ପଟ୍ଟନାୟିକିଆ ଛକରେ ଟ୍ରିପଲ୍ ମର୍ଡ଼ର

An Independent Media
ଉତେଜନା, ରାସ୍ତାରୋକ, ପୋଲିସର ଲାଠିଚାର୍ଜ

ସାକ୍ଷିଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ଆଜି ଅପରାହ୍ନରେ ଘଟିଯାଇଛି ଟ୍ରିପଲ୍ ମର୍ଡ଼ର । ବିଚ୍ ରାସ୍ତାରେ ତିନି ଜଣଙ୍କୁ ଗୋଡାଇ ଗୋଡାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ । ମୃତକ ମାନେ ହେଲେ ସଦାନନ୍ଦପୁର ଗ୍ରାମର କୃଷ୍ଣ ବେହେରା,ପଂଚୁ ବେହେରା ଓ ପୂର୍ଣ୍ଣ ବେହେରା । ଏହି ତିନି ଜଣ କୌଣସି କାମରେ ପଟ୍ଟନାୟିକିଆ ଛକକୁ ଆସୁଥିବା ବେଳେ ସେଠାରେ ଏକ ଦୋକାନରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ ମାନେ ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କୃଷ୍ଣ, ପଂଚୁ ଓ ପୂର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଭାଇ ଓ ଅନ୍ୟ ଜଣେ ଯୁବକ ଥିବା ଜଣାପଡିଛି । ଘଟଣାକୁ ନେଇ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରିବା ସହ ସେଠାରେ ବ୍ୟାପକ ପୋଡାଜଳା କରିଛନ୍ତି । ଖବର ପାଇ ସତ୍ୟବାଦୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା । ଆନ୍ଦୋଳନକାରୀ ନିଜ ଜିଦ୍ ରେ ଅଡି ବସିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା ।

ଉତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଅଧିକ ସଂଖ୍ୟକ ଫୋର୍ସ ମୂତୟନ କରାଯାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଶେଷ ଖବର ସୁଦ୍ଧା ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ଅଛନ୍ତି ।

error: Thank You Keep Visiting