ବିଜେଡିର ଲୋକପ୍ରିୟତା ସଭିଙ୍କୁ ଅଡୁଆ

Straight to the Point

ଭଦ୍ରକ (ସିପ୍ରା ରାୟ) – ବିଜେଡି ହେଉ କି କଂଗ୍ରେସ ସମସ୍ତଙ୍କ ଟାର୍ଗେଟ୍ରେ ଏବେ ବିଜେଡି । ଶାସକ ବିଜେଡିର ଲୋକପ୍ରିୟତା ଏବେ ପ୍ରତିପକ୍ଷ ଦଳକୁ ବେଶ ଅଡୁଆରେ ପକାଇ ଦେଇଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଟିଏ ପରେ ଗୋଟିଏ ଅଭିନବ ଯୋଜନା କାର୍ଯ୍ୟକାରୀ କରି ବିଜେଡି ଏବେ ଲୋକ ପ୍ରିୟତାର ଶୀର୍ଷରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ବିଜେପି ଏବଂ କଂଗ୍ରେସ ଚିନ୍ତାରେ ପଡିଛନ୍ତି । ତେବେ ଜିଲାରେ ଆଗକୁ ଆସୁଥିବା ଏହି ମହାଲଢେଇରେ ବିଜେଡିର କିଏ ହେବ ମୁଖ୍ୟ ପ୍ରତିଦ୍ୱନ୍ଦୀ ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଜିଲାରେ ୫ ବିଧାନସଭା ଏବଂ ଏକମାତ୍ର ଲୋକସଭା ଆସନ ଶାସକ ବିଜେଡି ଦଖଲରେ ରହିଛି । ତେବେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟରେ ବିଜେଡିର ଏହି ଦୁର୍ଗ ଭାଗିଂବାକୁ ବିରୋଧୀଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଥିବାବେଳେ ବିଜେଡି କୌଣସି ପରିସ୍ଥିତିରେ ବିରୋଧୀଙ୍କୁ ବାଟ ଛାଡିବାକୁ ନାରାଜ । ଗତ ୩ ଟର୍ମର ରାଜନୈତିକ ଦୃଶ୍ୟପଟ୍ଟର ତର୍ଜମା କରାଗଲେ ପ୍ରତି ନିର୍ବାଚନରେ ଶାସକ ବିଜେଡିକୁ ଟକ୍କର ଦେଇ ଆସୁଛି କଂଗ୍ରେସ । କେବଳ ଗତ ପଂଚାୟତ ନିର୍ବାଚନରେ ସ୍ଥିତି ସାମୟିକ ବଦଳିଛି । ଧାମନଗରରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିବା ବେଳେ ଭଣ୍ଡାରିପୋଖରୀ ଏବଂ ବନ୍ତ ବ୍ଲକ୍କୁ ଛାଡି ଅନ୍ୟ ସବୁଠି ଦଳ ପ୍ରତିଦ୍ୱନ୍ଦ୍ିତା ଦୌଡରେ କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଧାମନଗରରେ ଦଳକୁ ପୂର୍ଣ୍ଣ ବହୁମତ ମିଳିବା ପଛରେ ଜନ ସମର୍ଥନ ଅପେକ୍ଷା ବିଜେଡିର ଗୋଷ୍ଠୀ କନ୍ଦଳ ଏବଂ ବିଧାୟକ ବିରୋଧୀ ଅଭିଯାନକୁ ମୁଖ୍ୟତ ଦାୟୀ କରାଯାଇପାରେ । ଗତ ପଂଚାୟତ ନିର୍ବାଚନରେ ଦଳର ଏହି ସପଳତାକୁ ପୁଂଜିକରି ଦଳଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ସଫଳ ହେବ ବୋଲି ଆଶାବାଦୀ ରହିଛି ।

