ବିଜେପୁର ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Straight to the Point

୩୪ ହଜାର ପରିବାରକୁ ମିଳିବ ପକ୍କା ଘର

ଭୁବନେଶ୍ୱର: ପଂଚମ ଥର ପାଇଁ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଧିକ ଚାଷୀ ପରବାରକୁ ସାମିଲ କରିବା ସହ ମହିଳା ଏସଏଚଜି ଗ୍ରୁପଙ୍କୁ ୧ ହଜାର କୋଟି ଟଙ୍କାର କାମ ଦେବା ପାଇଁ ଅନୁମୋଦନ କରିବା ପରେ ଆଜି ବିଜେପୁର ଲାଗି ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଲାଗି ପ୍ୟାକେଜ ଘୋଷଣା କରିଛନ୍ତି । ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୪ ହଜାର ପରିବାରକୁ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଏହି ଘୋଷଣାରେ କହିଛନ୍ତି ।
ଏହା ବ୍ୟତୀତ ବରଗଡ଼ ଜିଲ୍ଲାର ୫୦୫ ଗ୍ରାମରେ ରହୁଥିବା ୮ ଲକ୍ଷ ଜନସଂଖ୍ୟାକୁ ପାନୀୟ ଜଳ ଯୋଗାଇ ଦେବାଲାଗି ଦୁଇଟି ବୃହତ ଜଳ ପ୍ରକଳ୍ପ କରାଯିବ । ଏଥିରେ ୧୧୨୦ କୋଟି ଟଙ୍କା ବିନିଯୋଗ ହେବ । ଯାହାଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପାଇପ ଜରିଆର ପାନୀୟ ଜଳ ଯୋଗାଇ ଦିଆଯିବ । ସେହିପରି ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଗାଇସିଲେଟ ବ୍ଲକରେ ବରୁମୁଣ୍ଡା ଗ୍ରାମ ପଂଚାୟତରେ ୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ ଉଠାଜଳସେଚନ ନୂଆ ପ୍ରକଳ୍ପ କରାଯିବ । ଅଂଗ ନଦୀରୁ ପାନୀୟ ଜଳ ଯୋଗାଇ ଦିଆଯିବ । ଯାହାଫଳରେ ୩ ହଜାର ଏକର ଚାଷଜମି ଜଳସେଚିତ ହୋଇପାରିବ । ଏହାଛଡ଼ା ୨୯ଟି ରିଭର ଲିପ୍ଟ ପ୍ରକଳ୍ପ ଏବଂ ୩୦୦୦ ଗଭୀର ନଳକୂପ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଆଗାମୀ ଦୁଇ ବର୍ଷରେ ବିଜେପୁର ଏବଂ ବରପାଲି ଏନ.ଏସି. ମାନଙ୍କରେ ଭିତିଭୂମି (ପାନୀୟ ଜଳ ଯୋଗାଣ, ରାସ୍ତାରେ ଆଲୁଅ ବ୍ୟବସ୍ଥା, ରାସ୍ତା, ଡ୍ରେନେଜ, ଟାଉନ ହଲ, କମ୍ୟୁନିଟି ସେଂଟର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ମାର୍କେଟ କମ୍ପେ୍ଳକ୍ସ, ପାର୍କ, ଅଫିସ ବିଲଡିଂ)ର ବିକାଶ କରାଯିବ । ଏଥିରେ ୪୦କୋଟି ଟଙ୍କା ଲେଖାଏଁ ବିନିଯୋଗ ହେବ । ନିରବିଚ୍ଛିନ ଭାବେ ଉନ୍ନତମାନର ବିଦ୍ୟୁତ ଚାଷୀ ମାନଙ୍କୁ ଯୋଗାଇ ଦେବା ପାଇଁ ୩୩ କେ.ଭି ଲାଇନ ଏବଂ ୧୨୫ କିମି. ୧୧ କେ.ଭି ଲାଇନ ନିର୍ମାଣ କରାଯିବ । ଏହା ବ୍ୟତୀତ ଭୋଲଟେଜର ଉନ୍ନତି ପାଇଁ ୫୦ଟି ନୂତନ ପରିବହନ ଟ୍ରାନ୍ସଫରମର ମଧ୍ୟ ସ୍ଥାପନ କରାଯିବ ।
ଗାଇସିଲଟ ତହସିଲ ଅନ୍ତର୍ଗତ ଗୁଡ଼େରପାଲି, ତଳପାଲି ଏବଂ ଡାଙ୍ଗବାହାଲ ସ୍ଥାନରେ ନୂତନ ୩ଟି ଆର.ଆଇ ସର୍କଲ ଖୋଲାଯିବ । ବିଜେପୁର ବ୍ଲକର ତଳପଦରଠାରେ ନୂଆ ଜନସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ । ଏକ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ଡାକ୍ତରମାନଙ୍କୁ ସେଠାରେ ନିଯୁକ୍ତି ଦିଆଯିବ । ବିଜେପୁରଠାରେ ସରକାରୀ ଆଇଟିଆଇ ସ୍ଥାପନା କରାଯିବ । ଗାଇସିଲେଟ ଓ ବରପାଲିରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ । ୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ରୋଡ଼ ନେଟୱାର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୪ଟି ସଡ଼କ ବିକାଶ ପ୍ରକଳ୍ପ କରାଯିବ । ୮୦ କି.ମି. ରାସ୍ତାର ବିକାଶ ହେବ । ଏହି ସବୁ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇ ମାସରେ ଥରେ ରିଭ୍ୟୁ କରିବେ । ପାର୍ଟ-୨ ପ୍ୟାକେଜ ଖୁବ୍ ଶୀଘ୍ର ଘୋଷଣା କରାଯିବ । ଏଥିରେ ଜୀବିକା ନିର୍ବାହ ଓ ଅନ୍ୟାନ୍ୟ କ୍ଷେତ୍ର ଉପରେ ଘୋଷଣା କରାଯିବ ।

error: Thank You Keep Visiting