ତଥାଗତଙ୍କ ପରେ କିଏ ?

Straight to the Point

ଅନୁଗୋଳ,(ଓଡ଼ିଶା ଜର୍ଣ୍ଣାଲ): ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରିବା ପରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି । ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ତଥାଗତଙକ ପରେ କିଏ ଉଚିତ ପ୍ରାର୍ଥୀ ସେଥିପାଇଁ ରାଜନୈତିକ ନେତୃତ୍ୱଙ୍କ ମଧ୍ୟରେ ଅଙ୍କକଷା ଚାଲିଛି । ତେବେ ଏହି ଆସନ ପାଇଁ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ (ନିଧି)ଙ୍କ ନାମ ଆଶାୟୀଙ୍କ ତାଲିକାରେ ସର୍ବାଗ୍ରେ ରହିଛି । ତେବେ ଶ୍ରୀ ସାମଲ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ନ ଲଢିବାକୁ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି ।

ସେ ଢେଙ୍କାନାଳ ସଦର ବିଧାନସଭା ଆସନ ଉପରେ ନଜର ରଖିଛନ୍ତି । ବିଜେଡି କର୍ମୀ ଙ୍କ ଠାରୁ ଆରମ୍ଭ କରି ନିଧି ବାବୁଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ସାଂସଦ ପ୍ରାର୍ଥୀ ଭାବେ ଶ୍ରୀ ସାମଲ ହେଉଛନ୍ତି ଏକମାତ୍ର ଉପଯୁକ୍ତ ପ୍ରାର୍ଥୀ । କିନ୍ତୁ ତଥାଗତ ଆଉ ନିର୍ବାଚନ ନ ଲଢିବା ଓ ବିଜେଡି ଠାରୁ ମନ ଫେରାଉ ନଥିବାରୁ ସେ ଏଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆତ୍ମଘାତୀ ସଦୃଶ ହେବେ ବୋଲି କୁହାଯାଉଛି । ତଥଶଗତ ରାଜନୀତିରୁ ସନ୍ୟାସ ନେଇ ସାରିଥିବାରୁ ସେ ବିଜେଡି ପାଇଁ ସବୁଠୁ ବଡ କଣ୍ଟା ସାଜିବେ ବୋଲି ରାଜନୈତିକ ମହଲରେ ଆଲାଚନା ହେଉଛି ।

