ଚିଟ୍ ଫଣ୍ଡ ଚୋରଙ୍କୁ ସୁରକ୍ଷା ଦେଉଥିବା ନା ଚୌକିଦାର ସରକାର ଦରକାର: ନରେନ୍ଦ୍ର ମୋଦି

Straight to the Point

ଭୁବନେଶ୍ୱର/ଭବାନୀପାଟଣା: ଓଡିଶାରେ ଚିଟ୍ ଫଣ୍ଡ ଚୋରଙ୍କୁ ସୁରକ୍ଷା ଦେଉଥିବା ସରକାର ଦରକାର ନା ଚୌକିଦାର ସରକାର ଦରକାର? ଏବେ ଓଡିଶାରେ ପରିବର୍ତନର ସମୟ ଆସିଯାଇଛି । ବିକାଶର ଡବଲ ଇଞ୍ଜିନ ପାଇଁ ଆପଣଙ୍କୁ ଭୋଟ ଦେବାକୁ ପଡିବ ବୋଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଏଥର ଓଡିଶା ଏକ ଇତିହାସ ରଚନା କରିବାକୁ ଯାଉଛି । ଯାହା ୨୦୧୭ରେ ଉତରପ୍ରଦେଶ ଓ ୨୦୧୮ରେ ତ୍ରିପୁରାରେ ହୋଇଛି, ଏଥର ଓଡିଶାରେ ତାହା ହେବ । କେନ୍ଦ୍ର ସହ ଓଡିଶାରେ ଏଥର ବିଜେପି ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେଡିର ୧୯ ବର୍ଷ ଶାସନରେ ଖଣିମାଫିଆ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଲାଭ ମିଳିଛି । ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ । କଂଗ୍ରେସ ଏବଂ ବିଜେଡି ଗରିବଙ୍କୁ ଗରିବରୁ ଗରିବ ରଖିବାକୁ ଷଡଯନ୍ତ୍ର ରଚିଛନ୍ତି । ଗରିବଙ୍କୁ ସେମାନେ ଭୋଟବ୍ୟାଙ୍କ ଭାବନ୍ତି । ଫଳରେ ଅନେକ ଦାନା ମାଝୀଙ୍କୁ ଆମ୍ବୁଲାନ୍ସ ମିଳିନାହିଁ । ଅନେକ ଲୋକଙ୍କୁ ଘର ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଓଡିଶାର ବିକାଶରେ ବାଧା ପହଁଚିଛି । କଳାହାଣ୍ଡି ସହ କଂଗ୍ରେସର ପରିଚୟ ଯୋଡି ହୋଇଛିା ଓଡିଶାରେ ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି, ତାହାକୁ ଆମେ ୫ବର୍ଷରେ କରି ଦେଖାଇବୁ । ଓଡିଶାରେ ବିଜେପି ସରକାର ଆସିଲେ ଗରିବଙ୍କ ସ୍ଥିତିରେ ପରିବର୍ତନ ହେବ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦି କହିଛନ୍ତି ଯେ କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ଏହା ସତ୍ୱେ ମୋଦି ସରକାର ଓଡିଶାବାସୀଙ୍କ ପାଇଁ କାମ କରିଛି । ସେ କହିଛନ୍ତି କେନ୍ଦ୍ର ଧାନ ଓ କପାର ଏମଏସପି ବଢାଇ ଥିବାବେଳେ ଏଠାକାର ସରକାର ଠିକ୍ ଭାବେ ଏ ଗୁଡିକୁ ଗଣୁନାହିଁ । ଚାଷୀମାନେ ସଠିକ୍ ମୂଲ୍ୟରେ ଧାନ କିଣିପାରୁ ନାହାନ୍ତି । ଦେଶର କୋଟି କୋଟି ଚାଷୀଙ୍କୁ ସହାୟତା ମିଳୁଛି ମାତ୍ର ଓଡିଶାର ଚାଷୀ ସହାୟତା ପାଉନାହାନ୍ତି । ଆୟୁଷ୍ମାନ ଭାରତ ଭଳି ପିଏମ୍ କିଷାନ ଯୋଜନାକୁ ଅସହଯୋଗ କରୁଛି । ପିଏମ କିଷାନ ଯୋଜନାରେ ଓଡିଶା ସରକାର ପାଚେରୀ ହୋଇ ଛିଡା ହୋଇଛିା ବିଜେଡି ନେତା ମାନେ ଭାବୁଛନ୍ତି ସେମାନେ କିଛି ବି କରନ୍ତୁ ଜନତାମାନେ ଏହାର ହିସାବ ମାଗିବ ନାହିଁ । ତେବେ ଓଡିଶାର ଜନତା ୧୯ ବର୍ଷ ବିଜେଡି ସରକାର ଉପରେ ଭରସା କରିଥିବା ବେଳେ ନୂଆ ସୂର୍ଯ୍ୟୋଦୟ ଜରୁରୀ । ଓଡିଶା ଏବଂ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ୨୦୧୭ରେ ଉତରପ୍ରଦେଶ ଓ ୨୦୧୮ରେ ତ୍ରିପୁରା ପରି ଏଥର ଓଡିଶାର ହେବ ନିର୍ବାଚନ ଫଳ
