ଗୋଷ୍ଠୀ ନାହିଁ ତ କନ୍ଦଳ ନାହିଁ

Straight to the Point

ଅନୁଗୋଳ : ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କ ରାଜନୀତିରୁ ସନ୍ୟାସ ଘୋଷଣା ପରେ ଏହାର ପ୍ରଭାବ ପଡିଛି ଢେଙ୍କାନାଳ ଲୋକସଭା କ୍ଷେତ୍ର ଅଧିନସ୍ଥ ସାତ ବିଧାନସଭା କ୍ଷେତ୍ରର ଦଳୀୟ ସଂଗଠନ ଉପରେ । ପ୍ରତି ବିଧାନସଭା ଆସନରେ ବିଜେଡି ବିଧାୟକଙ୍କର ଏକ ପ୍ରକାର ବିରୋଧୀ ଥିଲେ ସାଂସଦ ଗୋଷ୍ଠୀ । ଅହି-ନକୁଳ ସମ୍ପର୍କରେ ବିଧାୟକ ଗୋଷ୍ଠୀଙ୍କ ସହିତ ବିରୋଧୀ ତାଳ ଦେଇ ଆଗକୁ ବଢୁଥିଲେ ସାଂସଦ ଗୋଷ୍ଠୀ । ଯାହାର ନମୁନା, ବିଜେଡି ପ୍ରତିଷ୍ଠା ଦିବସ ହେଉ ଅବା କୌଣସି ଦଳୀୟ ଆନ୍ଦୋଳନ ଏବଂ ପ୍ରତିବାଦ ସଭାରେ ଜଳଜଳ ଦିଶୁଥିଲା ।

କିନ୍ତୁ, ସାଂସଦଙ୍କ ସନ୍ୟାସ ଘୋଷଣା ପରେ ଏହି ବିରୋଧୀ ଗୋଷ୍ଠୀଙ୍କର ମୁଣ୍ଡ ମୋଡି ହୋଇ ଯାଇଛି । ବିଧାୟକଙ୍କୁ ବିରୋଧ କରି ଚାଲୁଥିବା ଏହି ଗୋଷ୍ଠୀଙ୍କ ଦଶା ଏବଂ ଦିଶା ଏବେ କେଉଁ ଆଡକୁ ଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଢେଙ୍କାନାଳ କାହିଁକି, ସମ୍ବଲପୁର ଲୋକସଭା କ୍ଷେତ୍ରରେ ନଳିନୀ ପ୍ରଧାନଙ୍କ ଏଣ୍ଟ୍ରି ପରେ ବିଜେଡି ଟିକେଟ୍ ଏଥର ନଗେନ୍ଦ୍ରଙ୍କ ବିପକ୍ଷରେ ଯଦି ଯାଏ, ତେବେ ତାଙ୍କ ଅନୁଗତଙ୍କ ଭୂମିକା ଏ ନିର୍ବାଚନରେ କ’ଣ ହେବ, ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଗତ ଦଶନ୍ଧିର ରାଜନୈତିକ ଇତିହାସ କହୁଛି, ଶାସକ ବିଜେଡି ସବୁଠି ପିନ୍ଧିଛି ବିଜୟ ତିଳକ । ସାତରୁ ସାତ ବିଧାୟକ ଆସନ ଦଖଲ କରିବା ସହିତ ସାଂସଦ ପଦରେ ବିଜୟ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ବିଜେଡିର ଟାଣୁଆ ସ୍ଥିତିକୁ ଜାହିର କରି ଆସିଛି । ଦଶନ୍ଧିର ଏକାକୀ ଯାତ୍ରା ଭିତରେ ଉପର ଚିକ୍କଣ ଭିତର ଘୃଣ ନ୍ୟାୟରେ ବିଜେଡି ଉପରୁ ମଜବୁତ ଏବଂ ଏକ ଦେଖାଯାଉଥିଲେ ମଧ୍ୟ ଭିତରୁ ଭିତରୁ ଦଳୀୟ କନ୍ଦଳ ଖାଇ ଯାଉଥିଲା । ସାଂସଦ ଏବଂ ବିଧାୟକ ଗୋଷ୍ଠୀ ସବୁଠି କନ୍ଦଳରେ ମାତୁଥିଲେ । ସାଂସଦଙ୍କ ସମର୍ଥକ ଗୋଷ୍ଠୀ କେବଳ କ୍ଷମତାସୀନ ବିଧାୟକଙ୍କୁ ଟକ୍କର ଦେଉ ନଥିଲେ, ବରଂ ବିଧାୟକ ଟିକେଟ୍ ଲବିରେ ବି ଲାଗିଥିଲେ ।

