରୁ ବିତାଡିତ କରିବା ପାଇଁ ଯୋଜନା କରିଥିଲେ ତାହାର ଠିକ୍ ଦୁଇଦିନ ପରେ ନବୀନବାବୁ ନିଜର ମୁଖ୍ୟମନ୍ତ୍ରୀ ପଦ ଚାଲିଯିବା ଭୟରେ ତକ୍ରାଳୀନ ଏନ୍ସିପି ଦଳର ୪ଜଣ ବିଧାୟକଙ୍କୁ ତରବରିଆ ଭାବରେ ଦଳରେ ସାମିଲ କରିଥଲେ । ଯେଉଁ ଚାରିଜଣ ବିଧାୟକ ସେହି ସମୟରେ ସମ୍ବିଧାନର ୧୦ମ ଅନୁଚ୍ଛେଦ ଅନୁସାରେ ଅଯୋଗ୍ୟ ଘୋଷଣା ହୋଇଥାନ୍ତେ । ସେ ସମୟର ବାଚସ୍ପତି ପ୍ରଦୀପ ଅମାତ୍ କାହିଁକି ଚୁପ୍ ରହିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ସେତେବେଳେ ଏନ୍ସିପିର ରାଜ୍ୟ ସଭାପତି ଉତ୍କଳ କେଶରୀ ପରିଡା ସମାନ ଅଭିଯୋଗ ଆଣିଥିଲେ ଯାହା ଆଜି ସରକାରୀ ଦଳର ମୁଖ୍ୟ ସଚେତକ ଆଣିଛନ୍ତି । ସେତେବେଳେ କାହିଁକି ବାଚସ୍ପତି ରାତିଅଧିଆ ସାମ୍ବାଦିକ ସମ୍ମିଳନୀ କରିନଥିଲେ । ବାଚସ୍ପତି ପଦବୀ ଏକ ସମ୍ବିଧାନିକ ପଦବୀ । ବିଜେଡି ଦଳର ସଭାପତି ନବୀନବାବୁଙ୍କ ଇସାରାରେ କାମ କରି ପ୍ରଦୀପ ଅମାତ ଏହି ପଦବୀର ଅପବ୍ୟବହାର କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ସଦ୍ୟ କଂଗ୍ରେସ ଦଳର ଦୁଇ ବିଧାୟକ ଯଥା ଝାରସୁଗୁଡା ବିଧାୟକ ନବ ଦାସ ଏବଂ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ବିଜେଡି ଦଳରେ ସାମିଲ ହେବା କଣ ଦଳବଦଳ ନୁହେଁ କି? ବାଚସ୍ପତି ସେତେବେଳେ କଣ କରୁଥିଲେ? କାହିଁକି ଏହି ଦୁଇ ବିଧାୟକଙ୍କ ପଦ ରଦ୍ଦ ହେଲା ନାହିଁ ? ଏହାର ଉତର ଓଡିଶାବାସୀ ଆଗାମୀ ଦିନରେ ବିଜେଡି ଦଳକୁ ଏବଂ ନବୀନବାବଙ୍କୁ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

error: Thank You Keep Visiting