‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ଭଳ

Straight to the Point

କେନ୍ଦ୍ରାପଡା : ଫନି ମାଡରେ ଧ୍ୱସ୍ତ ବିଧ୍ୱସ୍ତ କେନ୍ଦ୍ରାପଡା ଜିଲ୍ଲା । ଫନି ଗ୍ରାସ କରିଛି ଗାଁ ଗଣ୍ଡା ସହର ବଜାର ସବୁ କିଛି । ଫନିର କବଳରେ ଚାଷ ବାସ ସବୁ କିଛି କବଳିତ ଓ ଧ୍ୱସଂ । ତେବେ ୧୯୯୯ ମସିହା ମହାବାତ୍ୟା ଏବଂ ପରେ ପରେ ହୁଡହୁଡ, ଫାଇଲିନ୍ ଓ ତିତ୍ଲି ପ୍ରଭୃତି ଛୋଟବଡ ଝଡକୁ ସାମନା କରିଥିବା କେନ୍ଦ୍ରାପଡାର ଲୋକେ ନିଜ ସଚେତନତା ଯୋଗୁଁ ଅନେକ ମାତ୍ରାରେ ସୁରକ୍ଷିତ ରହିବାରେ ସଫଳ ହୋଇଛନ୍ତି । ଜୀବନ ସିନା ଫନି କବଳରୁ ରକ୍ଷା ପାଇ ଯାଇଛି କିନ୍ତୁ ଫନି ଛଡେଇ ନେଇଛି ସେମାନଙ୍କର ଜୀବନଜୀବିକା । ଶହଶହ ହେକ୍ଟର ରବି ଫସଲ ଏବଂ ପନି ପରିବା କ୍ଷେତ ଉଜୁଡି ଯାଇଛି । ନିଜ କ୍ଷେତରେ ସୁନାର ଫସଲ ଫଳେଇଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସି ରହିଛି । ଉପକୂଳ ଜିଲ୍ଲା ଭାବରେ କେନ୍ଦ୍ରାପଡା ପ୍ରତିବର୍ଷ ବାତ୍ୟା ବନ୍ୟା ପରି ପ୍ରାକୃତିକ ଦୁର୍ବିପାକର ସାମନା କରୁଛି । ବିଗତ କିଛି ବର୍ଷର ଇତିହାସକୁ ପର୍ଯ୍ୟାଲୋଚନା କଲେ ଯାହା ଜଣା ପଡେ ଯେ ବାତ୍ୟା କେନ୍ଦ୍ରାପଡା ଜିଲ୍ଳାର ପ୍ରଭୁତ କ୍ଷତି ଘଟାଇଛି । କେନ୍ଦ୍ରାପଡା ଏକ ବାତ୍ୟା ପ୍ରବଣ ଅଂଚଳ ଭାବେ ଏବେ ସାରା ବିଶ୍ୱରେ ପରିଚିତ ଳାଭ କରିଛି । ତେବେ ଚଳିତ ବାତ୍ୟା ଫନି କେନ୍ଦ୍ରାପଡାକୁ ପ୍ରାୟ ୨୦ ବର୍ଷ ପଛକୁ ନେଇ ଯାଇଛି କହିଲେ ଅତ୍ୟୁକ୍ତି ହେବନି । ମେ ମାସ ୩ ତାରିଖରେ ପ୍ରାୟ ୭ ଘଂଟା ଧରି ଫନିର ତାଣ୍ଡବ ଦେଖିଥିଲା କେନ୍ଦ୍ରାପଡା । ଏଥିପାଇଁ ପୂର୍ବରୁ ସରକାର ସତର୍କ କରାଇଥିଲେ । ସମୁଦ୍ର କୂଳିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯ।।ଇଥିଲା । ଗାଈ ଗୋରୁ ଛେଳି ମେଣ୍ଢା ଗୃହପାଳିତ ପଶୁ ପ୍ରଭୃତିଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶାସନ ବେଶ୍ ଯତ୍ନବାନ ହୋଇଥିଲେ । ପ୍ରାଶାସନିକ ସହାୟତା ଓ ସାଧରଣ ଜନତାଙ୍କ ସଚେତନତା ଜୀବନ କ୍ଷୟକ୍ଷତିକୁ ଅନେକ ପରିମାଣରେ ରୋକି ପାରିଥିଲେ ବି ଜୀବନ ସିନା ରକ୍ଷା ପାଇଗଲା କିନ୍ତୁ ଧନ ରକ୍ଷା କରି ପାରିଲେନି କେନ୍ଦ୍ରାପଡାର ଲୋକମାନେ । କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର ଅସଲ ଧନ କୁହାଯାଉଥିବା ଚାଷ ଏହି ବାତ୍ୟାରେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ବାତ୍ୟାରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ରବି ଫସଲ । ଜିଲ୍ଲାର ଶହଶହ ଏକର ଜାଷ ଜମିରେ ମୁଗ ବିରି ପ୍ରଭୃତି ବାତ୍ୟା ପବନରେ ଫାଟି ବିଲରେ ପଡିଛିି । ଏମିତିକି ବିଲରେ ହିଁ ଗଜା ହୋଇ ଯାଇଛି ରବି ଫସଲ । ଫସଲ ଅମଳ କରି ଘରକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ଚାଷୀ ଆଖିରୁ ଏବେ ଲୁହ ସୁଖୁନି । ଏ ତ ଗଲା ରବି ଫସଲର ଚିତ୍ର । ଜିଲ୍ଲାରେ ପନିପରିବା ଚାଷ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ଆଳି, ପଟାମୁଣ୍ଡାଇ, ରାଜନଗର, ମହାକଳପଡା, କେନ୍ଦ୍ରାପଡା, ଡେରାବିଶ, ମାର୍ଶାଘାଇ, ପାଟକୁରା ପ୍ରଭୃତି ଅଂଚଳରେ ହୋଇଥିବା ଖରାଦିନିଆ ଫସଲ ବାତ୍ୟାମାଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବଗଡା, ତୁଣୁପୁର ଅଂଚଳରେ ଲୁଣାନଦୀ ପଠାରେ ହୋଇଥିବା ବିଭିନ୍ନ ପ୍ରକାର ଖରାଦିନିଆ ପରିବା ଉଜୁଡି ଯାଇଛି । ଫଳରେ ବାତ୍ୟା ପରବର୍ତୀ ଅବସ୍ଥାରେ ଜିଲ୍ଲାରେ ସବୁଜ ପରିବା ଦର ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି । ସେହି ଭଳି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ପ୍ରାୟ ଶତାଧିକ ଏକର ମୁଗ ଓ ବିରି ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଡେରାବିଶ ବ୍ଲକ୍ ତିଲଙ୍ଗ ଗ୍ରାମରେ ଥିବା ପାନଚାଷୀମାନେ ମଧ୍ୟ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଏହି ଗାଁରେ ପ୍ରାୟ ୫ ଏକରରୁ ଅଧିକ ପାନ ବରଜ ମାଟିରେ ଲୋଟୁଛି । ଜିଲ୍ଲା କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ଜିଲ୍ଲାରେ ପ୍ରାୟ ୩ ଶହ ୭୦ ହେକ୍ଟର ଦାଳୁଅ ଧାନ, ୨୧ ଶହ ୬୧ ଏକର ଖରାଦିନିଆ ପରିବା, ୧୦୨ ପଏଂଟ ପାନ, ୨୯ ଶହ ୩୧ ହେକ୍ଟର ମୁଗ ଚାଷ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଚଳିତ ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜିଲ୍ଲାର ବନ ସବୁଜୀମା । ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ବଡବଡ ଗଛ ବାତ୍ୟା ମାଡରେ ଉପୁଡି ପଡିଛି । ଯାହାକି ଜିଲ୍ଲାର ସବୁଜୀମାକୁ ପ୍ରାୟ ୨୦ ବର୍ଷ ପଛକୁ ନେଇ ଯାଇଛି । ତେବେ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ ଚାଲିଛି । ଖୁବ୍ ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ମିତ୍ରୋଦୟ ଦାସ ସୂଚନା ଦେଇଛନ୍ତି ।

error: Thank You Keep Visiting