ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ
ନୂଆଦିଲ୍ଲୀ: ଆଜି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ଗ୍ରହଣ ହେବ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ୍, ନାଗାଲ୍ୟାଣ୍ଡ, ସିକ୍କିମ୍, ଆଣ୍ଡାମାନ୍ ଓ ନିକୋବର ଦ୍ୱିପପୁଞ୍ଜ, ଲାକ୍ଷାଦ୍ୱୀପ, ତେଲଙ୍ଗାନା ଓ ଉତ୍ତରାଖଣ୍ଡର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହେବ। ଏଥିସହିତ ଆସାମ, ବିହାର, ଛତିଶଗଡ଼, ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ତ୍ରିପୁରା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେବ।

ଆସାମରେ ସୁଚାରୁରୂପେ ମତଦାନ କାର୍ଯ୍ୟ ସମ୍ପନ୍ନ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆସାମର ଲକ୍ଷ୍ମୀପୁର, ତେଜ୍ପୁର, କାଳିଆବୋର୍, ଦିବ୍ରୁଗଡ଼ ଓ ଜୋର୍ହାଟ୍ ନିର୍ବାଚନ ମଣ୍ଡଳୀରେ ଭୋଟ୍ ନିଆଯିବ। ଉତ୍ତର ପ୍ରଦେଶରେ ନିର୍ବାଚନପାଇଁ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିର୍ବାଚନ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି।

ଉତ୍ତର ପ୍ରଦେଶର ଗାଜିଆବାଦ, ଗୌତମବୁଦ୍ଧ ନଗର, ବାଘ୍ପତ୍, ଶହାରଳନ୍ପୁର, ମେରଠ, ମୁଜାଫରନଗର, ବିଜ୍ନୋର୍ ଓ କଇରାନା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହେଉଛି। ବିହାରର ଔରଙ୍ଗାବାଦ, ଗୟା, ନାୱାଡ଼ା ଓ ଜାମୁଇ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି।

ଏହି ପର୍ଯ୍ୟାୟରେ ସେହି ଆସନଗୁଡ଼ିକରେ ୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୱାଡ଼ା ବିଧାନସଭା ଆସନପାଇଁ ଉପନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ହେବ। ଜମ୍ମୁ-କାଶ୍ମୀରରେ ଜମ୍ମୁ ଓ ବାରମୁଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଭୋଟ୍ଗ୍ରହଣ ହେବ। ନାଗାଲ୍ୟାଣ୍ଡର ଏକମାତ୍ର ଲୋକସଭା ଆସନରେ ଆଜି ମତଦାନ।