ଗ୍ରାହକଙ୍କ ଉପରେ ବିଜୁଳି ଦର ବୃଦ୍ଧିର ବୋଝ !

Straight to the Point

ଭୁବନେଶ୍ୱର : ଗ୍ରାହକଙ୍କ ଉପରେ ବିଜୁଳି ଦର ବୃଦ୍ଧିର ବୋଝ ପଡିବାର ଆଶଙ୍କା ଦେଖାଦେଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଦୁ୍ୟତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ବିଦ୍ୟୁତ୍‌ ଶୁଳ୍କ ଅପରିବର୍ତ୍ତିତ ରଖିଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ପାୱାର ଗ୍ରିଡ୍‌ କର୍ପୋରେସନ୍‌(ଓପିିଜିସି) ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଭିତ୍ତିକରି ଓପିଜିସି ପକ୍ଷରୁ ଓଇଆର୍‌ସିଙ୍କ ନିକଟରେ ପୁନଃବିଚାର ପାଇଁ ଆବେଦନ କରିଥିଲେ। ସୋମବାର ଏହି ଆବେଦନ ଉପରେ ଶୁଣାଣି ହୋଇଥିଲା। ତେବେ ଆୟୋଗଙ୍କ ନିକଟରେ ଶୁଣାଣି ସମୟରେ ପକ୍ଷଭୁକ୍ତ ଥିବା ଗ୍ରିଡ୍‌କୋ ଏଥିପାଇଁ ସମୟ ନେଇଥିବା ଜଣାପଡିଛି। ତେଣୁ ବିଦୁ୍ୟତ ନିୟାମକ ଆୟୋଗ ଅଗଷ୍ଟ ୨୧ ତାରିଖକୁ ଏହି ପୁନଃବିଚାର ଆବେଦନ ଉପରେ ଶୁଣାଣି କରିବାକୁ ଦିନଧାର୍ଯ୍ୟ କରିଥିବା ଓଇଆର୍‌ସି ନିର୍ଦେଶକ(ନିୟାମକ ବ୍ୟାପାର) ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି। ଓପିଜିସିର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଶୁଳ୍କ ବୃଦ୍ଧି ନେଇ ପୁନଃବିଚାର କରାଯିବା ଲାଗି ଓଇଆରସିରେ ଆବେଦନ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଗ୍ରିଡ୍‌କୋ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସୁପ୍ରିମ୍‌କୋର୍ଟରେ ଗ୍ରିଡ୍‌କୋର ଆବେଦନ ଶୁଣାଣି ଶେଷ ହୋଇ ନ ଥିବାରୁ ଗି୍ରିଡ୍‌କୋ ପକ୍ଷରୁ ଏନେଇ ସମୟ ନିଆଯାଇଥିବା ଜଣାପଡିଛି।
ଓପିଜିସି ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ ଏବଂ ଗତ ୨୦୧୭-୧୮ ଏବଂ ୨୦୧୬-୧୭ ଆର୍ଥିକ ବର୍ଷରେ କ୍ଷତି ଭରଣା କରାଯିବା ଲାଗି ଆୟୋଗଙ୍କ ରାୟକୁ ଚ୍ୟାଲେଞ୍ଜ କରି ନୂଆଦିଲ୍ଲୀସ୍ଥିତ ବିଦୁ୍ୟତ୍‌ ଆପିଲେଟ୍‌ ଟ୍ରାଇବୁନାଲ୍‌ରେ ଆବେଦନ କରାଯାଇଥିଲା। ଟ୍ରାଇବୁନାଲ୍‌ ଓଇଆର୍‌ସିର ବିଦ୍ୟୁତ୍‌ ଶୁଳ୍କ ଅପରିବର୍ତ୍ତିତ ରଖାଯିବାର ରାୟକୁ କାଏମ୍‌ ରଖିଥିଲେ। ପରେ ଏହାକୁ ଚ୍ୟାଲେଞ୍ଜ କରି ଓପିଜିସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଓପିଜିସି ପକ୍ଷରୁ ବିଦ୍ୟୁତ୍‌ ଶୁଳ୍କ ପୁନଃବିଚାର ପାଇଁ ପିପିଏ(ପାୱାର ପରଚେଜ୍‌ ଏଗ୍ରିମେଣ୍ଟ) ନିୟମ ଅନୁସାରେ କରାଯିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଯାହାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଥିଲେ। ଓଇଆର୍‌ସି ନିଜସ୍ୱ ଆଇନ ବଳରେ ବିଦୁ୍ୟତ୍‌ ଶୁଳ୍କ ବୃଦ୍ଧି ନେଇ ଶୁଣାଣି କରି ଆସୁଥିଲେ।
ପିପିଏ ନିୟମରେ କେତେକ କୋହଳ ରହିଛି। ଏହି ନିୟମରେ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ପ୍ଲାଣ୍ଟ ୬୮.୫ ପ୍ରତିଶତ ଉତ୍ପାଦନକ୍ଷମ ହେଲେ ମଧ୍ୟ ଉକ୍ତ ପ୍ଲାଣ୍ଟକୁ ଶତପ୍ରତିଶତ ଉତ୍ପାଦନ ପାଇଁ ଆବଶ୍ୟକ ଖର୍ଚ୍ଚ ଦେବାକୁ ହେବ। ତେଣୁ ଓପିଜିସି ପକ୍ଷରୁ ଗତ ୩ ବର୍ଷ ହେବ କୋଇଲା ଏବଂ ତେଲ ବାବଦରେ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ବାର୍ଷିକ ୬୦ରୁ ୭୦ କୋଟି ଟଙ୍କା କ୍ଷତି ସହୁଛି ବୋଲି ପୁନଃବିଚାର ପାଇଁ ଆବେଦନ କରାଯାଇଥିଲା। ଯଦି ଗ୍ରିଡ୍‌କୋର ଆବେଦନକୁ ସୁପ୍ରିମକୋର୍ଟ ଖାରଜ୍‌ କରି ପିପିଏ ଆଇନ୍‌ ଅନୁସାରେ ପୁନଃବିଚାର କରାଯିବା ଲାଗି ନିର୍ଦେଶ ଦିଅନ୍ତି ତେବେ କ୍ଷତି ଭରଣା ପାଇଁ ଓପିଜିିସିକୁ ପ୍ରାୟ ୨୦୦ କୋଟି ଟଙ୍କା ଗ୍ରିଡ୍‌କୋ ପ୍ରଦାନ କରିବ ବୋଲି ଜଣାପଡିଛି। ତେବେ ଗ୍ରିଡ୍‌କୋ ଏହି କ୍ଷତି ଭରଣା ଲାଗି ଗ୍ରାହକଙ୍କ ଉପରକୁ ଲଦିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ୨୦୦ କୋଟି ଟଙ୍କାର ବୋଝକୁ ଓଇଆର୍‌ସି ରେଗୁଲେଟୋରି ଆସେଟ୍‌ ବଳରେ ୨ରୁ ୩ ବର୍ଷରେ ପର୍ଯ୍ୟାୟକ୍ରମେ ଶୁଳ୍କ ବୃଦ୍ଧି କରି ଗ୍ରାହକଙ୍କଠାରୁ ସଂଗ୍ରହ କରିବାକୁ ଅନୁମତି ଦେଇପାରନ୍ତି ବୋଲି ନିର୍ଦେଶକ ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ବଢ଼ିବାର ଆଶଙ୍କା ଅଧିକ ରହିଛି।

error: Thank You Keep Visiting