କେନ୍ଦ୍ରାପଡ଼ାବାସୀଙ୍କୁ ପୁଣି ଠକିବା ପାଇଁ ଡବଲ-ବି ଚକ୍ରାନ୍ତ କରୁଛନ୍ତି : ବିଜେଡି

Straight to the Point

ଭୁବନେଶ୍ୱର: କେନ୍ଦ୍ରପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନ ସତ୍ୟପାଠରେ କିଭଳି ତାହାକୁ ଲୁଚାଇଥିଲେ । ଏଥର ପୁଣି ସେହି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଥିବା ବେଳେ ଏଭଳି ଠକାମୀ ଉପରେ ବିଜେପି ନିରବ ରହିବା କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା ଓ ବିଶ୍ୱାସଘାତକତା ବୋଲି ବିଜେଡ଼ି କହିଛି । କେନ୍ଦ୍ରାପଡ଼ାବାସୀ ପୂର୍ବରୁ ଡବଲ ଇଞ୍ଜିନ୍ ନାଁ ଶୁଣିଥିଲେ । ଏବେ ଡବଲ୍-ବି ବା ବୈଜୟନ୍ତ ଏବଂ ବିଜେପି ମିଳିତ ଭାବେ ସେମାନଙ୍କୁ ଠକିବାକୁ ଯୋଜନା କରିଥିବା ବିଜେଡ଼ି ଅଭିଯୋଗ କରିଛି ।
ବିଜେପି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବେଳେ ବିଜେପି ଏହା ଉପରେ ଖାଲି ଚୁପ୍ ନାହିଁ ବରଂ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀ କରିଛି । ଉଭୟ ବୈଜୟନ୍ତ ଓ ବିଜେପି କେନ୍ଦ୍ରାପଡ଼ାବାସୀଙ୍କୁ ଚିଟିଂ କରିବାକୁ ଚାହିଁଛନ୍ତି । ବିଜେପି ନେତାମାନେ ବୈଜୟନ୍ତଙ୍କ ଠକେଇ ପ୍ରସଙ୍ଗରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରିବା ଏବଂ ସେମାନଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କର ପାଟି ନ ଖୋଲିବା ପଛରେ ଗୋଟେ ବଡ଼ କାରଣ ରହିଛି ବୋଲି ଡ. ସସ୍ମିତ୍ ପାତ୍ର କହିଛନ୍ତି । ଧର୍ମେନ୍ଦ୍ର ଜାଣିଛନ୍ତି, ବୈଜୟନ୍ତଙ୍କ ଚିଟିଂ ସଂକ୍ରାନ୍ତରେ ମୁହଁ ଖୋଲିଲେ ତାଙ୍କ ନିଜର ଅପରାଧ ଲିଙ୍କ୍ ଘାଟାରେ ପଡ଼ିଯିବ । ଗ୍ୟାଙ୍ଗଷ୍ଟର୍ ଟିଟୋ ଏବଂ ଡି-ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର ଗୁମର ପଦାକୁ ଚାଲିଆସିବ । ତେଣୁ ଧର୍ମେନ୍ଦ୍ର ଏବଂ ତାଙ୍କ ବିଜେପି ଚୁପ ରହି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତଙ୍କ ଠକେଇକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି । ଉଭୟପକ୍ଷର ସ୍ୱାର୍ଥ ପାଇଁ କେନ୍ଦ୍ରାପଡ଼ାବାସୀଙ୍କୁ ଶିକାର କରିବାର ଯୋଜନା କରାଯାଇଛି । କେନ୍ଦ୍ରାପଡ଼ାବାସୀ ଏହାକୁ ଭଲଭାବରେ ଅନୁଭବ କରିବାର ବେଳ ଆସିଛି ।
୨୦୧୮ ମସିହାରେ କେନ୍ଦ୍ରାପଡ଼ାବାସୀ ଏହାକୁ ଅନୁଭବ କରି ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ବିରୋଧରେ କୋର୍ଟରେ କେସ୍ କରିଥିଲେ । ଆଉ ଥରେ ଠକାମୀର ଶିକାର ହେବାକୁ ସେମାନେ ଡବଲ-ବି(ବୈଜୟନ୍ତ-ବିଜେପି)କୁ ସୁଯୋଗ ଦେବେ ନାହିଁ ବୋଲି ଡ. ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ ଉପସ୍ଥିତ ଥିଲେ ।

error: Thank You Keep Visiting