ବିଧାନସଭା ନିର୍ବାଚନ ଆଗୁଆ କରିବା ପାଇଁ ଚର୍ଚ୍ଚା

Straight to the Point

ଭୁବନେଶ୍ୱର : ଦେଶରେ ସାଧାରଣ ନିର୍ବାଚନ ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଆଗୁଆ କରିବା ପାଇଁ ଚର୍ଚ୍ଚା ଚାଲିଛି। ଅନୁରୂପ ଭାବେ ଲୋକସଭା ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ଲାଗି ଯେଉଁ ସମ୍ଭାବନା ରହିଛି ସେହି ମର୍ମରେ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରକ୍ରିୟା ତ୍ୱରାନ୍ବୟନ ଏହି ଆଲୋଚନାକୁ ଅଧିକ ବଳ ଦେଇଛି। ଏ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ରଣନୀତି ଆରମ୍ଭ ହୋଇଗଲାଣି। ଏମିତି ସ୍ବାଭାବିକ ଭାବେ ସାଧାରଣ ନିର୍ବାଚନ ଆଉ ମାତ୍ର ୧୦ ମାସ ବାକି ରହିଛି। ଏତେବଡ଼ ରାଷ୍ଟ୍ରରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରାଇବା କମିଶନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବୃହତ୍‌ କାର୍ଯ୍ୟ ଥିବାରୁ ଏବେଠାରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ମଧ୍ୟ କୁହାଯାଉଛି।
କମିଶନଙ୍କ ନିର୍ଦେଶ ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ନିର୍ବାଚନ ପରିଚାଳନା ନେଇ ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ, ଗଚ୍ଛିତ ଥିବା ଇଭିଏମ ଏବଂ ଭିଭିପାଟ ମେସିନ ଯାଞ୍ଚ ସହ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଉଦ୍ୟମ ଆରମ୍ଭ ହୋଇଛି। ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲିବ। ଜିଲାପାଳମାନଙ୍କୁ ନିର୍ବାଚନ ପାଇଁ ଜିଲାୱାରୀ ଖର୍ଚ୍ଚ ତାଲିକା ମାଗିଛନ୍ତି ରାଜ୍ୟ ସରକାରଙ୍କ ଗୃହ(ନିର୍ବାଚନ) ବିଭାଗ। ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ୨୦୧୯ ପ୍ରଥମ ଭାଗରେ ସାଧାରଣ ନିର୍ବାଚନ ପାଇଁ ନିର୍ଦ୍ଧାରିତ ସୂଚୀ ରହିଛି। ନିର୍ବାଚନର ଗୋଟିଏ ବର୍ଷ ଆଗରୁ ଏଭଳି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
ଗତ ଏପ୍ରିଲ ମାସରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଚଳିତମାସରେ ବିଭାଗର ସହକାରୀ ଆର୍ଥିକ ଉପଦେଷ୍ଟା ସମସ୍ତ ଜିଲାପାଳଙ୍କୁ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ମାଗିଛନ୍ତି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଫିସରମାନଙ୍କ ଗସ୍ତ ସମ୍ପର୍କିତ ଖର୍ଚ୍ଚ ଠାରୁ ଆରମ୍ଭ କରି ନିର୍ବାଚନ ପାଇଁ ଫର୍ମ ଛାପା, ଷ୍ଟ୍ରଙ୍ଗ ରୁମ୍‍ ନିର୍ମାଣ ଓ ମରାମତି, ଇଭିଏମ, ଭିଭିପାଟ ପରିବହନ ସହ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଯାନବାହନ ବାବଦ ଖର୍ଚ୍ଚ ଆଦିର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ପ୍ରାୟ ୨୪ଟି ବର୍ଗରେ ହେବାକୁ ଥିବା ବ୍ୟୟ ସମ୍ପର୍କିତ ଆବଶ୍ୟକତା ଜଣାଇବାକୁ ଏହି ପତ୍ର ଲେଖା ଯାଇଛି। ତେବେ କୌଣସି ଜିଲାପାଳ ଏପର୍ଯ୍ୟନ୍ତ ଏହି ତଥ୍ୟ ପ୍ରଦାନ କରିନଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଗତ ୨୦୧୪ରେ ନିର୍ବାଚନ ପରିଚାଳନା ପାଇଁ ୧୧୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଆଗାମୀ ନିର୍ବାଚନରେ ବ୍ୟୟ ଭାର ୨୦୦କୋଟି ଛୁଇଁବା ସମ୍ଭାବନା ଥିବା ଏହି ସୂତ୍ରରୁ ଜଣାଯାଇଛି। ଏଥର ପ୍ରତି ଜିଲାରେ ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ରୁମ ରହିବ। ପୂର୍ତ୍ତ ବିଭାଗ ଏସବୁର ନିର୍ମାଣ କରୁଛି। ଏବାବଦରେ ସରକାର ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରିଛନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ୫ ଜଣ ଅଧିକାରୀ ନିର୍ବାଚନ ପରିଚାଳନା ସଂକ୍ରାନ୍ତ ପ୍ରଶିକ୍ଷଣ ନେଇ ନୂଆଦିଲ୍ଲୀରୁ ଫେରିଛନ୍ତି। ସେମାନେ ସମ୍ବଲପୁର,ଝାରସୁଗୁଡ଼ା, କଟକ ଓ ଗଞ୍ଜାମ ଜିଲାରେ ଆୟୋଜିତ ଜୋନ୍‍ସ୍ତରରେ ନିର୍ବାଚନ ଅଧିକାରୀ ଏବଂ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏହି ପ୍ରଶିକ୍ଷଣ ରାଜ୍ୟର ୫୮ ଜଣ ଉପ ଜିଲାପାଳ ଏବଂ ୭୦୦ ତହସିଲଦାର, ବିଡ଼ିଓ ଏବଂ ସହକାରୀ ବିଡିଓ ନେଇଛନ୍ତି। ଭୁବନେଶ୍ୱର ଠାରେ ଜିଲାସ୍ତରର ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସେମାନେ ବୁଥ୍‍ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦେବେ।

error: Thank You Keep Visiting