କେନ୍ଦ୍ରାପଡାରେ ସମସ୍ତ ବିଧାନସଭା ସମେତ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ

Straight to the Point

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନ ସମେତ ଲୋକସଭା ଆସନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି । କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ୧ଲକ୍ଷ ୫୨ହଜାର ୫୮୪ ଭୋଟ ବ୍ୟବଧାନରେ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି ୬ଲକ୍ଷ ୨୮ ହଜାର ୯୩୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ୪ଲକ୍ଷ ୭୬ ହଜାର ୩୫୫ ଭୋଟ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ଏକଲକ୍ଷ ୧୩ହଜାର ୮୪୧ ଭୋଟ ପାଇଛନ୍ତି । କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହରୋ ୬ହଜାର ୩୨୦ ଭୋଟ ବ୍ୟବଧାନରେ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ବେହେରା ୬୩ହଜାର ୯୬୬ ଭୋଟ ପାଇଥିବା ବେଳେ କଂଗ୍ରେସର ଶ୍ରୀ ବେହେରା ୫୭ହଜାର ୬୪୬ ଭୋଟ ଏବଂ ବିଜେପି ପ୍ରାର୍ଥୀ ସୁନାକର ବେହେରା ୨୨ହଜାର ୧୪୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ୧୮ ହଜାର ୫୦୪ ଭୋଟ ବ୍ୟବଧାନରେ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ସାହୁ ୭୮ ହଜାର ୯୨୬ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମହାନ୍ତି ୬୦ହଜାର ୫୧୮ ଓ ବିଜେପି ପ୍ରାର୍ଥୀ ଅଲେଖ ଜେନା ୨୬ହଜାର ୬୮୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଆଳି ବିଧାନସଭା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ସର୍ବାଧିକ ୫୫ହଜାର ୬୦୧ ଭୋଟ ବ୍ୟବଧାନରେ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ଦେବ ୯୯ହଜାର ୪୨୬ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଶର୍ମା ୪୩ହଜାର ୮୨୫ ଓ ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ୨୬ହଜାର ୩୯୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ମହାକାଳପଡା ବିଧାନସଭା କ୍ଷେତ୍ରରେ ବିଜେଡି ବିଧାୟକ ପ୍ରାର୍ଥୀ ଅତନୁସବ୍ୟସାଚି ନାୟକ ୧୫ହଜାର ୬୬୩ ଭୋଟ ବ୍ୟବଧାନରେ ବିଜେପିର ବିଜୟ ପ୍ରଧାନଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ନାୟକ ୯୩ହଜାର ୧୯୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ୭୭ହଜାର ୫୩୪ ଭୋଟ ପାଇଛନ୍ତି । କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିଭ୍ରାଂଶୁଶେଖର ଲେଙ୍କା ୮ହଜାର ୩୧୮ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି ।

error: Thank You Keep Visiting