ଶେଷହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ; ୬ରୁ ଖାତାଦେଖା

Straight to the Point

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ଜୁଲାଇ ୬ତାରିଖରୁ ମୋଟ ୧୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବ। ଖାତାଦେଖା ପାଇଁ ୨୧୭୯ ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ମୋଟ ୬୯ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ ହୋଇଛନ୍ତି। ପରୀକ୍ଷକମାନେ ନିଜ ହାଇସ୍କୁଲରୁ ରିଲିଭ ହୋଇ ଜୁଲାଇ ୫ ତାରିଖ ପୂର୍ବାହ୍ନ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ। ଜିଲା ଶିକ୍ଷାଧିକାରୀ ସେହିଦିନ ଅପରାହ୍ନ ୩ଟାରେ ପରୀକ୍ଷକଙ୍କ ସଂଖ୍ୟା ପରଖିବେ। ନିଯୁକ୍ତ ହୋଇଥିବା ପରୀକ୍ଷକଙ୍କ ମଧ୍ୟରୁ ଯେତିକି ସଂଖ୍ୟକ ପରୀକ୍ଷକ ଅନୁପସ୍ଥିତ ଥିବେ ସେତିକି ସଂଖ୍ୟକ ନୂତନ ପରୀକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ ତୁରନ୍ତ ନିଯୁକ୍ତ କରିବେ। କଟକ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଗଞ୍ଜାମ, ସମ୍ବଲପୁର ଓ କୋରାପୁଟ ଜିଲା ଶିକ୍ଷାଧିକାରୀମାନେ ପରୀକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଉକ୍ତ ନିଯୁକ୍ତିପତ୍ର ବୋର୍ଡ ୱେବସାଇଟ୍‍ ରେ ଶୁକ୍ରବାରଠାରୁ ଉପଲବ୍ଧ କରାଯାଇଛି। ଜୁନ ୨୨ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ପାଇଁ ମୋଟ ୨୬,୬୪୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ସମଗ୍ର ରାଜ୍ୟରେ ୧୦୦ଟି ପରୀକ୍ଷା କେନ୍ଦ୍ର ହୋଇଥିଲା।

error: Thank You Keep Visiting