କାଗଜକଲମରେ ବଢୁଛି ଉଦ୍ୟୋଗ ଓ ନିଯୁକ୍ତି ସଂଖ୍ୟା:ନିରଞ୍ଜନ ପଟ୍ଟନାୟକ

Straight to the Point

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ବହୁ ସଂଖ୍ୟାରେ ଶିଳ୍ପ ପ୍ରତିଷ୍ଠା କରିଥିବା ଏବଂ ରାଜ୍ୟର ବହୁ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିବାର ଡିଣ୍ଡିମ ପିଟୁଥିବାବେଳେ ତାହାର ସତ୍ୟତା ପଦାରେ ପଡିଯାଇଛି । ବାଣିଜ୍ୟ ବ୍ୟବସାୟ କରିବାକୁ ଓଡ଼ିଶାରେ ଯେଉଁସବୁ ସୁବିଧା ସୁଯୋଗ (ଇଜ୍ ଅଫ ଡୁଇଂ ବିଜନେସ) ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି, ସେହି ମାନ୍ୟତାରେ ଓଡ଼ିଶା ତଳକୁ ଖସିଆସିଛି । ୨୦୧୭ ରିପୋର୍ଟ ଅନୁଯାୟୀ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନକୁ ଖସିଆସିଛି, ଯାହା ବର୍ଷକ ପୂର୍ବରୁ ଏକାଦଶ ସ୍ଥାନରେ ରହିଥିଲା । ରାଜ୍ୟ ସବୁକ୍ଷେତ୍ରରେ ଉତମ ପ୍ରଦର୍ଶନ କରିଥିବା କୁହାଯାଉଛି । କିନ୍ତୁ ବୃହତ ଏବଂ ଏମଏସଏମଇଗୁଡିକ ନିକଟରୁ ସେମାନଙ୍କ ମତାମତ ନିଆଯିବା ସମୟରେ ସେମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ରହିଥିବା ବାତାବରଣ ସେମାନଙ୍କୁ ସୁହାଉନଥିବା ଜଣାଯାଇଛି । ଫଳରେ ବହୁ ଉଦ୍ୟୋଗୀ ଓ ବ୍ୟବସାୟୀ ଓଡ଼ିଶାରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ରହିଥିବା ଏବଂ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଥିବା କଥା କୁହାଯାଉଛି । କିନ୍ତୁ ଏଠାକୁ ଯେତିକି ସଂଖ୍ୟକ ଉଦ୍ୟୋଗପତି ଉଦ୍ୟୋଗ ସ୍ଥାପନ କରିବାକୁ ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଅଧାରୁ କମ୍ ଉଦ୍ୟୋଗ ସ୍ଥାପନ କରିଥିବା ଜଣାଯାଇଛି । ଇତିମଧ୍ୟରେ ସରକାର ରାଜିନାମା କରିଥିବା ୯୨ ପ୍ରକଳ୍ପ ମଧ୍ୟରୁ ୪୬ଟି ପ୍ରକଳ୍ପରୁ ଆଂଶିକ ଉତ୍ପାଦନ ଆରମ ହୋଇଛି । ସେଥିମଧ୍ୟରେ ୩୬ଟି ଇସ୍ପାତ ଉଦ୍ୟୋଗ ଥିବାବେଳେ ଚାରିଟି ତାପଜ ଶକ୍ତି ପ୍ରକଳ୍ପ, ଦୁଇଟି ସିମେଂଟ କାରଖାନା ଏବଂ ତିନିଟି ଆଲୁମିନିୟମ ଶିଳ୍ପ ସଂପର୍କିତ ରହିଛି । ଯାହା ଜଣାଯାଇଛି, ଯେଉଁସବୁ ଉଦ୍ୟୋଗ ଆଂଶିକ ଉତ୍ପାଦନ ଆରମ୍ଭ କରିଥିବା କହୁଛନ୍ତି, ସେଗୁଡିକ ସମ୍ଭବତଃ କିଛି ସୁବିଧା ସୁଯୋଗ ପାଇବା ଆଶାରେ ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି । କାରଣ କଂଚାମାଲ ପାଇବାରେ ଅନିଶ୍ଚିତ ଅବସ୍ଥା କାରଣରୁ ଅଧିକାଂଶ ପ୍ରକଳ୍ପ ସେମାନଙ୍କର ପୂର୍ଣ୍ଣ ଉତ୍ପାଦନ କ୍ଷମତାରେ ପହଂଚୁନାହାନ୍ତି ।
ରାଜ୍ୟରେ ବେକାର ସମସ୍ୟା ସମ୍ପର୍କରେ ଉଲ୍ଲେଖକରି ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୧୪ର ଲେବର ବ୍ୟୁରୋ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨.୬ ଲକ୍ଷ ସ୍ନାତକ ଓ ସ୍ନାତକୋତର ଡିଗ୍ରୀଧାରୀ ବେକାର ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଥିଲେ । ଏମାନଙ୍କ ସଂଖ୍ୟା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ରହିଥିଲା । ରାଜ୍ୟରେ ଥିବା ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜଗୁଡିକ ଜରିଆରେ ନିଯୁକ୍ତି ୨୦୧୦ରୁ ୨୦୧୪ ମଧ୍ୟରେ ୮୪ ପ୍ରତିଶତ ହ୍ରାସପାଇଛି । ୨୦୧୦ରେ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ନାମ ପଞ୍ଜିକୃତ କରିଥବା ଯୁବକ ଯୁବତୀଙ୍କ ସଂଖ୍ୟା ୯.୪ ଲକ୍ଷ ଥିବାବେଳେ ସେହିବର୍ଷ ଏକ୍ସଚେଞ୍ଜ ଜରିଆରେ ୪୪୮୦ ଜଣଙ୍କୁ ନିଯୁକ୍ତି ମିଳିଥିଲା । ୨୦୧୪ ବେଳକୁ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୧ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ଏକ୍ସଚେଞ୍ଜ ଜରିଆରେ ମାତ୍ର ୭୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗରେ ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଘରୋଇ ଉଦ୍ୟୋଗରେ ଯେଉଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ସେଥିରେ ରାଜ୍ୟ ବାହାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି । କେବଳ ଶ୍ରମିକ, ଖଲାସି ଭଳି କିଛି କାମ ଓଡ଼ିଶାର ଯୁବକ ଯୁବତୀଙ୍କୁ ମିଳୁଛି । ତେଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲକ୍ଷ ଲକ୍ଷ ବେକାର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପିସିସି ସଭାପତି ଦାବି କରିଛନ୍ତି ।

error: Thank You Keep Visiting