ପ୍ରତିଷ୍ଠା ହେବ ଅତିରିକ୍ତ ୬.୫ ନିୟୁତ ଟନ ଭୂତଳ ତୈଳ ଭଣ୍ଡାର

Straight to the Point

ନୂଆଦିଲ୍ଲୀ: ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧୀନରେ ଓଡିଶାରେ ଆଉ ଏକ ବଡ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ବୁଧବାର ଦିନ ଓଡିଶାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ଭଣ୍ଡାର ନିର୍ମାଣ ପ୍ରସ୍ତାବକୁ ବିଧିବଦ୍ଧ ସ୍ୱୀକୃତି ଦେଇଛି କ୍ୟାବିନେଟ ।
ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରଠାରେ ଅତିରିକ୍ତ ୬.୫ ନିୟୁତ ମେଟ୍ରିକ ଟନ(ଏମଏମଟି) କ୍ଷମତାବିଶିଷ୍ଟ ରଣନୈତିକ ଭୂତଳ ତୈଳ ଭଣ୍ଡାର (ଏସପିଆର) ପ୍ରତିଷ୍ଠା କରାଯିବ । ଏହାଛଡ଼ା ଏହି ଦୁଇଟି ଏସପିଆର ପାଇଁ ସମର୍ପିତ ଏସପିଏମ (ସିଙ୍ଗଲ ପଏଂଟ ମୁରିଂ) ନିର୍ମାଣ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଚଣ୍ଡିଖୋଲ ଏବଂ ପାଦୁରଠାରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଭଣ୍ଡାର ଭୂତଳ ସୁଡ଼ଙ୍ଗ ମ୍ମରେ ରହିବ ଏବଂ ଏଗୁଡ଼ିକର କ୍ଷମତା ଯଥାକ୍ରମେ ୪ ଏମଏମଟି ଏବଂ ୨.୫ ଏମଏମଟି ହେବ । ସୂଚନାଯୋଗ୍ୟ ଯେ ୨୦୧୭-୧୮ ବଜେଟରେ ଦୁଇଟି ଅତିରିକ୍ତ ତୈଳ ଭଣ୍ଡାର ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଭାରତ ସରକାରଙ୍କ ବଜେଟ ସହଯୋଗ ପରିମାଣ ହ୍ରାସ କରିବା ଲାଗି ଏହି ପ୍ରକଳ୍ପକୁ ପିପିପି ବା ସରକାରୀ-ଘରୋଇ ଭାଗିଦାରୀ ମଡେଲ ଆଧାରରେ ନିର୍ମାଣ କରାଯିବା ଲାଗି ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ସମ୍ଭାବିତ ନିବେଶକଙ୍କ ସମେତ ବଜାର ଆବଶ୍ୟକତାକୁ ପୂରଣ କରିବା ଲାଗି ରୋଡ-ଶୋ/ପ୍ରଦର୍ଶନୀ ଆୟୋଜନ କରାଯିବା ପରେ ଅର୍ଥମନ୍ତ୍ରଣାଳୟର ପରାମର୍ଶକ୍ରମେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ଭାଗିଦାରୀର ସର୍ତ ଏବଂ ନିୟମାବଳୀ ନିର୍ଦ୍ଧାରଣ କରିବ ।
ପୂର୍ବରୁ ଆଇଏସପିଆରଏଲ ପକ୍ଷରୁ ଅଶୋଧିତ ତୈଳ ସଂରକ୍ଷଣ କରି ରଖିବା ପାଇଁ ତିନୋଟି ସ୍ଥାନରେ ୫.୩୩ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଭୂତଳ ସୁଡ଼ଙ୍ଗ ନିର୍ମାଣ କରାଯାଇସାରିଛି । ଏଗୁଡ଼ିକ ହେଲା- ବିଶାଖାପାଟଣା (୧.୩୩ ଏମଏମଟି), ମାଙ୍ଗାଲୋର (୧.୫ ଏମଏମଟି) ଏବଂ ପାଦୁର (୨.୫ ଏମଏମଟି) । ୨୦୧୬-୧୭ ଆର୍ଥିକ ବର୍ଷର ପେଟ୍ରୋଲିୟମ ବ୍ୟବହାର ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ତୈଳ ଭଣ୍ଡାର କାର୍ଯ୍ୟକ୍ରମରେ ନିର୍ମାଣ କରାଯାଇଥିବା ୫.୩୩ ଏମଏମଟି କ୍ଷମତା ବିଶିଷ୍ଟ ଅଶୋଧିତ ତୈଳ ଭଣ୍ଡାର ୧୦ ଦିନ ପର୍ଯ୍ୟନ୍ତ ଭାରତର ଇନ୍ଧନ ଆବଶ୍ୟକତା ପୂରଣ କରାଯିବ । ଅତିରିକ୍ତ ୬.୫ ଏମଏମଟି କ୍ଷମତାବିଶିଷ୍ଟ ରଣନୈତିକ ପେଟ୍ରେଲିୟମ ଭଣ୍ଡାର ସୁବିଧା ନିର୍ମାଣ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିବା ପରେ ଏହାର ଅତିରିକ୍ତ ୧୨ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଆବଶ୍ୟକତାକୁ ପୂରଣ କରିପାରିବ ଏବଂ ଏହା ଭାରତର ଶକ୍ତି ନିରାପତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି ।

error: Thank You Keep Visiting