ମୁକୁଟ ପିନ୍ଧା ବନାମ ମୁକୁଟ ବିହୀନ ନେତା

Straight to the Point

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଛାତ୍ର ରାଜନୀତି ସମୟରୁ ସର୍ବଦା ନିଜର କୂଟନୈତିକ ବୁଦ୍ଧିର ପରିଚୟ ଦେଇଆସିଛନ୍ତି । ଏପରିକି ଗ୍ରାମାଞ୍ଚଳରୁ ଛାତ୍ର ରାଜନୀତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ଆରମ୍ଭ କରି ଦିଲ୍ଲୀ ଦରବାରରେ ନିଜ ଅସ୍ତିତ୍ୱ ଜାହିର କରିବାରେ ମାହିର ଥିଲେ । ଅବଶ୍ୟ ଏଥିରେ ତାଙ୍କ ବାପା ତଥା କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଛାପ ମଧ୍ୟ ଏକପ୍ରକାର କାମ କରେ । ଦିଲ୍ଲୀ ଦରବାରରେ ନିଜ ଶକ୍ତି ବୃଦ୍ଧି କରିବା ପରେ ରାଜ୍ୟ ବିଜେପି ତାଙ୍କ ଦ୍ୱାରା ଏକପ୍ରକାର ପରିଚାଳିତ ବୋଲି ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ହୁଏ ।

ବିଧାୟକ ହେବା ପରେ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଠାରୁ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇବା ପରେ ନିଜ ବିଧାନସଭା ଆସନରୁ ପରାଜୟ ସ୍ୱାଦ ମଧ୍ୟ ଚାଖିବାକୁ ପଡେ । ତେବେ ଧର୍ମେନ୍ଦ୍ର ପ୍ରଧାନ ଏକମାତ୍ର ଓଡିଶାର ନେତା ଯିଏ ବିହାର ଏବଂ ମଧ୍ୟପ୍ରଦେଶରୁ ଦୁଇଥର ରାଜ୍ୟସଭାକୁ ଯାଇ ନରେନ୍ଦ୍ର ମୋଦିଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ହେବା ସହ ମୋଦିଙ୍କ ଟିମ୍ର ଶକ୍ତିଶାଳୀ ନେତା ଭାବେ ମଧ୍ୟ ଏକ ଚେହେରା । ଧର୍ମେନ୍ଦ୍ର ଏବେ ଓଡିଶା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଲୋଚନା ହେଉଥିବାସମୟରେ ନିର୍ବାଚନରେ ପ୍ରାର୍ଥୀ ନହେବା ବିରୋଧିଦଳଙ୍କୁ ସମାଲୋଚନା କରିବାର ସୁଯୋଗ ମଧ୍ୟ ସୃଷ୍ଟି କରିଛି । ବିଶେଷ କରି ବିଜୁ ଜନତାଦଳ ନେତାମାନେ ବାରମ୍ବାର ଗଣମାଧ୍ୟମରେ ଗୋଟିଏ କଥା ବିଜେପି ନେତାମାନଙ୍କୁ ପଚାରୁଛନ୍ତି ତୁମ ପୋଷ୍ଟର ବୟ ନିର୍ବାଚନ କାହିଁକି ଲଢ଼ୁନାହାନ୍ତି ।

ଗୋଟିଏ ପଟେ ବିରୋଧୀ ଦଳ ନେତାଙ୍କ ସମାଲୋଚନାର ଶିକାର ହେଉଥିବା ଧର୍ମେନ୍ଦ୍ର ଏବଂ ନିଜ ଦଳର ଅର୍ଥାତ୍ ବିଜେପି ନେତାଙ୍କୁ ସମାଲୋଚନା ଶିକାରୁ ମଧ୍ୟ ବର୍ତ୍ତିନାହାନ୍ତି । ଅନ୍ୟ ରାଜନୈତିକ ଦଳରୁ ଆସିଥିବା ନେତାଙ୍କୁ ବିଜେପି ଟିକେଟରେ ଲଢ଼ିବା ପାଇଁ ସୁଯୋଗ ଦେବା ସହ ଅଣ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ବିଜେପି ଟିକେଟରେ ଲଢ଼ିବା ପାଇଁ ସୁଯୋଗ ଦେବା ଏବଂ ବିଜେପି ପାଇଁ ବର୍ଷ ବର୍ଷ ଧରି କାମ କରିଥିବା ନେତା ଓ କର୍ମୀଙ୍କ ସହ ପ୍ରାର୍ଥୀଙ୍କ ସମ୍ବନ୍ଧରେ ଆଲୋଚନା ମଧ୍ୟ ଟିକେ ନ କରିବା ବିଜେପି ଭିତରେ ଏକ ବିଦ୍ରୋହର ସ୍ୱରକୁ ଗୁଞ୍ଜରିତ ମଧ୍ୟ କରିଛି । ଏହି ଗୁଞ୍ଜରଣ ବିଜେପିର ଭୋଟ ବ୍ୟାଙ୍କକୁ ଏକପ୍ରକାର ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ଆକଳନ କରୁଛନ୍ତି । କାରଣ ପୁରୁଣା ବିଜେପି ନେତାଙ୍କ ସହ କର୍ମୀମାନଙ୍କ ଭାବାବେଗର ସଂପର୍କ ଅଛି ।

