ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରାଯିବ:ମନ୍ତ୍ରୀ ରଘୁନନ୍ଦନ ଦାସ

An Independent Media

ଜଗତସିଂହପୁର: ଜଗତସିଂହପୁର ସଂସ୍କୃତି ଭବନ ଠାରେ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ (ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ) ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା । ସଂଘର ଜିଲା ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ରାଜ୍ୟରେ ସାମ୍ବାଦିକମାନେ ବହୁ ଘାତ ପ୍ରତିଘାତ ଦେଇ କାମ କରୁଛନ୍ତି । ବହୁ ସାମ୍ବାଦିକ ଆର୍ଥୀକ ସ୍ୱଚ୍ଚଳତା ନଥାଇ ମଧ୍ୟ ନିରପେକ୍ଷ ଖବର ପରିବେଷଣରୁ ବିଚ୍ୟୁତ ହୋଇନାହାନ୍ତି । ସାମ୍ବାଦିକମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି । କେବଳ ସ୍ୱାସ୍ଥ୍ୟ ବୀମାରେ ଯୋଜନା ସିମୀତ ରହିବ ନାହିଁ ଆଗାମି ଦିନରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରାଯିବ ବୋଲି କହିଛନ୍ତି । ସମାରୋହରେ ସମ୍ମାନୀତ ଅତିଥି ଭାବେ ସାଂସଦ ଡାଃ. ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ତେଣୁ ସେମାନେ ସୁଦୃଢ ନରହିଲେ ସୁସ୍ଥ ଗଣତନ୍ତ୍ର ସମ୍ଭବ ନୁହେଁ । ତେଣୁ ସେମାନଙ୍କୁ ସୁରକ୍ଷା, ବୀମା ଯୋଗାଇ ଦିଆଯିବା ଉଚିତ ବୋଲି କହିଥିଲେ । ସମାରୋହରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଯୋଗଦେଇ ଅତିତରେ ଜଗତସିଂହପୁରରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଯୋଜନା ହୋଇଥିଲେ ମଧ୍ୟ କାର୍ଯ୍ୟକାରି ହୋଇ ପାରିନଥିଲା । ଏବେ ପୁନର୍ବାର ଏଥିପାଇଁ ଉଦ୍ୟମ କରାଯାଉ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ଜିଲାର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି (ମନ୍ତ୍ରୀ, ସାଂସଦ ଓ ବିଧାୟକ)ଙ୍କୁ ଗୋଟିଏ ମଞ୍ଚରେ ଏକାଠି କରାଇ ପାରି ଥିବାରୁ ସାଧୁବାଦ ଜଣାଇଥିଲେ । ସମସ୍ତେ ଏକମନ ହୋଇ କାନ୍ଧକୁ କାନ୍ଧ ମିଶାଇ ଜିଲାର ବିକାଶ ପାଇଁ କାମ କରିବା ବୋଲି କହିଥିଲେ । ସମାରୋହରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭିଷଣ କର ଯୋଗଦେଇ ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବହୁଥର ଦାବିପତ୍ର ଦିଆଯିବା ସହ ୧୮ଦିନ କାଳ ଧାରଣା ମଧ୍ୟ ଦିଆଯାଇଥିଲା । ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା, ସୁରକ୍ଷା ଆଇନ ଲାଗୁ କରିବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା ଓ କମ ସୁଧରେ ଋଣ ଯୋଗାଇ ଦେବା ଆଦି ବିଷୟରେ ସେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମାରୋହରେ ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିର୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ସମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜର ବକ୍ତବ୍ୟ ଦେଇଥିଲେ । ଜିଲା ସଂଘ ସାଧାରଣ ସମ୍ପାଦକ ନିରଞ୍ଜନ ବାରିକ ସଂଘ ବିଷୟରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ସାମ୍ବାଦିକ ସୋମନାଥ ପରିଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ମନୋଜ ଦାଶ ସ୍ୱାଗତଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅମରଜ୍ୟୋତି ସାହୁ ଧନ୍ୟବାଦ ଦେଇଥିଲେ ।

error: Thank You Keep Visiting