ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ହାଇକୋର୍ଟରେ ମାମଲା ରୁଜୁ
କଟକ/ପୁରୀ : ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ପ୍ରସନ୍ନ କୁମାର ଦାଶ ହାଇକୋର୍ଟରେ ଏ ନେଇ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ରଥଯାତ୍ରାର ସିଧା ପ୍ରସାରଣ ପାଇଁ ନିଲାମ ବିଜ୍ଞପ୍ତିକୁ ରଦ୍ଦ କରିବାକୁ କୋର୍ଟରେ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ ଶ୍ରୀ ମନ୍ଦିରର ଆୟ ବୃଦ୍ଧି ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମଥର ପାଇଁ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇଁ ନିଲାମ ଆହ୍ବାନ କରିଛନ୍ତି। ଅନ୍ୟପକ୍ଷରେ ସିଧା ପ୍ରସାରଣ ନେଇ ହୋଇଥିବା ନିଲାମୀରେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କାର ନିଲାମୀ ଡାକିଛି । ଏମବିସି ଟିଭି ୩୬ ଲକ୍ଷ, ନ୍ୟୁଜ-୧୮ ୧୫ ଲକ୍ଷ, କଳିଙ୍ଗ ଟିଭି ୧୦ ଲକ୍ଷ, ପ୍ରାର୍ଥନା ଟିଭି ୧୦ ଲକ୍ଷ, ସାଧନା ଟିଭି ୪ଲକ୍ଷ ୪୪ହଜାର ଓ କନକ ଟିଭି ଏକ ଲକ୍ଷ ୨୫ ହଜାର ଟଙ୍କାର ନିଲାମୀ ଡାକିଛନ୍ତି । ସୋମବାର ଅପରାହ୍ନରେ ମନ୍ଦିର ପ୍ରଶାସନ ପକ୍ଷରୁ ଆହୁତ ନିଲାମୀ ଖୋଲାଯାଇଛି।