ଧର୍ମେନ୍ଦ୍ରଙ୍କ ଏକପାଖିଆ ନିଷ୍ପତ୍ତି ଏବଂ ମନଉଣା ନେତାଙ୍କ ମନରଞ୍ଜନ କରିବା ନେତାଙ୍କ ଅଭାବ ବିଜେପି ପାଇଁ ବୁମେରାଂ ମଧ୍ୟ ହୋଇପାରେ । ଏପରିକି ଦଳବଦଳ ନେତାମାନେ ବିଜେପିରୁ ଟିକେଟ ପାଇବା ପରେ ପୁରୁଣା କର୍ମୀ ଏବଂ ନେତାଙ୍କୁ ବାଟକାଟି ଯିବା ବିଜେପିର ମୂଳ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ର ୨୦୧୯ରେ ବିଜେପି ମିଶନ ୧୨୦ ରୁ ସଫଳ କରିବାକୁ ଏକତରଫା ନିଷ୍ପତ୍ତି ନେବା ବାଧ୍ୟବାଧକତା ବୋଲି ତାଙ୍କ ସମର୍ଥକ କହୁଥିବା ସମୟରେ ବିଜେପି ନେତା ଓ କର୍ମୀମାନେ ବିଗତ ଦିନରେ ଯେଉଁ ନେତାମାନଙ୍କୁ ବିରୋଧ କରି ଏବଂ ବିରୋଧର ସମ୍ମୁଖୀନ ହୋଇ ବିଜେପି କଥା ଘରେ ଘରେ ବୁଲି କହୁଥିଲେ ସେମାନେ ଏବେ ସେହି ନେତାଙ୍କ ପ୍ରଶଂସା କିପରି କରିବେ ଦ୍ୱନ୍ଦରେ ପଡିଗଲେଣି । ମତଦାତା ମଧ୍ୟ ସନ୍ଦେହ ଘେରରେ ।

ବିଜେପି ଯେଉଁ ଦଳର ନେତାଙ୍କୁ ଦୁର୍ନିତିଗ୍ରସ୍ତ ବୋଲି କହୁଥିଲେ ସେହି ନେତା ବିଜେପିକୁ ଆସିବା ପରେ ଦୁର୍ନିତିମୁକ୍ତ ନେତା ହୋଇ ପାରିବେକି? ଧର୍ମେନ୍ଦ୍ରଙ୍କ ନୂଆ ରଣନୀତି ପଛରେ ସଫଳତା ଏକ ବାସ୍ନା ଥବା ମଧ୍ୟ ଆଲୋଚନା ରାଜ୍ୟ ରାଜନୀତିରେ ହେଉଛି ।ନବୀନଙ୍କୁ ଗାଦିଚ୍ୟୁତ କରିବା ଏବଂ ଧର୍ମେନ୍ଦ୍ରଙ୍କୁ ବିଜୟ ମୁକୁଟ ପିନ୍ଧାଇବା ପାଇଁ ଏକ ଡିଲ୍ ତୃତୀୟ ମହଲାରେ ହୋଇଥିବା ଆଲୋଚନା ହେଉଛି । ବୈଜୟନ୍ତ ପଣ୍ଡା ବିଜେପିକୁ ଯିବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ତାଙ୍କୁ ତୃତୀୟ ମହଲାରୁ ସବୁଜ ସଙ୍କେତ ମିଳୁନଥିଲା । ନିଜ ବ୍ୟବସାୟର ସୁରକ୍ଷା ପାଇଁ ବୈଜୟନ୍ତ ଏକା ଏକା ଘୁରି ବୁଲୁଥିଲେ ।

