ଏନଡିଏକୁ ଫେରିବାର ନାହିଁ: ଜିତନ୍ ରାମ୍ ମାଞ୍ଝି

Straight to the Point

ପାଟନା: ବିଜେପି ବିରୋଧରେ ଗଠିତ ହୋଇଥିବା ମହାମେଣ୍ଟ ଆମକୁ କୌଣସି ଆସନ ଆବଣ୍ଟନ ନକଲେ ମଧ୍ୟ ଚଳିବ କିନ୍ତୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସ୍ପି)କୁ ଆବଣ୍ଟନ ହେବାକୁ ଥିବା ଆସନ ତୁଳନାରେ କମ୍ ଆସନ ଗ୍ରହଣ କରିବୁ ନାହିଁ । ଆଜି ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା (ଏଚ୍ଏମ୍ଏମ୍) ମୁଖ୍ୟ ଜିତନ୍ ରାମ୍ ମାଞ୍ଝି ।
ମାଞ୍ଝିଙ୍କ କହିବାନୁସାରେ ମହାମେଣ୍ଟରେ ସାମିଲ ହୋଇଥିବା ଦଳଗୁଡିକଙ୍କୁ ଏବେ ଆସନ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇନି । ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେବ, ସେତେବେଳେ ତାଙ୍କ ଦଳ ନିଜ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଆସନ ଦାବି କରିବ । ତେବେ ନିକଟରେ ଏନ୍ଡିଏ ଠାରୁ ସମ୍ପର୍କ ତୁଟାଇବା ପରେ ମହାମେଣ୍ଟରେ ସାମିଲ ହୋଇଥିବା ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସ୍ପି ଦଳକୁ ଯେତିକି ଆସନ ଆବଣ୍ଟନ କରାଯିବ, ଅନ୍ତତଃ ସେତିକି ସଂଖ୍ୟକ ଆସନ ତାଙ୍କ ଦଳକୁ ମଧ୍ୟ ଦିଆଯିବ ବୋଲି ତାଙ୍କର ଆଶା ରହିଛି ।

ଆରଏଲ୍ଏସ୍ପି ତୁଳନାରେ କମ୍ ସଂଖ୍ୟକ ଆସନ ସେ କଦାପି ଗ୍ରହଣ କରିବେନି, ତେଣିକି ତାଙ୍କ ଦଳକୁ କୌଣସି ଆସନ ଆବଣ୍ଟନ ନହେଲେ ମଧ୍ୟ ତାଙ୍କର କିଛି କହିବାର ନାହିଁ । ସେହିପରି ମହାମେଣ୍ଟରେ ଯଦି ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ଦଳକୁ ଆବଶ୍ୟକ ସଂଖ୍ୟକ ଆସନ ନ ମିଳେ ତେବେ ସେ ଏନ୍ଡିଏ ସହ ପୁନଃ ମେଣ୍ଟ କରିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ସେସସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ମାଞ୍ଝି କହିଛନ୍ତି, ଏନ୍ଡିଏକୁ ପୁଣି ଫେରିବା ନେଇ ଯାହା କିଛି କୁହାଯାଉଛି ତାହା ସମ୍ପୂର୍ଣ୍ଣ କାଳ୍ପନିକ । ଏପରିକି ଏନ୍ଡିଏ ଯଦି ବିହାରରେ ତାଙ୍କ ଦଳକୁ ନିର୍ବାଚନ ଲଢ଼ିବା ପାଇଁ ଅଧିକ ଲୋକସଭା ଆସନ ଦେବା ପାଇଁ ପ୍ରସ୍ତାବ ଦିଏ, ତେବେ ମଧ୍ୟ ସେ ଏନ୍ଡିଏକୁ ସମର୍ଥନ କରିବା କିମ୍ବା ପୁନଃ ମେଣ୍ଟ କରିବା ସମ୍ଭବ ନୁହେଁ । ତାଙ୍କ ଦଳ ଏବେ ବିଜେପି ବିରୋଧୀ ମହାମେଣ୍ଟରେ ରହିବାକୁ ନିଷ୍ପତ୍ତି ନେଇସାରିଛି । ପ୍ରକାଶ ଯେ, ମହାମେଣ୍ଟରେ ସାମିଲ ହୋଇଥିବା ଅନ୍ୟତମ ପୁରୁଣା ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ସାନପୁଅ ତେଜପ୍ରତାପ ଦୁଇଦିନ ପୂର୍ବେ ମାଞ୍ଝିଙ୍କୁ ଭେଟି ମହାମେଣ୍ଟରେ ସାମିଲ ହୋଇଥିବା ସମସ୍ତ ଦଳଙ୍କୁ ସମାନ ଅଗ୍ରାଧିକାର ସୂତ୍ରରେ ଆସନ ଆବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

error: Thank You Keep Visiting