ରାଜ୍ୟ ସଂଗ୍ରହାଳୟରେ କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ

Straight to the Point

ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଘୂର୍ଣ୍ଣିବାତ୍ୟା “ଫୋନି’ ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ ଯାଇ ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଗୃହ, ଗ୍ୟାଲେରୀ ଓ ଅଂଚଳ ପରିଦର୍ଶନ କରିଥିଲେ ।
ସଂଗ୍ରହାଳୟ ପରିସରରେ ବ୍ୟାପକ ଭାବରେ ଗଛବୃଚ୍ଛ ଭାଙ୍ଗିବା ସହିତ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଯାଇଛି । ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗିଯାଇଛି । ମୁଦ୍ରା ବିଭାଗ ଗ୍ୟାଲେରୀର ଛାତ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟରେ ଲାଗିଥିବା ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ପ୍ରାୟ ୩୦ଟି ନଷ୍ଟ ହୋଇଯାଇଛି । ତୁରନ୍ତ ବିଭିନ୍ନ ପୁନଃନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ ସରବରାହ ତଥା ପାନୀୟ ଜଳଯୋଗାଣକୁ ସୁସଂହତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗୀୟ ପଦାଧିକାରୀମାନଙ୍କ ସହ କଥାବାର୍ତା କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସଂଗ୍ରହାଳୟର ପ୍ରାୟ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି । ତେବେ ତୁରନ୍ତ ମରାମତି କାର୍ଯ୍ୟ ଏବଂ କ୍ଷତିଗ୍ରସ୍ତ ବାତାନୁକୂଳ ଯନ୍ତ୍ରଗୁଡ଼ିକୁ ସଚଳ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ବନ୍ଦ ରଖିବାକୁ ମନ୍ତ୍ରୀ କହିଥିଲେ । ସେଥିପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହୋଇପାରେ ବୋଲି କୁହାଯାଇଛି ।
ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥଙ୍କ ସମେତ କର୍ମ·ରୀ ଏବଂ କ୍ୟୁରେଟରମାନେ ଉପସ୍ଥିତ ଥିଲେ ।

error: Thank You Keep Visiting