ବିମୁଦ୍ରାକରଣ ଦେଶର ସବୁଠାରୁ ବଡ ଦୁର୍ନୀତି:ରଣଦୀପ
ନୂଆଦିଲ୍ଲୀ : କଂଗ୍ରେସ ଶୁକ୍ରବାର ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ସଙ୍ଗିନ ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟବାଲା ଏକ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଯେଉଁ ସହକାରୀ ବ୍ୟଙ୍କରେ ନିର୍ଦେଶକ ଥିଲେ, ସେହି ବ୍ୟାଙ୍କରେ ବିମୁଦ୍ରାକରଣ ସମୟରେ ଅଧିକ ପୂରୁଣା ନୋଟ ଜମା କରାଯାଇଛି। ସେ ଆହୁରି କହିଛନ୍ତି, ଗତକାଲି ଠାରୁ ବିଜେପି ଚିନ୍ତାରେ ରହିଛି। ବିମୁଦ୍ରାକରଣ ଦେଶର ସବୁଠାରୁ ବଡ ଦୁର୍ନୀତି ଥିଲା, ୧୯ ମାସ ପରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଗୁଜୁରାଟର ୧୧ଜିଲାରେ ଥିବା ବିଜେପି ନେତାଙ୍କ ସହକାରୀ ବ୍ୟାଙ୍କରେ ୫ଦିନ ମଧ୍ୟରେ ୧୪,୩୦୦କୋଟି ଟଙ୍କା ଜମା କରାଯାଇଥିଲା ବୋଲି ସେ କହିଛନ୍ତି। ଆଇଏନଏସ ନ୍ୟୁଜ ଏଜେନ୍ସି କହିବା ମୁତାବକ, ଅମିତ ଶାହ ନିର୍ଦେଶକ ଥିବା ସହକାରୀ ବ୍ୟାଙ୍କରେ ୫୦୦ ଓ ୧୦୦୦ ଟଙ୍କା ନୋଟ ସବୁଠାରୁ ଅଧିକ ଜମା ହୋଇଥିଲା। ସୂଚନା ଅଧିକାର ଆଇନ ଅନୁସାରେ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା।