ବାତ୍ୟା ଫଣିରେ ଉଡିଗଲା ଭଦ୍ରକ ମଦ ମୃତ୍ୟୁ ବିଭୀଷିକା; ପ୍ରକୃତ ଦୋଷୀ ଚିହ୍ନଟ ହେଲେନି କି କାର୍ଯ୍ୟାନୁଷ୍ଠାନ ନାହିଁ!

Straight to the Point

ଭଦ୍ରକ: ଏପ୍ରିଲ ୩୦ ତାରିଖରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମଦମୃତ୍ୟୁର ବିଭୀଷିକା ସୃଷ୍ଟି ହୋଇଥିଲା । ପୀରହାଟ-ଚାନ୍ଦବାଲି ଅଂଚଳର ୧୧ଜଣଙ୍କ ଜୀବନ ହାନି ହେଲା । ବିଷାକ୍ତ ମଦ ୧୧ ପରିବାରକୁ ବେସାହାରା କରିଦେଲା । ଏଥିପାଇଁ କିଏ ଦାୟୀ ତାହା ସ୍ପଷ୍ଟ ହେଲା ନାହିଁ । କୋ÷ଣସି ବିଭାଗକୁ ଉତ୍ତରଦାୟୀ କରାଗଲା ନାହିଁ କି କେହି ଜଣେ ହେଲେ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ମଦମୃତ୍ୟୁର ବିଭୀଷିକା ବାତ୍ୟା ‘ଫାନୀ’ରେ ଉଡିଗଲା । ପ୍ରଶାସନ ଫାନୀରେ ମାତିବା ପରେ ଏବେ ମୁଣ୍ଡ ଉପରେ ନିର୍ବାଚନୀ ଭୋଟ ଗଣତି । ଯାହା ପାଇଁ ମଦମୃତ୍ୟୁ ପ୍ରସଙ୍ଗ ଧିରେ ଧିରେ ଶିଥିଳ ହୋଇ ଯାଉଛି । ବିଜେପି ଟିକିଏ ଟିକିଏ ଉଖୁରାଉଥିବା ବେଳେ ଅସଲ କାର୍ପଟଦାର କିଏ ସେ ନେଇ ପୁଲିସର ତନାଘନା ନାହିଁ । ଅସଲମାନେ ଖସିଯାଉଥିବା ବେଳେ ସାଧାରଣ ଲୋକଙ୍କୁ ବାନ୍ଧି ପୁଲିସ ବାହାବା ନେଉଛି । ଏ ପର୍ଯ୍ୟନ୍ତ ମଦମୃତ୍ୟୁର ୧୫ଦିନ ପରେ ବି ସରକାର ଓ ପ୍ରଶାସନ ଏହି ମାମଲାରେ ନିଜଆଡୁ କିଛି ସ୍ପଷ୍ଟିକରଣ ଦେଇ ନାହାନ୍ତି । ୩୦ ତାରିଖରେ ମଦମୃତ୍ୟୁ ସାମନାକୁ ଆସିଲା । ଗଣମାଧ୍ୟମ ଓ ଟିଭି ଚାନେଲରେ ଖବର ପ୍ରସାରଣ ପରେ ରାଜ୍ୟ ଅବକାରୀ ବିଭାଗର ଅତିରିକ୍ତ ସଚିବ ପ୍ରମାଦ କୁମାର ପଣ୍ଡା ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଜରୁରୀ ଚିଠି (ନଂ ୨୧୨୩) ଲେଖି ତୁରନ୍ତ ଏକ ଯୁଗ୍ମ କମିଟି ଗଠନ କରି ମାମଲାର ତଦନ୍ତ କରିବାକୁ କହିଥିଲେ । ପୁଣି ୩୦ ତାରିଖ ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପୁଲିସ ଏଏସପି ପ୍ରମୁଖକୁ ନେଇ ଯୁଗ୍ମ କମିଟି ଗଠନ କରିବାକୁ କୁହାଯାଇଥିଲା । ଅନୁରୂପ ଭାବେ ଦୁଇଟି କମିଟି ଗଠନ କରି ଜିଲ୍ଲାପାଳ ତଦନ୍ତ ଦାୟିତ୍ୱ ଦେଇଥିଲେ । ତଦନ୍ତ ରିପୋର୍ଟ ମଧ୍ୟ ଅତିରିକ୍ତ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା । ମାତ୍ର ପରଦିନ ଅର୍ଥାତ ମେ’ ୧ତାରିଖରେ ଅତିରିକ୍ତ ସଚିବ ଆଉ ଏକ ଚିଠି (ନଂ ୨୧୬୪) ଜିଲ୍ଲାପାଳଙ୍କୁ ଲେଖିଥିଲେ । ଉକ୍ତ ଚିଠିରେ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଦନ୍ତ ରିପୋର୍ଟ ସମ୍ପର୍କରେ ଯଦିଓ ସ୍ପଷ୍ଟ ତଥ୍ୟ ରଖାଯାଇ ନାହିଁ ତେବେ ଚୋରା ମଦ ପିଇ ଲୋକେ ମରିଥିବା କଥାକୁ ସ୍ୱୀକାର କରାଯାଇଛି । ଉକ୍ତ ଚିଠିରେ ଅତିରିକ୍ତ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦିଷ୍ଟ କେତେକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ଦୋଷୀଙ୍କୁ ଚିହ୍ନଟ କରିବା ଲାଗି ଚିଠିରେ କୁହାଯାଇଥିଲା, ଚୋରା ମଦ ପରିବହନରେ କିଏ ସମ୍ପୃକ୍ତ ତା’କୁ ଖୋଜି ବାହାର କରିବାକୁ କୁହାଯାଇଥିଲା, ଚୋରା ମଦ ମହଜୁଦ କରିଥିବା ଲୋକକୁ ମଧ୍ୟ ଚିହ୍ନଟ କରିବା ଲାଗି କୁହାଯାଇଥିଲା । ତେବେ ଚିଠି ଚିଠିରେ ରହି ଯାଇଛି । ଜିଲ୍ଲାପାଳ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି କହି ସମୟ ଗଡାଇ ଚାଲିଛନ୍ତି । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ନିଜର ମତାମତକୁ ସଂରକ୍ଷିତ ରଖି ଭିସେରା ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏହି ବାହାନାରେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରିଥିବା ଅଭିଯୋଗ ହେଉଛି । ଅପରପକ୍ଷେ ସାଧାରଣରେ ଏହି ମାମଲାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ରହିଛି । ପ୍ରଥମତଃ ନିର୍ବାଚନର ୪୮ ଘଂଟା ପୂର୍ବରୁ ସମସ୍ତ ମଦ ଦୋକାନ ସିଲ କରାଯାଇଥିବା ବେଳେ ଚୋରା/ଜୀବନ ହାନିକାରକ ମଦ ସମ୍ପୃକ୍ତ ଅଂଚଳରେ ଉପଲବ୍ଧ ହେଲା କେମିତି? ଏହି ମଦ ସମ୍ପୃକ୍ତ ଅଂଚଳରେ ପହଂଚିଲା କେମିତି? ଏହାକୁ ଜଗିବା ଓ ରୋକିବା ଦାୟିତ୍ୱ ଅବକାରୀ ବିଭାଗର ହୋଇଥିବା ବେଳେ ଉକ୍ତ ବିଭାଗର ଅଫିସରମାନେ କରୁଥିଲେ କ’ଣ? ସେମାନେ ପ୍ରଥମତଃ ଘଟଣା ପାଇଁ ଦାୟୀ ନୁହଂତି କି? ୧୧ଜଣ ମଲା ପରେ ବି ଜଣେ ହେଲେ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କାହିଁକି? ସେପଟେ ପୁଲିସ ଏହି ମାମଲାରେ ଲୋକ ଦେଖାଣିଆ ଭାବେ କିଛି ଲୋକଙ୍କୁ ଗିରଫ କରିଛି ସତ ଯେ କିନ୍ତୁ ସେମାନେ ଅସଲରେ ମଦମୃତ୍ୟୁ ପାଇଁ ଦାୟୀ ନା ଆଉ କିଏ? ପ୍ରକୃତ ଦୋଷେୀ ଚିହ୍ନ ହୋଇ ଦଣ୍ଡ ପାଇବେ ନା ବାତ୍ୟାରେ ଉଡିଗଲା ।

error: Thank You Keep Visiting