ଓଡ଼ିଶାର ବିକାଶ ପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର : ମୋଦୀ

Straight to the Point

ଜୟପୁର: ଓଡ଼ିଶାର ବିକାଶ ପାଇଁ ଆପଣମାନେ କଂଗ୍ରେସକୁ ଦଶନ୍ଧି ଧରି ଶାସନ କରିବାକୁ ସମୟ ଦେଲେ। ବିଜେଡିକୁ ବି ଅନେକ ବର୍ଷ ଧରି ସୁଯୋଗ ଦେଇଆସୁଛନ୍ତି। କିନ୍ତୁ ଓଡ଼ିଶାର ବିକାଶ ହୋଇପାରୁନି। ସେମାନେ ଆପଣମାନଙ୍କର ଭରସା ତୁଟାଇଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ଭଳି ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର। ଫଳରେ ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ। ଶୁକ୍ରବାର କୋରାପୁଟ ଜିଲାର ଜୟପୁରରେ ନିର୍ବାଚନୀ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଆହ୍ବାନ କରିଛନ୍ତି।

ଉଦବୋଧନ ଦେବା ଅବସରରେ ବର୍ଷ ବର୍ଷ ଧରି ରାଜ୍ୟକୁ ଶାସନ କରିଆସିଥିବା କଂଗ୍ରେସ ଏବଂ ବିଜେଡି ଉପରେ ମୋଦୀ ଭୀଷଣ ବର୍ଷିଥିଲେ। ରାଜ୍ୟବାସୀଙ୍କ ଭରସା ତୁଟାଇଥିବା ଏହି ଲୋକମାନଙ୍କୁ ଦଣ୍ଡ ଦେବା ଉଚିତ କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିବା ସହ ଏଭଳି ସରକାରକୁ ହଟାଇବାର ନିଷ୍ପତ୍ତି ଆପଣଙ୍କର ବୋଲି କହିଥିଲେ। ୨୦୧୯ ନିର୍ବାଚନ କେବଳ ଜଣେ ବିଧାୟକ ଏବଂ ଜଣେ ସାଂସଦର ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଞ୍ଜିନ ଲଗାଉଥିବା ବିଜେପି ସରକାରଙ୍କ ନିର୍ବାଚନ ବୋଲି କହିଥିଲେ।ଆୟୁଷ୍ମାନ ଯୋଜନା ସମ୍ପର୍କରେ ମୋଦୀ କହିଥିଲେ, ଆଜି ସାରା ବିଶ୍ଵରେ ଆୟୁଷ୍ମାନ ଭାରତ ଯୋଜନାର ଚର୍ଚ୍ଚା ଚାଲିଛି। ଦେଶର ୫୦ କୋଟି ଗରିବଙ୍କୁ ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଭଳି ଦେଶର ଅନ୍ୟାନ୍ୟ ରାଜ୍ୟରେ ଏହା କାର୍ଯ୍ୟ କାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ଗରିବଙ୍କୁ ଚିକିତ୍ସା ସୁବିଧା ମିଳିଛି। କିନ୍ତୁ ସେମାନଙ୍କ ମଧ୍ୟରେ ଓଡ଼ିଶାର କୌଣସି ଗରିବଙ୍କ ନାଁ ନାହିଁ। ଏଥିପାଇଁ ଦାୟୀ ହେଉଛନ୍ତି ଏଠାକାର ସରକାର। ଯୋଜନା ଆରମ୍ଭରୁ ମୁଁ ସରକାରଙ୍କୁ ପ୍ରାର୍ଥନା କରୁଛି ସେ ଆୟୁଷ୍ମାନ ଯୋଜନାରେ ସାମିଲ ହୁଅନ୍ତୁ। କିନ୍ତୁ ମୁଁ ବୁଝିପାରୁନି ସେ କ’ଣ ପାଇଁ ଏହି ଯୋଜନାରେ ସାମିଲ ହେଉନାହିଁ। ଗରିବଙ୍କ ପ୍ରତି ବିଜେଡି ସରକାରର ସମ୍ବେଦନ ନାହିଁ। ସେମାନେ ଆଦିବାସୀଙ୍କ ସ୍ବାର୍ଥ ସହ ଯେଉଁ ଖେଳ ଖେଳୁଛନ୍ତି, କୃଷକଙ୍କ ସହ ମଧ୍ୟ ତାହା କରୁଛନ୍ତି। ପିଏମ୍‌ କିଷାନ ସମ୍ମାନ ନୀତି ଅନୁସାରେ ଦେଶର ୧୨ କୋଟି କୃଷକ ପରିବାରକୁ ସିଧାସଳଖ ସହାୟତା ଯୋଗାଇ ଦିଆଯାଉଛି।

ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। କିନ୍ତୁ ଓଡ଼ିଶାର କୌଣସି ଚାଷୀ ଏହାର ସୁବିଧା ପାଉନାହାନ୍ତି। ଏଥିପାଇଁ ଏଠାକାର ସରକାର ପ୍ରତିବନ୍ଧକ ସାଜିଛନ୍ତି। ଏସବୁ ବନ୍ଦ ହେବାର ସମୟ ଆସିଛି। ଏହି ଅବସ୍ଥାରେ ପରିବର୍ତ୍ତନ କରିବାକୁ ଆପଣଙ୍କ ଚୌକିଦାର ପଦକ୍ଷେପ ନେବ। ଆଦିବାସୀ କ୍ଷେତ୍ର ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଠାକାର ଖଣିରୁ ଯେଉଁ ଆୟ ହେଉଛି ତାହାର ଗୋଟିଏ ଭାଗ ଆଦିବାସୀଙ୍କ ବିକାଶ ପାଇଁ ବ୍ୟବହାର କରାଯିବ। ଜିଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ୬୫୦୦ କୋଟି ମିଳିଛି। ମାତ୍ର ସରକାର ସେଥିରୁ ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଲୋକଙ୍କ ଟଙ୍କାକୁ ତାଲା ପକାଇ ରଖିଥିବା ଏଭଳି ସରକାରକୁ ହଟାଇବା ଜରୁରୀ କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ।

error: Thank You Keep Visiting