ଇମ୍ଫା ସଂସ୍ଥା ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ

Straight to the Point

ଭୁବନେଶ୍ୱର: ଥେରୁବାଲିସ୍ଥିତ ଇମ୍ଫା ସଂସ୍ଥା ବନ୍ଦ ହୋଇଗଲେ ହଜାର ହଜାର ଶ୍ରମିକ, କର୍ମଚାରୀ ନିଜର ଜୀବିକା ହରାଇବା ସହ ରାଜ୍ୟକୁ ମିଳୁଥିବା ରାଜସ୍ୱ ହ୍ରାସ ପାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଅନୁରୂପ ଭାବେ ପ୍ରତିକ୍ରିୟ ପ୍ରକାଶ କରି କହିଛନ୍ତି ଯେ, ସରକାରଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଚାଲିଛି । ଦାବି ପ୍ରତି ଆନ୍ତରିକତା ନାହିଁ । ଇମ୍ଫା ଏକ ପୁରାତନ ଶିଳ୍ପ ସଂସ୍ଥା । ଏହି ସଂସ୍ଥା ନାଲକୋଭଳି ରାଜ୍ୟର ଗର୍ବ ଗୌରବ । ବିଜୁବାବୁଙ୍କ ସମୟରେ ଏହା ପ୍ରତିଷ୍ଠା କରାଯାଇଥିଲା । ଏହାକୁ ଚକ୍ରାନ୍ତ କରି ବନ୍ଦ କରି ଦିଆଯିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି । ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ରାଜ୍ୟର ଅନ୍ୟତମ ବୃହତ ଶିଳ୍ପ ସଂସ୍ଥା । ଏହାର କର୍ମଚାରୀ ମାନଙ୍କୁ ଧରି ଆନ୍ଦୋଳନ କରାଇବା ଭଲ ବାର୍ତା ଯାଉନାହିଁ । ଏପଟେ ଶିଳ୍ପର ବିକାଶ କଥା କୁହାଯାଉଥିଲା ବେଳେ ଅନ୍ୟପଟେ ଶିଳ୍ପକୁ ବନ୍ଦ କରିବା ଆଦୌ ସମୀଚିନ ନୁହେଁ । ଯଦି ଶିଳ୍ପକୁ ସରକାର ବନ୍ଦ କରିବେ ତେବେ ଶିଳ୍ପର ବିକାଶ ହେବ କେମିତି ? ବୈଜୟନ୍ତବାବୁ ରାଜନୀତି କରୁଥିବାରୁ ତାଙ୍କ ପ୍ରତି ରାଜନୀତି ଆକ୍ରୋଶ ଥାଇପାରେ । ତାର ଅର୍ଥ ନୁହେଁ ଯେ, ଶିଳ୍ପକୁ ବନ୍ଦ କରିବା । ସମ୍ପୃକ୍ତ ଶିଳ୍ପ ସଂସ୍ଥାର କର୍ମଚାରୀ ମାନଙ୍କର ୯ ଦଫା ଦାବି ପୂରଣ କରିବା ପାଇଁ ୪୫ ଦିନ ସମୟ ନିଆଯାଇଥିଲା । ମାତ୍ର ସେ ସମୟରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ତାର ପ୍ରତିବାଦରେ ଏହି ଆନ୍ଦୋଳନ ଚାଲିଛି । ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଧାରଣାକାରୀମାନେ କହିଛନ୍ତି । ଆଜି ଆନ୍ଦୋଳନକାରୀମାନେ ତାଲା ପକାଇଦେଇଛନ୍ତି । ଅପରପକ୍ଷରେ ଦାବି ପୂରଣ ନେଇ କମ୍ପାନୀ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି କୁହାଯାଇଛି ।

error: Thank You Keep Visiting