ବିଜେଡି ଏନଡିଏକୁ ଭିତିରିଆ ସମର୍ଥନ କରୁଛି:ନିରଂଜନ

Straight to the Point

ଭୁବନେଶ୍ୱର: ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ମତଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛି ବିଜେଡି । ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ହିଁ ବିଜେଡି ସାଂସଦ ମାନେ କକ୍ଷ ତ୍ୟାଗ କରିଛନ୍ତି । ଏସମ୍ପର୍କରେ ବିଜେଡି ସଂସଦୀୟ ନେତା ଭର୍ତୃହରି ମହତାବ ଗୃହରେ ସୂଚନା ଦେବା ପରେ ତାଙ୍କ ନେତୃତ୍ୱରେ ସମସ୍ତେ ଗୃହ ବାହାରକୁ ଚାଲିଯାଇଥିଲେ । ସେ କକ୍ଷତ୍ୟାଗ କରିବା କାରଣ ସମ୍ପର୍କରେ କହିଥିଲେ ଯେ ଓଡିଶାର ସ୍ୱାର୍ଥପାଇଁ ଆମେ କକ୍ଷତ୍ୟାଗ କରିବାକୁ ନିଷ୍ପତି ନେଇଛୁ । ୧୦ ବର୍ଷର ଉପା ସରକାର ଓ ୪ ବର୍ଷର ସରକାରରେ ରାଜ୍ୟ ପ୍ରତି ଅବିଚାର, ଅବହେଳା ଓ ଅନ୍ୟାୟ କରାଯାଇଛି । ଆଜି ଯେଉଁ ଅନାସ୍ଥା ଆସିଛି ଏପରି ଡ୍ରାମାରେ ଆମେ ଭାଗ ନେବାକୁ ଚାହୁଁନାହୁଁ । ଏ ଆଲୋଚନାରୁ ରାଜ୍ୟକୁ କିଛି ଲାଭ ମିଳିବ ନାହିଁ ବୋଲି ସେ କହିଥିଲେ । କକ୍ଷତ୍ୟାଗ ପରେ ଗୃହ ବାହାରେ ବିଜେଡି ସାଂସଦ କଳିକେଶ ସିଂହଦେଓ କହିଥିଲେ ଯେ ଆମେ ଯେଉଁ ନିଷ୍ପତି ନେଉଛି ତାହାଠିକ୍ । ଏହା ରାଜ୍ୟ ସ୍ୱାର୍ଥଜନିତ । ସଂଖ୍ୟା ଗଣତିରେ ଏନଡିଏ ବହୁ ଆଗରେ ଅଛି । ପ୍ରସ୍ତାବ ନିଶ୍ଚିନ୍ତ ଭାବେ ଏନଡିଏ ସପକ୍ଷରେ ଯିବ , ତେବେ ଏ ଡ୍ରାମା କାହିଁକି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡିର କକ୍ଷତ୍ୟାଗ ପ୍ରସଙ୍ଗକୁ ସମାଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସମଦୂରତା କଥା କହୁଛି, କିନ୍ତୁ ବାସ୍ତବରେ ଭିତିରିଆ ଭାବେ ବିଜେପିକୁ ସମର୍ଥନ କରୁଛି । ସମଦୂରତା କେବଳ ସ୍ଲୋଗାନ୍ ଓ ଲୋକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ । ବିଜେଡିକୁ ସିବିଆଇ ଭୟ ଓ ବିଜେପିକୁ ସଂଖ୍ୟା ଭୟ ଘାରୁଛି । ତେଣୁ ଉଭୟ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ବିଜେଡି ଅନାସ୍ଥା ଆଲୋଚନାରେ ଭାଗ ନନେବା ବିଜେଡିର ଦୋମୁହାଁ ନୀତିର ପରିଚୟ । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଉପଯୁକ୍ତ ଫୋରମ୍ ରେ ପ୍ରସଙ୍ଗ ନଉଠାଇ କକ୍ଷତ୍ୟାଗ କରିବା ଠିକ୍ ହୋଇନାହିଁ । ସୂଚନାଯୋଗ୍ୟ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ନେଇ ପୁଣି ଥରେ ବିଜେଡିର ବୈଠକ ବସିଥିଲା । ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତି ଆଧାରରେ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅନାସ୍ଥା ଅଣାଯାଇଛି । ସନ୍ଧ୍ୟା ୬ଟାରେ ମତଦାନ ହେବାକୁ ନିଷ୍ପତି ହୋଇଛି । ଅନାସ୍ଥା ନେଇ ବିଭିନ୍ନ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲା ।

error: Thank You Keep Visiting