 ଓଡିଶାରେ ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି, ତାହାକୁ ଆମେ ୫ ବର୍ଷରେ କରି ଦେଖାଇବୁ
 ବିଜେଡିର ୧୯ ବର୍ଷ ଶାସନରେ ଖଣିମାଫିଆ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଲାଭ ମିଳିଛି
 ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ । ସେଥିପାଇଁ ଆୟୁଷ୍ମାନ ଭାରତ ଓ ପିଏମ୍ କିଷାନ ପରି ଯୋଜନା ଲାଗୁ କରେଇ ଦେଉନାହିଁ
 ଗରିବଙ୍କ ହକକୁ ସୁରକ୍ଷା କରିବା ପାଇଁ ବିରୋଧୀଙ୍କ ଗାଳି ସହିବାକୁ ପ୍ରସ୍ତୁତ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଗତ ୫ ବର୍ଷରେ ୮ ଲକ୍ଷ ଗରିବ ପରିବାରକୁ ପକ୍କା ଘର ମିଳିଛି, ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ଓ ସ୍ୱାଧୀନତାର ୭୦ ବର୍ଷ ପରେ ମାଗଣାରେ ୩ ହଜାର ଗାଁରେ ମାଗଣା ବିଜୁଳି ପହଁଚିଛି, ୪୦ ଲକ୍ଷ ଗରିବ ମା’ ଭଉଣୀଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ମିଳିଛି, ପ୍ରାୟ ୧ କୋଟି ୪୦ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି, ୫୦ ଲକ୍ଷ ଶୌଚାଳୟ ମହିଳାଙ୍କ ଇଜ୍ଜତ ଘରସ୍ୱରୂପ ବନାଯାଇଛି ।ଏହା ମୋଦି ନୁହେଁ, ଏ ସବୁ କାମ ଲୋକଙ୍କ ଭୋଟରୁ ହୋଇଛି । ଲୋକମାନଙ୍କ ଭୋଟ କାରଣରୁ ହିନ୍ଦସ୍ଥାନରେ ଏକ ଉଜ୍ଜଳା ଆସିଛି । ଗରିବଙ୍କ ଭାଗ୍ୟରେ ପରିବର୍ତନ କରିଛି । ସମସ୍ତ ସଫଳତାର ଶ୍ରେୟ ହିନ୍ଦୁସ୍ତାନର ମତଦାତା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ୨୦୧୪ରେ ବିଜେପି ସରକାର ଓଡିଶାରେ ହୋଇଥିଲେ ଏ ସୁବିଧା ପହଁଚେଇବାର ଯେଉଁ କଷ୍ଟ ହେଉଛି ସେହି କାମ ଦ୍ରୁତ ଗତିରେ ହୋଇପାରିଥାନ୍ତା । କିନ୍ତୁ ରାଜ୍ୟ ସରକାର ଅଚଳ ହୋଇଯାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସର ୭୦ ବର୍ଷ ଶାସନରେ ଆଦିବାସୀ ମନ୍ତ୍ରାଳୟ ନଥିଲା । କିନ୍ତୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଗଠନ କରିଥିଲେ । ସେହିପରି ବିଜେପି ସରକାରରେ ଓଡିଶା ଏବଂ ଭାରତରେ ମତ୍ସ୍ୟଜୀବୀଙ୍କ ପାଇଁ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠିତ ହୋଇଛିା ଜଙ୍ଗଲ ଉତ୍ପାଦର ବିକ୍ରି ମୂଲ୍ୟ ଗଠନ କରାଯାଇଛି । ୫ ବର୍ଷ ପୂର୍ବରୁ ୧୦ଟି ବନଜାତ ଦ୍ରବ୍ୟରେ ଏମଏସପି ମିଳୁଥିଲା, ଯାହା ଏବେ ୫୦ ଛୁଇଁଛି । ବାଉଁଶ ନିୟମରେ ମଧ୍ୟ ପରିବର୍ତନ ହୋଇଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୧ଲକ୍ଷ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହୋଇଛି । ବିକାଶ ପାଇଁ ସମସ୍ତ କାର୍ଯ୍ୟ କରାଯାଉଛି । ଫଳରେ ଅନେକ ନକ୍ସଲ ଯୁବକ ସମାଜର ମୁଖ୍ୟଧାରାରେ ସାମିଲ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାରେ ରାଜୀବ ଗାନ୍ଧି ଏଠାକୁ ୧ ଟଙ୍କା ପଠାଇଲେ ୧୫ ପଇସା ପହଁଚୁଛି ବୋଲି କହିଥିଲେ । ଏହାକୁ କଂଗ୍ରେସ ନିଜେ ସ୍ୱୀକାର କରିଛି । କିନ୍ତୁ ଦଳ କିଛି କରିଲା ନାହିଁ । ଏମାନେ ରୋଗ ବିଷୟରେ କୁହନ୍ତି ହେଲେ ଔଷଧ ଦିଅନ୍ତି ନାହିାଁ ମାତ୍ର ମୋଦି ରୋଗ ଦେଖି କଡା ଔଷଧ ଦିଏ । ପୂର୍ବରୁ କଂଗ୍ରେସର ରିମୋର୍ଟ କଂଟ୍ରୋଲ ସରକାରରେ ସୁଧାର ଆସିଥିଲା । ରାଜୀବଙ୍କ ସମୟରେ ୧୫ ପଇସା ଆସିଥିଲା କିନ୍ତୁ ମନମୋହନ ସରକାରରେ ୧୬ ପଇସା ଆସିଲା କହି ଶ୍ରୀ ମୋଦି କଟାକ୍ଷ କରିଛନ୍ତି । ଗରିବଙ୍କ ଟଙ୍କା ଲୁଟିଥିବା ଦଳକୁ କ୍ଷମା ଦିଆଯାଇ ପାରିବ ନାହିଁ ।ବିଜେପି ସରକାରରେ ବର୍ତମାନ କେନ୍ଦ୍ର ଦିଲ୍ଲୀରୁ ୧୦୦ ପଇସା ପଠାଇଲେ ସବୁ ପଇସା ଗରିବଙ୍କ ପକେଟରେ ପହଁଚୁଛି ।

କେନ୍ଦ୍ର ସରକାର ୨୪ ଟଙ୍କାରେ କିଣୁଥିବା ଗହମ ଗରିବଙ୍କୁ ୨ ଟଙ୍କାରେ ମିଳେ । ଗରିବଙ୍କ ସୁବିଧା ପାଇଁ ଚାଉଳ ମଧ୍ୟ ୩୦ ଟଙ୍କାରେ କିଣି କେବଳ ୩ଟଙ୍କାରେ ସେମାନଙ୍କୁ ମିଳିଥାଏ । କିନ୍ତୁ ଏହାର ସୁଫଳ ଗରିବଙ୍କୁ ମିଳୁ ନଥିଲା । ଯାହା ଏବେ ଦୂର ହୋଇଛି । ୮ କୋଟି ଏପରି ଦଲାଲୀ ଲୋକଙ୍କୁ ସନ୍ଧାନ କରାଯାଇଛି, ଯେଉଁମାନେ ଗରିବଙ୍କୁ ଲୁଟ କରି ସେହି ଟଙ୍କାକୁ କଳାଧନରେ ପରିଣତ କରୁଥିଲୋ ବିଜେପି ଜାଲ ହିତାଧିକାରୀଙ୍କୁ ବାହାର କରିବା ସହ ଏହା ଉପରେ ରୋକ ଲଗାଇଛି । କିନ୍ତୁ ଗରିବଙ୍କୁ ଲୁଟିଥିବା ବିରୋଧୀ ଚୌକିଦାର ହଟାଅ ଏବଂ ମୋଦୀ ହଟାଅ କହୁଛନ୍ତି । ଗରିବଙ୍କ ହକକୁ ରକ୍ଷା କରିବା ପାଇଁ ଏହି ଗାଳି ମୋ ପାଇଁ ଗହଣା ସଦୃଶ ବୋଲି ମୋଦି କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ ସଭାପତି ଓ ମୁଖପାତ୍ର ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ତଥା ଦଳୀୟ ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡା, ବରିଷ୍ଠ ନେତା ଡ.ଦାମୋଦର ରାଉତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତାରାଣୀ ସାହୁ, ସମସ୍ତ ବିଧାନସଭା ପ୍ରାର୍ଥୀ, ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting