ପିପିଲି ପିଡୀତାଙ୍କ ଘରୁ ବିଜୟ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ସମ୍ବିତ ଓ ଆଶ୍ରିତ ପଟ୍ଟନାୟକ
ପିପିଲି : ପିପିଲିର ପୁବାଶାସନ ପଞ୍ଚାୟତରୁ ପିପିଲି ବିଜେପିର ବିଜୟ ସଂକଳ୍ପ ଯାତ୍ରା ସୋମବାର ଶୁଭାରମ୍ଭ ହୋଇଛି। ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ର ଓ ପିପିଲି ବିଧାନସଭା ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏହି ବିଜୟ ସଂକଳ୍ପ ଯାତ୍ରାରେ ମୃତା ପିଡୀତାଙ୍କ ଘରକୁ ଯାଇ ସେଠାରେ ପଖାଳ ଖାଇଥିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ଡ଼ା ସମ୍ବିତ ପାତ୍ର ଓ ଆଶ୍ରିତ ପଟ୍ଟନାୟକ ଏକ ବିରାଟ ବାଇକ ଶୋଭାଯାତ୍ରାରେ ପୁବାଶାସନ, ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର ପଞ୍ଚାୟତ ପରିକ୍ରମା କରିବା ପରେ ପୋପରଙ୍ଗା ପଞ୍ଚାୟତକୁ ଯାଇଥିଲେ। ମଧ୍ୟାହ୍ନରେ ମୃତା ପିଡୀତାଙ୍କ ପରିବାରକୁ ଭେଟି ସମ୍ବିତ ଆଶ୍ୱାସନା ଦେଇଥିଲେ। ଉଭୟେ ସମ୍ବିତ ଓ ଆଶ୍ରିତ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଦଳ ଜିତିଲେ ନିଶ୍ଚିତ ଭାବେ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ପିଡୀତାଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ସମ୍ବିତ ଗଣମାଧ୍ୟମକୁ କହିଥିଲେ।
ଏହି ଘଟଣା ସମଗ୍ର ନାରୀ ଜାତିର ସୁରକ୍ଷାର ପ୍ରସଙ୍ଗ ହୋଇଥିବାରୁ ନ୍ୟାୟ ମିଳିବା ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ସମାଲୋଚନା କରିଥିଲେ। ଏହାପରେ ଉଭୟେ ଶୋଭାଯାତ୍ରାରେ ଜଗନ୍ନାଥପୁର ପଞ୍ଚାୟତ ପରିକ୍ରମା କରିବା ପରେ ପିପିଲି ବଜାରରେ ଶୋଭାଯାତ୍ରାରେ ଯାଇ ହାଟଛକ ଠାରେ ପଥପ୍ରାନ୍ତ ସଭାରେ ଭାଷଣ ଦେଇଥିଲେ।