ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ସୋର: ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛି ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପାରମହଲା ସାହିରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ବେବି ଖାତୁନ୍। ବେବିଙ୍କ ସ୍ୱାମୀ ଶେଖ୍ ମଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ୮ ମାସ ତଳେ ମଣ୍ଟୁ ଓ ବେବିଙ୍କ ବାହାଘର ହୋଇଥିଲା। କୌଣସି ପାରିବାରିକ କଥାକୁ ନେଇ ଆଜି ସକାଳେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ସମୟରେ ମଣ୍ଟୁ ରାଗି ଯାଇ ଏକ ଛୁରୀରେ ବେବିଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ମଣ୍ଟୁ ମଧ୍ୟ ଛୁରୀରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।