ଭଦ୍ରକ ଜିଲାରେ ବିଜୟୀ ହୋଇଥିବା ବିଧାୟକଙ୍କ ମୁହଁରୁ …

Straight to the Point

ଭଦ୍ରକ: ଭଦ୍ରକ ସଂସଦୀୟ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶର ମୋର ଲକ୍ଷ୍ୟ – ମଂଜୁଲତା ମଣ୍ଡା
ଭଦ୍ରକ ଲୋକସଭା ଆସନରେ ପ୍ରଥମ ମହିଳା ସାଂସଦ ଭାବେ ମଂଜୁଲତା ମଣ୍ଡଳ ବିଜୟ ହାସଲ କରିବା ସହ ଇତିହାସ ରଚିବାକୁ ଯାଉଛନ୍ତି । ନିଜର ଏହି ଐତିହାସିକ ବିଜୟ ପାଇଁ ସେ ଭଦ୍ରକବାସୀଙ୍କୁ ସମସ୍ତ ଶ୍ରେୟ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଭଦ୍ରକ ଜିଲାକୁ ଏକ ଅଗ୍ରଣୀ ଜିଲା ଭାବେ ଗଢି ତୋଳିବା ପାଇଁ ସେ ସର୍ବଦା ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏତଦ୍ବ୍ୟତୀତ ଭଦ୍ରକ ବାସୀଙ୍କର ମୂଳ ଦାବି ଏହି ଜିଲାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ସହ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ଭଦ୍ରକ ବାସୀଙ୍କର ଦୀର୍ଘଦିନର ଦାବିକୁ ସେ ଅଗ୍ରାଧିକାର ଦେବା ସହ ଭଦ୍ରକ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ତଥା ସମଗ୍ର ଜିଲାରେ ବାକି ରହିଥିବା ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସେ ମନ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏକ ରାଜନୈତିକ ପରିବାରରୁ ଆସିଥିବା ମଂଜୁଲତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଭଦ୍ରକ ଜିଲାର ଜଣେ ଟାଣୁଆ ନେତା ଭାବେ ପରିଚିତ । ସେ ଧାମନଗର ବିଧାୟକ ଭାବେ ଗତ ୨୦୧୪ ନିର୍ବାଚନରେ ବିଜୟ ହୋଇଥିବାବେଳେ ଏଥିପୂର୍ବରୁ ବାସୁଦେବପୁର ଏନଏନସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରିବାର ସହିତ ଅତି ଘନିଷ୍ଠ ଥିବା ମୁକ୍ତିକାନ୍ତ ଜିଲାରେ ବିଜେଡି ସାଙ୍ଗଠନିକ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଚଳିତ ନିର୍ବାଚନରେ ନିଜ ବଦଳରେ ତାଙ୍କ ପତ୍ନୀ ଶ୍ରୀମତୀ ମଣ୍ଡଳଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ଟିକେଟ୍ ଦେଇଥିଲେ । ଭଦ୍ରକ ବ୍ଲକ୍ ଗେଲପୁର ପଂଚାୟତରେ ସାମରାଇପୁର ଗାଁର ପଦ୍ମନାଭ ଦାସ ଓ ଜେମାମଣୀ ଦାସଙ୍କ କନ୍ୟା ଅଟନ୍ତି ମଂଜୁଲତା । ନିଜ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମଂଜୁଲତା ପିତାମାତାଙ୍କ ସହ ଭଦ୍ରକ ନୀଳକଣ୍ଠପୁରରେ ରହି ଭଦ୍ରକ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବାବେଳେ ବାସୁଦେବପୁରର ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିବାହ କରିଥିଲେ । ସେ ଏବେ ଭଦ୍ରକ ସହରର ଜଗନ୍ନାଥ ବିହାର ସାଳନ୍ଦୀ କଲୋନୀରେ ସପରିବାର ଅବସ୍ଥାନ କରୁଛନ୍ତି ।

ଭଦ୍ରକବାସୀଙ୍କ ସହଯୋଗରେ ବିକାଶ ଧାରା ବଜାୟ ରହିବ : ସଂଜୀବ ମଲ୍ଲିକ
