ବେଆଇନ ଭାବେ ୩୪ ବୁଥରେ ସାନି ମତଦାନ ଘୋଷଣା କାହା ସ୍ୱାର୍ଥରେ?: ବିଜେପି

Straight to the Point

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ସାମ୍ବାଦିକ ସମ୍ମିଳନି କରି ଆସନ୍ତା ୧୯ ତାରିଖରେ ୩୪ଟି ବୁଥ୍ରେ ସାନି ମତଦାନ ହେବ ବୋଲି ଘୋଷଣା କରିଛନ୍ତି । ହେଲେ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଆୟୋଗ ଏହି ଘଟଣାରେ ଏର୍ପଯ୍ୟନ୍ତ କୌଣସି ନିଷ୍ପତି ନେଇନାହାନ୍ତି । କାହା ସ୍ୱାର୍ଥରେ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ବିନା ଅନୁମତିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଏହି ୩୪ଟି ବୁଥରେ ବେଆଇନ ଭାବେ ସାନି ମତଦାନ କରିବା ପାଇଁ ଯାଉଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି ।
ଯେଉଁ ବୁଥରେ ବିଜେପି ଭଲ କରିବାର ଥିଲା ଶାସକ ବିଜେଡି ସେହିଭଳି ୬୪ଟି ବୁଥ୍ରେ ରିଗିଂ ଏବଂ କ୍ୟାପଚରିଂ କରିଛି । ଏହି ସମସ୍ତ ବୁଥରେ ଆଉ ଥରେ ମତଦାନ କରାଇବା ଦାବିରେ ସମସ୍ତ ତଥ୍ୟ ପ୍ରମାଣ ସହ ପୂର୍ବରୁ ବିଜେପି ପକ୍ଷ୍ୟରୁ ଦାବି କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରି କରାଯାଇ ନାହିଁ । ସାନି ମତଦାନ ହେବାକୁ ଘୋଷଣା ହୋଇଥିବା ୩୪ଟି ବୁଥରେ ସାନି ମତଦାନ କରିବା ପାଇଁ କୌଣସି ରାଜନୈତିକ ଦଳମାନେ ଦାବି କରିନାହାନ୍ତି । କେହି ଦାବି କରିନଥିଲା ବେଳେ ବେଆଇନ ଭାବେ ବିନା କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କର ଅନୁମତି ବିନା କିପରି ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ନିର୍ବାଚନ କରିବା ପାଇଁ ନିଷ୍ପତି ନେଲେ ? ଏହା ବିରୋଧରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏପରିକି ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ୩୪ଟି ବୁଥରେ ସାନି ମତଦାନ ହେବ ବୋଲି ଘୋଷଣା କଲା ପରେ ବିଜେଡି ଦଳର ଗୁଣ୍ଡା ମାନେ ବର୍ତମାନ ଏହି ଅଂଚଳମାନଙ୍କରେ ଟଙ୍କା ଓ ବାହୁବଳରେ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଦଳ ଭୋଟ ପାଇଁ ଭୋଟରମାନଙ୍କୁ ଆତଙ୍କିତ କରିବ । ସେଥିପାଇଁ ଏହି ବୁଥ୍ଗୁଡିକରେ ସୁରକ୍ଷା ଦେବା ପାଇଁ ସିସିଟିଭି ମାଧ୍ୟମରେ ବୁଥ ଉପରେ କଡା ନଜର ରଖିବା ସହ ସଶସ୍ତ୍ର ବଳକୁ ମୁତୟନ ଏବଂ ସୂକ୍ଷ୍ମ ନଜର ରଖୁଥିବା ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଉ । ସାନି ମତଦାନର ଦୁଇ ଦିନ ପୂର୍ବରୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ସୁରକ୍ଷା ଯୋଗାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।
ଏହି ପ୍ରତିନିଧି ଦଳରେ କଟକ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଭଟିଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting