ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ୬ଟି ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଲେ ବିଭାଗର ବରିଷ୍ଠ ଅଧିକାରୀ

Straight to the Point

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଛନ୍ତି । ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା । ଗାଁରେ ଥିବା ଆଶାକର୍ମୀଙ୍କ ସହିତ ଆଲୋଚନା କରି ଔଷଧ ବିତରଣ ଓ ପରିମଳ ସଂକ୍ରାନ୍ତରେ ଅନୁଧ୍ୟାନ ସହିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟସେବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହିତ ଯେଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପିବ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ଲୋକଙ୍କୁ ବିଶୁଦ୍ଧ ଜଳଯୋଗାଣ ସହିତ ଗାଁ ପରିମଳ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଗାଁ କଲ୍ୟାଣ ସମିତି ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତଳ ସ୍ତରରେ କାର୍ଯ୍ୟ କିଭଳି ଚାଲିଛି ତାହାର ତଦାରଖ ଳାଗି ଆଜି ଖୋଦ୍ ଶାସନ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଅଛନ୍ତି । ଶ୍ରୀମତୀ ପଣ୍ଡିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ଜଳ ବିଶୋଧନ କରୁଥିବା ହାଲୋଜେନ୍ ବଟିକା, ଓଆର୍ଏସ୍ ପ୍ୟାକେଟ୍ ସହିତ ଜିଙ୍କ ଓ କ୍ଲୋରିନ ବଟିକା ଆଦି ବଂଟନ କରିଛନ୍ତି ।
ସେହିପରି ବ୍ରହ୍ମଗିରିକୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମାନସ ପାଢ଼ୀ ଓ ଉପ ସଚିବା ରାଜେଶ ଅଗ୍ରୱାଲ, ସତ୍ୟବାଦୀ ବ୍ଲକ୍କୁ ବିଭାଗର ଯୁଗ୍ମ ସଚିବ ୟାମିନୀ ଷଡ଼ଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକକୁ ଉପ ସଚିବ ଜସ୍ମିନ ପଟ୍ଟନାୟକ ଓ ସ୍ୱତନ୍ତ୍ର ସଚିବ ଶରତ ମିଶ୍ର ଏବଂ ଗୋପ ବ୍ଲକକୁ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପ ସଚିବ ମମତା ବାରିକ ଯାଇଛନ୍ତି । ବିଭିନ୍ନ ବ୍ଲକରେ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ ପାଇଁ ଯାଇଥିବାବେଳେ ଡାକ୍ତରୀଦଳ ମଧ୍ୟ ଯାଇଛନ୍ତି । ଏହି ଟିମ୍ କ୍ଷେତ୍ରସ୍ଥଳକୁ ଯାଇ ବାତ୍ୟା ପରବର୍ତୀ ସ୍ଥିତିରେ ଲୋକେ କିଭଳି ସ୍ୱାସ୍ଥ୍ୟସେବା ପାଉଛନ୍ତି ତାହାର ଅନୁଧ୍ୟାନ କରିଛନ୍ତି । ବିଶେଷକରି ବାତ୍ୟାପରେ ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତୀଙ୍କୁ ଆବଶ୍ୟକ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ସତର୍କତା କିଭଳି କାର୍ଯ୍ୟକାରୀ ହେଉଛି ତାହା ଲୋକଙ୍କ ଠାରୁ ବୁଝିଛନ୍ତି । ସେହିଭଳି ବାତ୍ୟା ପରବର୍ତୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ କିଭଳି ସଚେତନ କରାଯାଉଛି ତାହାର ସ୍ଥିତି ମଧ୍ୟ ପରଖିଛନ୍ତି ।
ବାତ୍ୟାଂଚଳରେ ୨୯ଲକ୍ଷ ଓଆରଏସ ପ୍ୟାକେଟ୍ ଓ ୨୪ଲକ୍ଷ ହାଲୋଜେନ ବଟିକା ବଂଟନ ଲାଗି ଯୋଗାଇ ଦିଆଯାଇଛି । ସେଗୁଡ଼ିକ ଲୋକଙ୍କ ନିକଟରେ କିଭଳି ଭାବେ ପହଂଚିଛି ଖୋଦ୍ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଜି ତାହା ଦେଖିଥିଲେ । ସେହିଭଳି ବାତ୍ୟାରେ ୧୦୩୨ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିରୁ ତିନିଶହରୁ ଅଧିକ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ବ୍ୟବହାର ଉପଯୋଗ କରାଯାଇ ପାରିଛି । ବାତ୍ୟ ପ୍ରପୀଡ଼ିତଙ୍କ ପାଇଁ ୭୦୩ଟି ମେଡ଼ିକାଲ୍ ରିଲିଫ ସେଂଟ(ଏମଆରସି) ଖୋଲା ଯାଇଥିବାବେଳେ ୧୦ହଜାରରୁ ଅଧିକ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ସେହିଭଳି କ୍ଷତିଗ୍ରସ୍ତ ଅଂଚଳରେ ୧୮୪ଟି ମେଡ଼ିକାଲ ଟିମ୍ ମୁତୟନ ହୋଇଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଆଉ ୨୦ଜଣ ଡାକ୍ତର ଓ ୨୦୦ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଣାଯାଇଛି ।

error: Thank You Keep Visiting