ବିଜେପିର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଆରମ୍ଭ

Straight to the Point

ନୂଆଦିଲ୍ଲୀ: ଆସନ୍ତା ଗୁରୁବାର ରାଷ୍ଟ୍ରପତି ଭବନରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମୋଦୀ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ଦେଇଛନ୍ତି ତାହା ସ୍ପଷ୍ଟ ହେବ। ଏହା ବି ଜଣାପଡ଼ିଯିବ ଯେ ମୋଦୀ କ୍ୟାବିନେଟରେ ଅମିତ ଶାହଙ୍କୁ ସ୍ଥାନ ଦେଇଛନ୍ତି କି ନାହିଁ। ଯଦି ଅମିତ ଶାହଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳେ, ତେବେ ବିଜେପିର ଅଧ୍ୟକ୍ଷ ପଦବୀ ଖାଲିପଡ଼ିବ। ତେଣୁ ବିଜେପିର ଅଧ୍ୟକ୍ଷ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚାରେ ସବୁଠାରୁ ଆଗରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ବିଜୟ ପରେ ଦଳର ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ରାଜନାଥ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ମଞ୍ଚରେ ଉପସ୍ଥିତ ଥିଲେ। ଅନ୍ୟପଟେ ଅମିତ ଶାହଙ୍କ ବିକଳ୍ପ ବାଛିବା କଷ୍ଟକର ହେବ ବୋଲି ଦଳ ଭିତରେ ଆଲୋଚନା ହେଉଛି। ଗତବର୍ଷ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନକୁ ବାଦ୍‌ ଦେଲେ ଅନ୍ୟ ସବୁ ନିର୍ବାଚନରେ ବିଜେପି ସଫଳତା ପୂର୍ବକ ବିଜୟ ହାସଲ କରିଛି। ତେଣୁ ଅମିତ ଶାହଙ୍କ ସ୍ଥାନରେ ଜଣେ ପ୍ରଭାବୀ ନେତା ଜରୁରୀ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ସମ୍ପୃକ୍ତ ନେତାଙ୍କ କହିବା ଅନୁସାରେ, ଅମିତ ଶାହ ଦଳକୁ ଯେପରି ଶୀର୍ଷରେ ପହଞ୍ଚାଇଛନ୍ତି ତାହା ଅନ୍ୟ ନେତାମାନଙ୍କ ପାଇଁ କଷ୍ଟକର ହେବ। ଅଧ୍ୟକ୍ଷ ପଦର ଦାୟିତ୍ଵ ସେମାନଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ହେବ।

error: Thank You Keep Visiting