ଜୁନ୍ ୪ ରେ କେରଳ ଛୁଇଁବ ମୌସୁମୀ, ସ୍ୱାଭାବିକଠାରୁ କମ୍ ବର୍ଷା ସମ୍ଭାବନା

Straight to the Point

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍ ୪ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ତେବେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ କମ୍ ବର୍ଷିବ । ସଂସ୍ଥା ପକ୍ଷରୁ ଜାରି ମୌସୁମୀ ରିପୋର୍ଟରେ କୁହାଯାଇଛି ଯେ ଏଥର ସ୍ୱାଭାବିକଠାରୁ ୭ ପ୍ରତିଶତ କମ ବୃଷ୍ଟିପାତ ହେବ । ଅର୍ଥାତ ବୃଷ୍ଟିପାତ ପରିମାଣ ୯୩ ପ୍ରତିଶତ ରହିବ ।
ସ୍କାଏମେଟ୍ ଜାରି କରିଥିବା ତଥ୍ୟ ଅନୁଯାୟୀ ଆସନ୍ତା ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିବ । ଏହା ଗୋଟିଏ କିମ୍ବା ଦୁଇ ଦିନ ଆଗ ପଛ ହୋଇପାରେ । ତା’ହେଲେ ଜୁନ୍ ୪ ବେଳକୁ ଏହା କେରଳରେ ପ୍ରବେଶ କରିବ । ଏହାପୂର୍ବରୁ କେରଳରେ ପ୍ରାକ୍ ମୌସୁମୀ ବର୍ଷା ହେବ । ପୂର୍ବରୁ ଜୁନ୍ ୧ ବେଳକୁ ମୌସୁମୀ କେରଳରେ ପ୍ରବେଶ କରୁଥିଲା ଏବଂ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସମଗ୍ର ଦେଶରେ ନିଜର ଉପସ୍ଥିତି ଜାହିର କରୁଥିଲା । କିନ୍ତୁ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ସଂସ୍ଥା ଆକଳନ କରିଛି ।
ସେହିପରି ଯଦି ମୌସୁମୀ ଜୁନ୍ ୪ରେ କେରଳ ଛୁଏଁ, ତେବେ ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଏହା ଓଡ଼ିଶାରେ ପ୍ରବେଶ କରିବ । ପୂର୍ବରୁ ସ୍କାଏମେଟ୍ ମୌସୁମୀ ଜୁନ୍ ୧୦ରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଥିଲା । ସେହିପରି ଦିଲ୍ଲୀରେ ମୌସୁମୀ ଜୁନ୍ ୨୯ରେ ପ୍ରବେଶ କରିବ ବୋଲି ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

error: Thank You Keep Visiting