ଆଜି ନୀଳାଦ୍ରି ବିଜେ, ରତ୍ନ ସିଂହାସନକୁ ଫେରିବେ ଶ୍ରୀବିଗ୍ରହ

An Independent Media
ମଙ୍ଗଳବାରେ ଭକ୍ତ ପାଇବେ ନୀଳାଚଳ ଅବଢା

ପୁରୀ: ଗତ ୪ ତାରିଖ ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନ ଛାଡି ଆଡପ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ । ୧୨ଦିନ ପ୍ରଭୁ ରତ୍ନ ସିଂହାସନ ଛାଡି ଭକ୍ତଙ୍କ ମେଳରେ ରହିଥିଲେ । ଆସନ୍ତାକାଲି ନୀଳାଦ୍ରି ବିଜେ କରି ପୁଣି ତାଙ୍କ ସିଂହାସନରେ ଅଧିଷ୍ଠିତ ହେବେ । ସାରା ବିଶ୍ୱରେ ଏଭଳି କୌଣସି ଠାକୁର ନାହାଁନ୍ତି ଯିଏ ଭକ୍ତଙ୍କ ଗହଣଙ୍କୁ ଆସି ଦର୍ଶନ ଦେଇଥାନ୍ତି । ଏହା ଏକ ମହାନ୍ ପରମ୍ପରା । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନକୁ ବିଜେ କରିବେ । ସନ୍ଧ୍ୟାଧୂପ ନୀତି ସରିବା ପରେ ତିନିରଥରେ ଚାରମାଳ ବନ୍ଧାଯିବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ଅନୁଷ୍ଠିତ ହେବ । ପୁଷ୍ପାଳକ ମହାଜନ ମାନେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହାତରେ ଧରି ଦକ୍ଷିଣୀ ଘରକୁ ବିଜେ କରିବେ । ପରେ ଗୋଟି ପହଣ୍ଡିରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଗମ୍ଭୀରାକୁ ବିଜେ କରିବେ । ରତ୍ନ ସିଂହାସନ ତ୍ରିମୁଣ୍ଡିରେ ନୂଆ ଚାନ୍ଦୁଆ ବନ୍ଧା ହେବ । ଶୁଆସାରୀ ଦେଉଳ ଠାରେ ପ୍ରସାଦ ଲାଗି, ଘଷା, ବିଡିଆ ମଣୋହୀ ଓ ବନ୍ଦାବନା ନୀତି ଅନୁଷ୍ଠିତ ହେବ । ରତ୍ନ ସିଂହାସନକୁ ବିଜେ କରିବା ପରେ ଦଇତାପତି ସେବକମାନେ ରୁନ୍ଧାକାର୍ଯ୍ୟ ଶେଷ କରିବେ । ମଙ୍ଗଳବାର ଦିନ ଭକ୍ତମାନେ ପ୍ରଥମ ନୀଳାଚଳ ଅବଢା ପାଇବେ ।

error: Thank You Keep Visiting