ଅନ୍ୟପକ୍ଷରେ ଜିଲାରେ ପ୍ରଭାବୀ ସଂଗଠନ ଥାଇ ମଧ୍ୟ ଦଳୀୟ ଗୋଷ୍ଠୀ କନ୍ଦଳ ଏବଂ ଦୁର୍ବଳ ନେତୃତ୍ୱ ଯୋଗୁଁ କଂଗ୍ରେସକୁ ନିର୍ବାଚନରେ ହାତଟେକି ଦେବାକୁ ପଡିଥିଲା । ପଂଚାୟତ ନିର୍ବାଚନର ଏହି ଫଳାଫଳ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ପ୍ରତିଦ୍ୱନ୍ଦିତା ଦୌଡରେ ତୃତୀୟ ସ୍ଥାନକୁ ଖସାଇ ନେବାର ଆଶଙ୍କା କରାଯାଉଥିଲେ ମଧ୍ୟ ଦେଶରେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ଏବେ ଜିଲା ରାଜନୈତିକ ଦୃଶ୍ୟପଟ୍ଟକୁ ବଦଳାଇ ଦେଇଛି । ଏଥିନେଇ ଜିଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ କହିଥିଲେ ଯେ ଆଗାମୀ ନିର୍ବାଚନରେ ଆମର ମୁକ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନୁହେଁ ବିଜେଡି । ଶାସକ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ଦଳ ସବୁମତେ ତାର ପ୍ରୟାସ ଜାରି ରଖିବ । ବିଶେଷକରି ବିକାଶ ନାମରେ ରାଜ୍ୟବାସୀଙ୍କ ଅର୍ଥରେ ସରକାର ବଳାଇଥିବା ମୋ ଗାଁ ମୋ ବିକାଶ ଏବଂ ପିଠା ଭଳି କାର୍ଯ୍ୟକ୍ରମ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ଆଗାମୀ ୨୬ ତାରିଖ ପଂଚାୟତିରାଜ ଦିବସକୁ କଳା ଦିବସ ଭାବେ ଏବଂ ୨୮ ତାରିଖ କଂଗ୍ରେସ ପ୍ରତିଷ୍ଠା ଦିବସକୁ ମହିଳାଙ୍କୁ ସମ୍ମାନ ଦିବସ ଭାବେ ପାଳନ କରିବାକୁ ଯାଉଛି ବୋଲି କହିଥିଲେ ।

ସେହିଭଳି ଏ ସଂପର୍କରେ ବିଜେପି ଜିଲା ସଭାପତି ବଦ୍ରି ନାରାୟଣ ଧଳଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ଆମ ଟାର୍ଗେଟ୍ରେ କେବଳ ବିଜେଡି ରହିଛି । ଜିଲାରେ ଆମେ କଂଗ୍ରେସକୁ ଆମର ପ୍ରତିଦ୍ୱନ୍ଦୀ ବୋଲି ମନେ କରୁନାହୁଁ । ଯାହାକି ଗତ ପଂଚାୟତ ନିର୍ବାଚନରେ ପ୍ରମାଣିତ କରିସାରିଛୁ ବୋଲି କହିଛନ୍ତି । ତେବେ ଏ ସଂପର୍କରେ ବିଜେଡି ଜିଲା ସଭାପତି ତଥା ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଥିଲେ ଯେ ଆମ ପାଇଁ ଉଭୟ ଦଳ ପ୍ରତିଦ୍ୱନ୍ଦୀ ଅଟନ୍ତି । ନିର୍ବାଚନ ମଇଦାନରେ ବିଜେଡି ସବୁ ଦଳର ପ୍ରତିଦ୍ୱନ୍ଦିତାକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି । ନିର୍ବାଚନରେ ଆମ ଲକ୍ଷ୍ୟ ପ୍ରତିଦ୍ୱନ୍ଦିତା ନୁହେଁ ବିଜୟ ବୋଳି ସେ କହିଛନ୍ତି ।

error: Thank You Keep Visiting