ଯେମିତିକି, ଅନୁଗୋଳ ବିଧାନସଭା କ୍ଷେତ୍ରରେ କ୍ଷମତାସୀିନ ବିଧାୟକ ରଜନୀକାନ୍ତ ସିଂହଙ୍କ ବିକଳ୍ପ ଭାବେ ସାଂସଦ ଗୋଷ୍ଠୀର ଶକ୍ତି ପ୍ରସାଦ ପଟ୍ଟନାୟକ, ଭକ୍ତି ପ୍ରସାଦ ଦାଶ ପ୍ରମୁଖ ବିଜେଡିର ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । କେବଳ ଅନୁଗୋଳ ନୁହେଁ, ପ୍ରାୟ ବିଧାନସଭା କ୍ଷେତ୍ରରେ ଏମିତି ବହୁ ଦଳୀୟ ନେତାଙ୍କୁ ଦେଖିବାକୁ ମିଳୁଥିଲା । କ୍ଷମତାସୀିନ ବିଧାୟକଙ୍କ ଟିକେଟ୍ କଟିଲେ ସାଂସଦ ଗୋଷ୍ଠୀ ମାଡି ବସିବେ ବୋଲି କୁହାଯାଉଥିଲା । କିନ୍ତୁ ସାଂସଦଙ୍କ ସନ୍ୟାସ ଘୋଷଣା ସବୁ ଆଶା, ଆକାକ୍ଷାଂକୁ ଫିକା କରି ଦେଇଛି । ଶ୍ରୀ ସତପଥୀଙ୍କ ବିଦାୟ ପରେ ଏହି ସବୁ ନେତାଙ୍କ ଗତି କୁଆଡେ ? ପୂର୍ବପରି ବିଧାୟକ ଗୋଷ୍ଠୀରେ ସାମିଲ ହେବେ ନା, ଦଳରେ ରହି ବିଦ୍ରୋହୀ ଭୂମିକା ତୁଲାଇବେ ? ବିରୋଧୀ ସହ ମିଶି ବିଜେଡି ଅନ୍ତଃ କନ୍ଦଳରେ ଆହୁରି ଘୁଣ ଲଗାଇ ଦେଲେ ପରିସ୍ଥିତି କ’ଣ ହେବ ତାହା ବି ପ୍ରଶ୍ନବାଚୀ ହୋଇଛି ।

ସେହିପରି ବିଜେଡିର ଟିକେଟ୍ ବଣ୍ଟା ନୀତିରେ ଅନେକ ପୁରୁଣାଙ୍କୁ ବାଦ୍ ଏବଂ ନୁଆଙ୍କୁ ସାମିଲ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଯଦି ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କିଛି କ୍ଷମତାସୀନ ବିଧାୟକଙ୍କ ମୁଣ୍ଡ ମୋଡି ଦିଅନ୍ତି ତେବେ ସାଂସଦ ଗୋଷ୍ଠୀ ସହିତ ବିଧାୟକ ଗୋଷ୍ଠୀ କନ୍ଦଳରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ରାଜନୈତିକ ମହଲ ଆଶା କରୁଛନ୍ତି ।

error: Thank You Keep Visiting