ପ୍ରକାଶ ଯେ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା କ୍ଷେତ୍ର ଯଥା ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ଅନୁଗୋଳ, ତାଳଚେର ଓ ପାଲଲହଡା ରହିଛି । ଏହି ୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ, ହିନ୍ଦୋଳ ଓ ପାଲଲହଡାକୁ ଛାଡିଦେଲେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପିର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଛି । ଏପରିସ୍ଥଳେ ଶ୍ରୀ ସାମଲ ସାଂସଦ ପ୍ରାର୍ଥୀ ହୋଇ କୌଣସି ରିସ୍କ ନେବାକୁ ଚାହୁଁ ନଥିବା କୁହାଯାଉଛି ।
ଅନ୍ୟ ପକ୍ଷରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଡାକ୍ତର ନୃସିଂହ ଚରଣ ସାହୁଙ୍କ ମଧ୍ୟରୁ ଜଣଙ୍କୁ ହାଇକମାଣ୍ଡ ପ୍ରାର୍ଥୀ କରିବାର ଯଥେଷ୍ଟ ଆଶଙ୍କା ରହିଛି । ହେଲେ ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ହେଲେ ମଧ୍ୟ ଲୋକସଭା ଲଢିବା ସପକ୍ଷରେ ନଥିବା କୁହାଯାଉଛି । ବର୍ତ୍ତମାନ ମନ୍ତ୍ରୀ ଥିବାରୁ ସେମାନଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଛି । କାଳେ ଲୋକସଭା ନିର୍ବାଚନରେ ସେମାନେ ପରାଜିତ ହେବେ ଏ ଆଶଙ୍କା ସେମାନଙ୍କୁ ବିବ୍ରତ କରିଛି ବୋଲି ତାଙ୍କ ପାଖ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଉଭୟ ପର୍ଜଙ୍ଗ ଓ କାମାକ୍ଷାନଗର ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ତଥାଗତଙ୍କ ସହିତ ସେମାନଙ୍କର ସମ୍ପର୍କ ଅତୀତରେ ଭଲ ନଥିଲା କି ଏବେ ମଧ୍ୟ ନାହିଁ । ତେଣୁ ସେମାନେ ସାଂସଦ ପ୍ରାର୍ଥୀ ହେଲେ ତଥାଗତ ସେମାନଙ୍କର କ୍ଷତି ଘଟାଇବା ଆଶଙ୍କା ମଧ୍ୟ ସେମାନଙ୍କୁ ଘାରିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ କଂଗ୍ରେସରୁ ଭେଟେରାନ୍ ନେତା କାମାକ୍ଷା ପ୍ରସାଦ ସିଂହଦେଓ ଲୋକସଭା ଲଢିବେ ବୋଲି କୁହାଯାଉଛି । ଗତ ୨ଟି ନିର୍ବାଚନରେ ଶ୍ରୀ ସିଂହଦେଓ ମଇଦାନକୁ ଓହ୍ଲାଇ ନଥିଲେ । ଚଳିତ ନିର୍ବାଚନରେ ସେ ଲୋକସଭା ପାଇଁ ସଜବାଜ ହେବା ସହ ପାଗ ଭିଡୁଛନ୍ତି । ତେଣୁ ଗତ ଥର ବିଜେଡି ଯେପରି ସହଜ ସ୍ଥିତିରେ ଥିଲା ଏବେ ଆଉ ସେପରି ପରିସ୍ଥିତି ନାହିଁ । ସେ ଦୃଷ୍ଟିରୁ ବିଜେଡିର କିଏ ଲୋକସଭା ପ୍ରାର୍ଥୀ ହେବ ସେ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ପୂର୍ବତନ ଦେବଗଡ ଲୋକସଭା ସାଂସଦ ରବି ନାରାୟଣ ପାଣିଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେ ପାଲଲହଡା ବିଧାୟକ ହୋଇ ନବୀନ ସରକାରରେ ସରକାରୀ ମୁଖ୍ୟ ସଚେତକ ପଦବୀରେ ଥିଲେ । ସେ ଜଣେ ଆଇନଜୀବୀ ତଥା ଶ୍ରମିକ ସଙ୍ଗଠନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ବିଜେଡି ଲୋକସଭା ପାଇଁ ପ୍ରାର୍ଥୀ ସଙ୍କଟରେ ପଡିଥିବା ବେଳେ ଶ୍ରୀ ପାଣି ବି ଏହି ଦୌଡରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ତଥା ଯୁବ ଆଇନଜୀବୀ ଗିରିଜା ମହାନ୍ତି ମଧ୍ୟ ଲୋକସଭା ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି । ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସହ ବିଭିନ୍ନ ସାମାଜିକ ସଙ୍ଗଠନରେ ନିଜକୁ ସାମିଲ କରିଛନ୍ତି । ତେବେ ତାଙ୍କର ପ୍ରାର୍ଥୀତ୍ୱ ନେଇ ସବୁକିଛି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ।

ସେହିପରି ବର୍ତ୍ତମାନ ଯେଉଁ ମହିଳା କାର୍ଡ ରାଜନୀତି ଆରମ୍ଭ ହୋଇଛି ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସ ନିଜ ହିସାବ କିତାବ ଆରମ୍ଭ କରି ଦେଇଛନ୍ତି । ହେଲେ ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଯେପରି କୌଣସି ମହିଳା ନେତ୍ରୀ ନାହାନ୍ତି କି ଯିଏ ଦଳୀୟ ପ୍ରାର୍ଥୀ ହେଲେ ବିଜୟ ସମ୍ଭାବନା ରହିବ । ଯଦି ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି ମହିଳାଙ୍କୁ ପ୍ରାଧାନ୍ୟ ଦିଏ ତେବେ ସେି ଅନ୍ୟ ଦଳରୁ ଜଣେ ତୁଙ୍ଗ ନେତ୍ରୀଙ୍କୁ ଆଣି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ସମ୍ପୃକ୍ତ ମହିଳା ନେତ୍ରୀ ଏବେ ଏକ ଜାତୀୟ ଦଳରେ ଅଛନ୍ତି । ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ସେ ଜଣେ ଚର୍ଚ୍ଚିତା ଚେହେରା ହୋଇ ରହିଛନ୍ତି । ସେ ଯେଉଁ ଦଳରେ ଅଛନ୍ତି ସେଠାରୁ ଦଳୀୟ ଟିକେଟ୍ ପାଇଁ ନିଜ ଲବି ଜାରି ରଖିଛନ୍ତି । ଯଦି ଦଳ ତାଙ୍କୁ ହତାଦର କରେ ତେବେ ବିଜେଡି ଏପରି ସୁଯୋଗର ସଦ୍ବ୍ୟବହାର କରିବାର ଯଥେଷ୍ଟ ଆଶା ଓ ଆଶଙ୍କା ରହିଛି ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଛନ୍ତି । ତେବେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ ବୋଲି କୁହାଯାଉଛି ।

error: Thank You Keep Visiting