ନବୀନ ବାବୁଙ୍କ ନେତୃତ୍ୱ ଓ ସୁପ୍ରଶାସନକୁ ଦେଶ ବିଦେଶରୁ ପ୍ରଶଂସା ମିଳିଚାଳିଛି – ପ୍ରଣବ ପ୍ରକାଶ ଦାସ
ଯାଜପୁର- ଯାଜପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳର ୨୧ ତମ ପ୍ରତିଷ୍ଠା ଦିବସ ମା’ ବିରଜା ମନ୍ଦିର ନିକଟ ବିରଜା କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଯାଜପୁର ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଜୁ ଜନତା ଦଳ ଗଠନପରେ ୧୯୯୯ ମହାବାତ୍ୟା ବେଳେ ଆମ ରାଜକୋଷ ଶୂନ୍ୟ ଥିବା ବେଳେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଭୁ ଜଗନ୍ନାଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରି ବସାଇଥିଲେ । ଏହାପରେ ଓଡ଼ିଶାର ବିକାଶ ଧାରା ଆଜି ଯାଏ ଆଗେଇ ଚାଲିଛି । ବିଜେଡ଼ି ଆଉ ପଛକୁ ଚାହିଁନାହିଁ । ବର୍ତମାନ ବିଜେଡ଼ି ସମଗ୍ର ଦେଶରେ ପ୍ରମୁଖ ରାଜନୈତିକ ଦଳ ଭାବେ ଉଭା ହୋଇଛି ।
ନବୀନ ବାବୁଙ୍କ ନେତୃତ୍ୱ ଓ ସୁଶାସନକୁ ଦେଶ ବିଦେଶରୁ ପ୍ରଶଂସା ମିଳିଚାଲିଛି । ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର୍ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀଭାବେ ଗଣନା କରିଛନ୍ତି । ବିଜେଡ଼ି ହେଉଛି ଓଡ଼ିଶା ଲୋକଙ୍କ ଦଳ, ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ବିଧାୟକ ଶ୍ରୀ ଦାସ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ନବୀନ ବାବୁଙ୍କ ଆଦର୍ଶ ଓ ଇଛାକୁ ଯୁବପୀଢ଼ି ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଏଥି ସହ ବିଜେପିର ମିଛ ପ୍ରଚାରକୁ ପ୍ରତିହତ କରିବା ପାଇଁ ସଜାଗ ରହିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଯାଜପୁର ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ନାୟକ, ଦଶରଥପୁର ପଂଚାୟତ ସମିତି ଅଧ୍ୟକ୍ଷ ସୁଜାତା ସାହୁ, ବିଜେଡ଼ିର ବରିଷ୍ଠ ନେତା କର୍ଣ୍ଣାଟ କେଶରୀ ଦାସ, ବିଜୟ ମହାନ୍ତି, ପୂର୍ବତନ ବରିଷ୍ଠ କାଉନ୍ସିଲର ସନ୍ତୋଷ କୁମାର ମଲ୍ଲିକ୍, ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ, ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରକାଶ ତ୍ରିପାଠୀ, ବରିଷ୍ଠ ବିଜେଡ଼ି ନେତା ତଥା ସୁସଙ୍ଗଠକ ଅକ୍ଷୟ ମହାନ୍ତି, ପ୍ରଭାତ ଘଡ଼ାଇ, ଯୁବ ନେତା ମନୋଜ ସାହୁ, ପାର୍ଥ ସାରଥି ରାୟ, ଜିଲ୍ଲା ପରିଷଦ ସଭ୍ୟ ଆଦିକନ୍ଦ ସନ୍ଦିବିଗ୍ରହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହାଳୟା ମହାପାତ୍ର, ମାମିନା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଶରତ କୁମାର ଦାସ, ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦେଇଥିଲେ । ଏହି ଉତ୍ସବରେ ହଜାର ହଜାର ବିଜେଡ଼ି କର୍ମୀ ଓ ଶୁଭେଚ୍ଛୁ ଯୋଗଦାନ କରିଥିଲେ ।