ରାହୁଲ ଗାନ୍ଧୀ ବିନା ହୋମୱାର୍କରେ ଓଡ଼ିଶା ଆସୁଛନ୍ତି : ବିଜେଡି

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ବିନା ହୋମୱାର୍କରେ ଓଡ଼ିଶା ଆସିଥିବାରୁ ବିଜୁ ଜନତା ଦଳ ନାପସନ୍ଦ କରିଛି । ଓଡ଼ିଶାକୁ ସାଢ଼େ ତିନିବର୍ଷ ହେଲା ଭୁଲିଯାଇଥିବା ରାହୁଲ ଏବେ ନିର୍ବାଚନ ବେଳକୁ ପର୍ଯ୍ୟଟନ ଭ୍ରମଣରେ ଓଡ଼ିଶା ଆସିବାକୁ ମନା ନାହିଁ । ମାତ୍ର ଓଡ଼ିଶାର ବିକାଶ ସମ୍ପର୍କରେ ତାଙ୍କ ନେତାଙ୍କ ଠାରୁ ଆଗୁଆ ତଥ୍ୟ ବୁଝି ଏଠି ଭାଷଣ ଦେଲେ ତାଙ୍କ ପଦର ମର୍ଯ୍ୟାଦା ରକ୍ଷା ହୁଅନ୍ତା । ମହିଳା ସଶକ୍ତିକରଣର ଭାଷଣ ଦେଉଥିବା ରାହୁଲ ଗାନ୍ଧୀ ଲୋକସଭା ଆସନରେ ୩୩% ମହିଳାଙ୍କୁ ଟିକେଟ ଦେବେ କି ନାହିଁ ଆଗ ସ୍ପଷ୍ଟ କରନ୍ତୁ । ନବୀନ ପଟ୍ଟନାୟକ ଏହି ଘୋଷଣା କରିସାରିଥିବା ବେଳେ ରାହୁଲ ଗାନ୍ଧୀ ଓ ତାଙ୍କ କଂଗ୍ରେସ ଏହା କେବେ ଘୋଷଣା କରିବେ ବୋଲି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ପଚାରିଛନ୍ତି ।

ରାହୁଲ ଗାନ୍ଧୀ ବୋଧହୁଏ ଜାଣିନାହାନ୍ତି ଯେ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନାରେ ୫୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ଏହା ବି ଜାଣିନାହାନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି । ମିଶନ ଶକ୍ତି ଜରିଆରେ ଓଡ଼ିଶାର ୭୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି । ଓଡ଼ିଶାରେ ୪୧,୦୦୦ କି.ମି. ଗ୍ରାମ୍ୟ ରାସ୍ତା ନିର୍ମାଣ ହୋଇଛି । ୨୦ ଲକ୍ଷ ପକ୍କାଘର ନିର୍ମାଣ କରାଯାଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ୯ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ କରାଯାଇଛି । ଓଡ଼ିଶାରେ ୨୫ ପ୍ରତିଶତ ଦାରିଦ୍ର‌୍ୟ ଦୂରୀକରଣ ହୋଇଛି ଯାହା କି ସର୍ବଭାରତୀୟ ସ୍ତରରେ ଶୀର୍ଷ ମାନ୍ୟତା ରଖିଛି ବୋଲି ରାହୁଲ ଗାନ୍ଧୀ ବୋଧ ହୁଏ ଜାଣିନାହାନ୍ତି ।

ରାହୁଲ ଗାନ୍ଧୀ ଭଲ ଭାବେ ହୋମୱାର୍କ କରି ଓଡ଼ିଶାକୁ ନିର୍ବାଚନୀ ପର୍ଯ୍ୟଟନରେ ଆସନ୍ତୁ ଏବଂ ୩୩% ମହିଳାଙ୍କୁ ସାଂସଦ ଟିକେଟ ଦେବେ ନା ନାହିଁ ଅତିଶୀଘ୍ର ଜଣାଇବାକୁ ବିଜେଡ଼ି ମୁଖପାତ୍ର ଡ. ପାତ୍ର ପରାମର୍ଶ ଦେଇଛନ୍ତି ।

error: Thank You Keep Visiting