ସଂଜୀବ ମଲ୍ଲିକ ରାଜନୀତିରେ ନବାଗତ । ଭଦ୍ରକ ବିଜେଡି ଆସନ ପାଇଁ ମଧ୍ୟ ସଂଜୀବ ନବାଗତ ଥିଲେ । ଯୁଗଳ ପଟ୍ଟନାୟକ ଭଳି ଟାଣୁଆ ନେତାଙ୍କୁ ବାଦ୍ ଦେଇ ସଂଜୀବଙ୍କ ଉପରେ ଭରସା କରିଥିଲା ବିଜେଡି । ଜିଲାରେ ବୃହତ୍ତ ବ୍ୟବଧାନରେ ବିଜୟୀ ହୋଇଥିବା ସଂଜୀବଙ୍କ ପରିବାର ରାଜନୀତି ସହିତ ଜଡିତ । ସଂଜୀବଙ୍କ ବାପା ସ୍ୱର୍ଗତ ହୃଦାନନ୍ଦ ମଲ୍ଳିକ ବିଧାୟକ ଥିଲେ । ତାଙ୍କ ବଡଭାଇ ସ୍ୱର୍ଗତ ମାନସ ମଲ୍ଲିକ ମଧ୍ୟ ବିଧାୟକ ଥିଲେ ।ବିଜୁ ପରିବାର ସହିତ ସଂଜୀବଙ୍କ ପରିବାରର ସଂପର୍କ ପୁରୁଣା । ଗୁରୁବାର ବିଜୟୀ ହେବା ପରେ ସଂଜୀବ ଭଦ୍ରକବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ଆଗକୁ ଭଦ୍ରକ ବାସୀଙ୍କ ସହଯୋଗରେ ବିକାଶଧାରା ବଜାୟ ରହିବ ବୋଲି କହିଛନ୍ତି ସଂଜୀବ । ଭଦ୍ରକ ସହରକୁ ସର୍ବାଙ୍ଗ ସୁନ୍ଦର କରିବା ସହିତ ସ୍ମାର୍ଟ ସିଟି କରିବା ଲାଗି ଚେଷ୍ଟା କରିବା, ଭଦ୍ରକ ସହରରେ ସ୍ୱରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ, ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା, ଭଦ୍ରକରେ ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ଲାଗି ଉଦ୍ୟମ କରିବି ବୋଲି କହିଛନ୍ତି ସଂଜୀବ । ଦଳମତ ନିର୍ବିଶେଷରେ ସୁସ୍ଥ ବିଚାରାଧାରାକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସହଯୋଗ ଓ ପରାମର୍ଶ ନେଇ କାର୍ଯ୍ୟ କରିବି ବୋଲି କହିଛନ୍ତି ସଂଜୀବ ।

ଜେଜେ ଓ ବାପାଙ୍କ ପରି ବାସୁଦେବପୁରବାସୀଙ୍କ ସେବା କରିବି : ବିଷ୍ଣୁବ୍ରତ ରାଉତରାୟ
ରାଜନୀତିକୁ ମୁଁ ଅତି ନିକଟରେ ଦେଖିଛି । ମୋ ଜେଜେ ବାପା ସ୍ୱର୍ଗତଃ ନୀଳମଣି ରାଉତରାୟ, ବାପା ବିଜୟଶ୍ରୀ ଦୀର୍ଘବର୍ଷ ଧରି ବାସୁଦେବପୁରବାସୀଙ୍କ ସେବା କରିଆସିଛନ୍ତି । ମୋର ହେତୁ ହେଲା ଠାରୁ ବାପାଙ୍କ ପ୍ରେରଣା ଓ ବାସୁଦେବପୁରବାସୀଙ୍କ ଭଲପାଇବା ମୋତେ ରାଜନୀତି ଭିତରକୁ ଟାଣିଆଣିଥିଲା । ମୋର ଏ ବିଜୟ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବାସୀଙ୍କ ବିଜୟ ହୋଇଛି । ରାଉତରାୟ ପରିବାରକୁ ଲୋକଙ୍କ ଭଲପାଇବା ଆଜି ପ୍ରମାଣିତ ହୋଇଛି । ମୋ ଜେଜେ ବାପା ଓ ବାପାଙ୍କ ପରି ବାସୁଦେବପୁରବାସୀଙ୍କର ମୁଁ ସେବା କରିବି । ଲୋକଙ୍କ ସୁଖଦୁଃଖରେ ସାଥୀ ହେବି । ବାସୁଦେବପୁର ବିକାଶ ମୋର ମୂଳ ଲକ୍ଷ୍ୟ ହେବ ବୋଲି ବାସୁଦେବପୁର ବିଧାନସଭା କ୍ଷେତ୍ରରୁ ବିଜେଡିରୁ ବିଜୟୀ ବିଷ୍ଣୁବ୍ରତ ରାଉତରାୟ କହିଛନ୍ତି । ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସାନପୁଅ ବିଷ୍ଣୁବ୍ରତ । ଭୁବନେଶ୍ୱର ଷ୍ଟୁଆଟ ସ୍କୁଲରୁ ୨୦୦୦ ମସିହାରେ ମାଟ୍ରିକ୍ ପାଶ କରିଥିଲେ । ୨୦୦୨ ମସିହାରେ ବିଜେବି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ୨୦୦୫ ରେ ଯୁକ୍ତ ତିନି ବାଣିଜ୍ୟ ବିଭାଗରେ ପାଠପଢି ଉତ୍ତୀର୍ଣ୍ଣ ହୋଇଥିଲେ । ସେହିବର୍ଷ ଓଡ଼ିଶୀ ଭୋକାଲରେ ମଧ୍ୟ ସଫଳତା ଲାଭ କରିଥିଲେ । ୨୦୦୭ ରେ ବାଣୀ ବିହାରରୁ ପର୍ସନାଲ ମ୍ୟାନେଜମେଣ୍ଟ ଓ ଇଣ୍ଡଷ୍ଟ୍ରିଆଲ ରିଲେସନ ପାଠକ୍ରମରେ ଏମଏ ପାଶ କରିଥିଲେ । ପରିବାରରୁ ରାଜନୀତିକୁ ଅତି ନିକଟରେ ଦେଖିଥିବା ବିଷ୍ଣୁବ୍ରତ ଛାତ୍ର ଜୀବନରେ ରାଜନୀତିରେ ପାଦ ଦେଇଥିଲେ । ୨୦୦୧ ମସିହାରେ ବିଜେବି କଲେଜରୁ ସହକାରୀ ସାଧାରଣ ସଂପାଦକ ଓ ୨୦୦୩ ରେ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯/୨୦୧୪ ରେ ବାସୁଦେବପୁର ରାଜନୀତିରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଗତ ପଂଚାୟତ ନିର୍ବାଚନକୁ ପରିଚାଳନା କରି ବେଶ୍ ସଫଳ ହୋଇଥିଲେ ବିଷ୍ଣୁବ୍ରତ । ତାଙ୍କର ଦକ୍ଷତାକୁ ମାପି ୨୦୧୫ ରେ ବିଜୁ ଜନତା ଦଳର ଭଦ୍ରକ ଜିଲା ସାଧାରଣ ସଂପାଦକ ଭାବେ ଦାୟିତ୍ୱ ମିଳିଥିଲା । ସେହିଦିନ ଠାରୁ ବାସୁଦେବପୁରର ରାଜନୈତିକ ରଣଭୂମିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ତା ଛଡା ମନ୍ତ୍ରୀ ବିଜୟଶ୍ରୀ ନିଜେ ନିର୍ବାଚନ ନଲଢି ପୁଅକୁ ନିର୍ବାଚନ ଲଢିବାର ସୁଯୋଗ ଦେଇଥିଲେ । ଦଳରେ ଟିକଟ ପାଇଁ କାହାରି ଦାବି ଉଠି ନଥିବାରୁ ବିଷ୍ଣୁବ୍ରତଙ୍କୁ ଟିକେଟ୍ ମିଳିଥିଲା । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ମନ୍ତ୍ରୀ ବିଜୟଶ୍ରୀଙ୍କ ବାସୁଦେବପୁରର ଦୀର୍ଘବର୍ଷ ଶାସନର ବିକାଶ ଓ ପରିଚୟକୁ ନେଇ ବିଷ୍ଣୁବ୍ରତ ଭୋଟରଙ୍କୁ ମନାଇ ବିଜୟୀ ହୋଇଛନ୍ତି । ଜେଜେ ଓ ବାପାଙ୍କ ପରି ବାସୁଦେବପୁରବାସୀଙ୍କ ସେବା କରିବେ ବୋଲି କହିଛନ୍ତି ।

ଭୌଗୋଳିକ ଦୃଷ୍ଟିରୁ ବିଛିନ୍ନ ନିର୍ବାଚନ ମଣ୍ଡଳୀକୁ ଯୋଡିବାକୁ ପ୍ରାଥମିକତା ଦେବି : ବ୍ୟୋମକେଶ ରାୟ
ଚାନ୍ଦବାଲି ଆସନରୁ ବିଜୟୀ ବିଜେଡିର ବ୍ୟୋମକେଶ ରାୟ କହିଛନ୍ତି ଯେ ଭୌଗୋଳିକ ଦୃଷ୍ଟିରୁ ବିଛିନ୍ନ ହୋଇ ରହିଥିବା ନିର୍ବାଚନ ମଣ୍ଡଳୀର ଆରଡିରୁ ଧାମରା ମଧ୍ୟରେ ସାଳନ୍ଦୀର ତିନିତର ଠାରେ, ଧାନଖଣିଆ ଓ ଧାମରାକୁ ସଂଯୋଗ କରୁଥିବା ମନ୍ତେଇ ନଦୀ ଉପରେ ବାଁଶଡା, ବାଲିଆପାଳ ଓ ଚାରିବାଟିଆ ଠାରେ ପୋଲ ନିର୍ମାଣକୁ ଗୁରୁତ୍ୱ ଦେବି । ୨୦୧୪ ମସିହାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ୨୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ୫ ବର୍ଷ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରମୁଖ ୨ ଟି ମୌଳିକ ସମସ୍ୟା ମଧ୍ୟରୁ ଚାନ୍ଦବାଲିରେ ୧୦୦ କୋଟି ଟଙ୍କା ବ୍ୟୟରେ ଗ୍ରୀଡ୍ ପ୍ରତିଷ୍ଠା, ୨୩୪ କୋଟି ଟଙ୍କା ବ୍ୟୟରେ ଭଦ୍ରକ-ଚାନ୍ଦବାଲି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ସାଙ୍ଗକୁ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବାଉଁଶ ପୋଲକୁ ପକ୍କା ପୋଲରେ ପରିଣତ କରିବା, ଚାନ୍ଦବାଲିକୁ ଏନ୍ଏସିରେ ପରିଣତ କରିବା, ଚାନ୍ଦବାଲିରେ ବସ୍ଷ୍ଟାଣ୍ଡ, ପାର୍କର ପୁନରୁଦ୍ଧାର, ଶ୍ମଶାନ ନିର୍ମାଣ, ଷ୍ଟାଡିୟମ୍ ନିର୍ମାଣ ଆଦି କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି । ସେହିପରି ବିଶୁଦ୍ଧ ପାନୀୟ ଜଳ ପାଇଁ ୮ ଶହ କୋଟି ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସାଙ୍ଗକୁ ଭାଙ୍ଗିରୁଜି ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ସେସବୁର ମରାମତି ସହ ଚାଷୀର ଜମିକୁ ଜଳସେଚନ ପାଇଁ ନାଳ ଖନନ ଆଦି ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ଆଗାମୀ ଦିନରେ ବାକି ପଡିଥିବା ଅନେକ ଉନ୍ନତି ମୂଳକ କାର୍ଯ୍ୟର ସଂପୂର୍ଣ୍ଣ ପାଇଁ ପ୍ରତିଶୃତିବଦ୍ଧ ଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ତାଙ୍କୁ ଦ୍ୱିତୀୟଥର ପାଇଁ ଚାନ୍ଦବାଲିରେ ବିଜେଡି ଟିକଟ ଦେଇଥିବାରୁ ତାଙ୍କ ଠାରେ କୃତଜ୍ଞ ବୋଲି କହିଛନ୍ତି ।

ବାକି ରହିଥିବା ବିକାଶ ମୂଳକ କାମ ସହ ପ୍ରଗତି ପାଇଁ କାମ କରିବି : ପ୍ରଫୁଲ୍ଲ ସାମଲ
ବିଧାନସଭା ଆସନ ଅଣସଂରକ୍ଷିତ ହେବା ପରେ ପ୍ରଫୁଲ୍ଲ ସାମଲ ଏଥର ତୃତୀୟ ଥର ପାଇଁ ଲଗାତର ବିଜୟ ହାସଲ କରିଛି । ଭଣ୍ଡାରିପୋଖରୀ ଆସନରୁ ଲଗାତର କେହି ବିଜୟୀ ହୋଇନଥିବାବେଳେ ପ୍ରଫୁଲ୍ଲ ବାବୁ ତୃତୀୟ ଥର ବିଜୟୀ ହେବା ଓ ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିବା ଉଲ୍ଲେଖନୀୟ । ୨୦୦୯ ଓ ୨୦୧୪ ମସିହାରେ ଏହି ଆସନରୁ ବିଜୟୀ ହେବା ସହ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ସଂପନ୍ନ କରିଥିବା ପ୍ରଫୁଲ୍ଲ ବାବୁ ପୁନର୍ବାର ମନ୍ତ୍ରୀ ହେବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି । ଭଣ୍ଡାରିପୋଖରୀରେ ଜିଲାର ପ୍ରଥମ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ, ବୈତରଣୀ ନଦୀର ବାମପାଶ୍ୱର୍ର ବନ୍ଧ ସୁଦୃଢୀକରଣ ସହ ବିଭିନ୍ନ ରାସ୍ତା ନିର୍ମାଣ କରି ଗମନାଗମନ ବ୍ୟବସ୍ଥାର ବିକାଶ, ବିଦ୍ୟୁତ୍ ଷ୍ଟ୍ରକଚର ସ୍ଥାପନ, ଆଇଟିଆଇ ଓ ବିଏଡ୍ ଶିକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନେଇଥିବାବେଳେ ଆହୁରି ଅନେକ ବିକାଶ କାର୍ଯ୍ୟ କରାଯିବାକୁ ଶ୍ରୀ ସାମଲ ଲକ୍ଷ୍ୟ ରଖିଛନ୍ତି । ଭଣ୍ଡାରିପୋଖରୀର ଦୁଃଖ କଣ୍ଟିଘାଇର ସ୍ଥାୟୀ ପ୍ରତିକାର କରାଯିବା ସହ ନିର୍ବାଚନ ମଣ୍ଡଳୀର ଗମନାଗମନ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପାହିମହୁରାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଉପରେ ପ୍ରାଥମିକତା ଦେଇ ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ । ଶ୍ରମିକ ସଂଗଠନ ସହ ଅଣକଂଗ୍ରେସ ନେତା ଭାବେ ଓ ବିଜୁ ବାବୁଙ୍କ ଆଦର୍ଶରେ ରାଜନୈତିକ ଜୀବନ ବିତାଉଥିବା ପ୍ରଫୁଲ୍ଲ ବାବୁ ନିଜର ରାଜନୈତିକ କ୍ୟାରିଅରର ସଫଳତା ବଜାୟ ରଖିଛନ୍ତି ।