ହଠାତ୍ ବୈଜୟନ୍ତ ବିଜେପିରେ ମିଶିବା ଏବଂ ଗୋଟିଏ ଦିନର ବିଜେପି କର୍ମୀଙ୍କୁ ରାଷ୍ଟ୍ରୀୟ ଉପସଭାପତି ପଦ ସହ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ ମିଳିବା ପଛରେ ତୃତୀୟ ମହଲାର ସବୁଜ ସଙ୍କେତ ମିଳିବା ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ଜନସାଧାରଣରେ ଆଲୋଚନା ମଧ୍ୟ ହେଉଛି । ଧର୍ମେନ୍ଦ୍ରଙ୍କୁ ବିଜୟ ମୁକୁଟ ପିନ୍ଧାଇବା ଡିଲ୍ରେ ନବୀନଙ୍କ ସବୁଠାରୁ ବିଶ୍ୱସ୍ତ ଜଣେ ପ୍ରଶାସନିକ ଅଧିକାରୀ ଏବଂ ନୟାଗଡ, ପୁରୀ ଓ ଯାଜପୁର ଜିଲ୍ଲାର ତିନିଜଣ ଯୁବନେତା ଥିବା ବିଜେଡି ମହଲରେ ଆଲୋଚନା ହେଉଛି । ବିଜେଡିରୁ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ବିଜେଡି ଟିକେଟରୁ ବଞ୍ଚିତ କରିବା ଏବଂ ସେମାନେ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନୀବନଙ୍କୁ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ବୋଲି ବିଜେଡି କର୍ମୀମାନେ କହୁଛନ୍ତି ।

ଧର୍ମେନ୍ଦ୍ରଙ୍କ ସହ ଡିଲ୍ କରିଥିବା ନେତା ଓ ପ୍ରଶାସନିକ ଅଧିକାରୀ ନିଜ ଦୁର୍ନିତିରୁ ଖସିବା ପାଇଁ ଏହି ଡିଲ୍ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି । ତେବେ ବିଜେଡିରେ ଦଳୀୟ କନ୍ଦଳ ମଧ୍ୟ କିଛି କମ୍ ନୁହେଁ । ଉଭୟ ବିଜେପି ଓ ବିଜେଡିରେ କର୍ମୀ ଅସନ୍ତୋଷ ଏକ ଜନଆନ୍ଦୋଳନରେ ପରିଣତ ହେବାକୁ ଯାଉଛି ବୋଲି ଏବେ ସାଧାରଣ ଜନତାଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି । ଏମାନଙ୍କ ଦଳୀୟ କନ୍ଦଳର ଫାଇଦା ତୃତୀୟ ପକ୍ଷ ନେବାର ସମ୍ଭାବନାକୁ ଏଡାଇ ହେବନାହିଁ ।

ବିଜେପି ଏବଂ ବିଜେଡିରେ ଦଳୀୟ କନ୍ଦଳ ଓ ଦଳୀୟ ପ୍ରାର୍ଥୀଙ୍କୁ ନେଇ ବିଦ୍ରୋହର ସ୍ୱର ଏତେମାତ୍ରାରେ ବଢ଼ିଲାଣି ରାଜ୍ୟ ରାଜନୀତିରେ ଦୁଇ ପ୍ରମୁଖ ଦଳଙ୍କୁ ମାତ୍ ଦେଇ ତୃତୀୟ ଶକ୍ତି ଉଭା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏପରି ସ୍ଥିତିରେ ରାଜନୈତିକ ଜଳବାୟୁ ବିଡେି ସୁ ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମୁକୁଟରେ ଅଳଙ୍କୃତ ନବୀନ ପଟ୍ଟନାୟକଙ୍କ ସହ ମୁକୁଟ ବିହୀନ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି । ଏମାନଙ୍କ ଲଢ଼େଇରେ କିଏ ବାଜି ମାରିବ ନା ଏମାନଙ୍କ ଲଢ଼େଇର ଫାଇଦା ଆଉ କେଉଁ ଦଳ ନେବ ତାହା ନିର୍ବାଚନ ଫଳାଫଳ ହିଁ କହିବ ।

error: Thank You Keep Visiting