ଉତ୍ତର ଭୁବନେଶ୍ୱର ପାଇଁ ବଢୁଛି ଆଶାୟୀଙ୍କ ସଂଖ୍ୟା

Straight to the Point

ଭୁବନେଶ୍ୱର,(କିଶୋର ରଥ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଭିନ୍ନ ଦଳରୁ ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ଗତ ଥର ଅପେକ୍ଷା ଅଧିକ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଥିବା ବେଳେ ଦଳ ମଧ୍ୟରେ ଟିକେଟ୍ ଆଶାୟୀଙ୍କ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କିଛି କମ୍ ନୁହେଁ । ଏହି କ୍ରମରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ କର୍ମୀମାନେ ସେମାନଙ୍କ ନେତା କିଏ ହେବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ନୂଆ ନିର୍ବାଚନ ମଣ୍ଡଳୀ ଘୋଷିତ ହେବା ପରେ ୨ ଥର ଯାକ ଏହି ଆସନ ବିଜେଡି ହାତକୁ ଯାଇଛି । ତେବେ ପ୍ରତିଥର ୩ ପ୍ରମୁଖ ଦଳ ପ୍ରାର୍ଥୀ ବଦଳାଇଥିବା ବେଳେ ଏଥର କ’ଣ ହେବ ସେ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ।

୨୦୦୯ରେ ବରିଷ୍ଠ ବିଜେଡ଼ି ନେତା ଭାଗିରଥୀ ବଡଜେନା ବିଜେପିର ଗୋଲଖ ମହାପାତ୍ରଙ୍କୁ ପରାସ୍ତ କରି ଏହି ନୂଆ ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ କିଶୋର ଜେନା । ମାତ୍ର ୨୦୧୪ରେ ବିଜେଡ଼ି ଭାଗିରଥୀଙ୍କୁ ଜଟଣୀ ଆସନ ଦେଇ ଏଠାରୁ ଯୁବନେତା ପ୍ରିୟଦର୍ଶୀ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ବିଜେପିର ଯୁବ ନେତା ଦିଲ୍ଲୀପ କୁମାର ମହାନ୍ତିଙ୍କୁ ପ୍ରିୟଦର୍ଶୀ ୪୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିବା ବେଳେ ତକ୍ରାଳୀନ କଂଗ୍ରେସ ଜିଲ୍ଲା ସଭାପତି ମନୋରଞ୍ଜନ ଦାଶ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଚଳିତ ଥର ପ୍ରିୟଦର୍ଶୀ ପୁନର୍ବାର ପ୍ରାର୍ଥୀ ହେବାକୁ ମୁଖ୍ୟ ଦାବିଦାର ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ବହୁ କର୍ପୋରେଟର ଏବଂ ବୃଦ୍ଧିଜୀବୀମାନେ ପ୍ରିୟଦର୍ଶୀଙ୍କୁ ବିରୋଧ କରୁଥିବା ଦେଖାଯାଇଛି ।

ବିଜେଡ଼ିର ଆଉ ୨ ଜଣ ପ୍ରମୁଖ ଦାବିଦାର ସାଜିଛନ୍ତି ଯୁବନେତା ଚିନ୍ମୟ ସାହୁ ଓ ସୁବାଷ ପାତ୍ର । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏହି ଆସନରୁ ଲଢିବା ନେଇ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ହାଇକମାଣ୍ଡଙ୍କ ପକ୍ଷରୁ ତାଙ୍କୁ ବିଡିଏ ଅଧ୍ୟକ୍ଷ ଓ ସାଙ୍ଗଠନିକ ଗୁରୁଦାୟିତ୍ୱ ଦିଆଯିବା ପରେ ଅନନ୍ତ ଏବେ ଦୋଛକିରେ ଅଛନ୍ତି । ତେବେ ଗତ କିଛି ବର୍ଷ ହେବ କିଛି କର୍ପୋରେଟରଙ୍କ ସହ ପ୍ରିୟଦର୍ଶୀଙ୍କ ବିବାଦ ହେବାପରେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସ୍ଥିତି ସମାନ୍ତରାଳ ଭାବେ ଦୁଇଭାଗ ହୋଇଯାଇଥିବା ଚର୍ଚ୍ଚା ହେଉଛି । ମାତ୍ର ବର୍ତ୍ତମାନ ଏଠାକାର ରାଜନୈତିକ ବାର୍ତ୍ତାବରଣ ସମ୍ପୂର୍ଣ୍ଣ ଭିନ୍ନ ଥିବା ଦେଖାଯାଇଛି । ବିଜେଡି ଗୋଷ୍ଠୀ ଏଠାରେ ଦୁଇଭାଗ ହୋଇଯାଇଛନ୍ତି । ବିଭିନ୍ନ ସମୟରେ ପୃଥକ ସ୍ଥାନରେ ଏଠାରେ ବିଜେଡିର ସମାନ୍ତରାଳ ବୈଠକମାନ ବସୁଥିବା ନଜରକୁ ଆସିଛି ।

ଅଧିକାଂଶ ନିର୍ବାଚନ ମଣ୍ଡଳୀ ବାସିନ୍ଦା ଏଠାରେ ପୂର୍ବତନ ମେୟର ଅନନ୍ତ ନାରାୟଣଙ୍କ ପ୍ରାର୍ଥୀତ୍ୱକୁ ପସନ୍ଦ କରୁଥିବା ଦେଖାଯାଇଛି । କାରଣ ଅନନ୍ତ ନାରାୟଣ ଯେତେବେଳେ ଏଠାରେ ଯାହା କିଛି ବୈଠକ କରିଛନ୍ତି ସେତେବେଳେ ବିଜେଡିର ସମାନ୍ତରାଳ ବୈଠକ ନିର୍ବାଚନ ମଣ୍ଡଳୀର ଅନ୍ୟ କୌଣସିଠାରେ ହେଉନାହିଁ । ଏହି ଘଟଣା ଅନନ୍ତଙ୍କ ଲୋକପ୍ରିୟତାର ପ୍ରମାଣ ମଧ୍ୟ ଦେଉଛି । ତେବେ ଅନନ୍ତ ଏଥିନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ରଖୁନଥିଲେ ହେଁ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଏବଂ ଯେଉଁ ଦାୟିତ୍ୱ ଦେବେ ତାହାକୁ ସେ ସୂଚାରୁରୂପେ ତୁଲାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ଏହି ଆସନରେ ଯଦି ପ୍ରିୟଦର୍ଶୀଙ୍କୁ ଟିକେଟ ମିଳେ ତେବେ ଆସନଟି ବିଜେପି ଦଖଲକୁ ଚାଲିଯିବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏପରିକି ନିର୍ବାଚନ ମଣ୍ଡଳୀରେ ପ୍ରିୟଦର୍ଶୀଙ୍କୁ କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ସମିତି ସଭ୍ୟମାନେ ଆଉ ଲୋକ ପ୍ରତିନିଧି ଭାବେ ଚାହୁଁନଥିବା ଅନୁମାନ କରାଯାଉଛି । ତେବେ ସେ ଯାହା ହେଉନା କାହିଁକି ଏହି ନିର୍ବାଚନ ମଣ୍ଡଳୀର ଭାଗ୍ୟ ଏବେ ନବୀନଙ୍କ ଉପରେ ନିର୍ଭର କରୁଛି ।

error: Thank You Keep Visiting