ନିଜ ବିଧାନସଭା କ୍ଷେତ୍ରରେ ବନ୍ୟା ରୋକିବାରେ ସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରିବା ମୋର ମୂଳ ଲକ୍ଷ୍ୟ – ବିଷ୍ଣୁ ସେଠୀ
ବିଜେପିର ଜଣେ ଟାଣୁଆ ନେତା ଭାବେ ବିଷ୍ଣୁ ସେଠୀ କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟରେ ବେଶ୍ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସେ ପୂର୍ବରୁ ବିଜେପିର ଜିଲା ସଭାପତି ଥାଇ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇ କେବଳ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ହୋଇପାରିଥିଲେ । ତାଙ୍କ ବିଧାୟକ କାଳରେ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ବିଗତ ଦିନର ୨୦୧୪ ମସିହା ନିର୍ବାଚନରେ ସେ ଧାମନଗର ଆସନରୁ ବିଜେପି ପକ୍ଷରୁ ଲଢି ଅଳ୍ପ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ତେବେ ଚଳିତ ନିର୍ବାଚନରେ ସେ ଏହି ଜିଲାରେ ବିଜେପିର ଖାତା ଖୋଲିଥିବାବେଳେ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ସହ ଏହି କ୍ଷେତ୍ରକୁ ସମଗ୍ର ରାଜ୍ୟରେ ୧ ନଂ କରାଇବାରେ ଯେଉଁ ଆଶା ରଖିଛନ୍ତି, ସେ ଦିଗରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ବିଶେଷକରି ବନ୍ୟା ପ୍ଲାବିତ ଏହି ବିଧାନସଭା କ୍ଷେତ୍ରରେ ବନ୍ୟା ରୋକିବାରେ ଏକ ସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରିବାରେ ସେ ଦୃଷ୍ଟି ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ କେବଳ ନିଜ ବିଧାନସଭା କ୍ଷେତ୍ରର ନୁହେଁ ବିଶେଷକରି ଜିଲାରେ ଏକ ମେଡିକାଲ କଲେଜ ଓ ଭଦ୍ରକ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାରେ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, ତାହା ପୂରଣ କରିବା ଦିଗରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଦଳୀୟ ନେତାଙ୍କ ସହଯୋଗ ଲୋଡିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଶ୍ରୀ ସେଠୀ ଜଣେ ଲୋକପ୍ରିୟ ବିଧାୟକ ଭାବେ ନିଜର ପୂର୍ବ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ସାହିତ୍ୟ କ୍ଷେତ୍ରରେ ନିଜ ଦ୍ୱାରା ସଂପାଦିତ ‘ଘାସଫୁଲ’ ସାହିତ୍ୟ ପତ୍ରିକାକୁ ସମଗ୍ର ରାଜ୍ୟରେ ବେଶ୍ ଲୋକପ୍ରିୟ କରାଇପାରିଛନ୍ତି । ଶ୍ରୀ ସେଠୀ ପୂର୍ବରୁ ସାମ୍ବାଦିକତା ଭଳି କାର୍ଯ୍ୟକୁ ମଧ୍ୟ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱକୁ ଧାମନଗରବାସୀ ଜିତାଇଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

error: Thank You Keep Visiting