ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଖବର କାଗଜ ବିଜ୍ଞାପନ ଓ ବଡ ବଡ ହୋର୍ଡିଂ ଭିତରେ ସୀମିତ:ବିଜେପି

Straight to the Point

ଭୁବନେଶ୍ୱର: ଅତୀତରେ ଅନେକ ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କେବଳ ମିଥ୍ୟା ପ୍ରତିଶୃତି ଦେଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଖବର କାଗଜ ବିଜ୍ଞାପନ ଓ ବଡ ବଡ ହୋର୍ଡିଂ ଭିତରେ ସୀମିତ ରହିଛି । ଯଦି ବାସ୍ତବରେ ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏତେ ଦରଦ ରହିଛି ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟର ମହିଳାମାନେ କାହିଁକି ବାଟରେ ଘାଟରେ ପ୍ରସବ କରୁଛନ୍ତି ? ବିଜ୍ୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇବା ଆଜିର ଘୋଷଣା କେବଳ ପ୍ରଚାର ସର୍ବସ୍ୱ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆମ୍ବୁଲାନ୍ସ ଅଭାବରୁ ମହିଳାମାନଙ୍କୁ କାନ୍ଧରେ, ଖଟରେ, ବେତା ଟୋକେଇରେ ବୁହା ହୋଇ ଆସୁଥିବା ଘଟଣା ପ୍ରତିଦିନ ଖବର କାଗଜକର ପୃଷ୍ଠା ମଣ୍ଡନ କରୁଛି । ସେହିପରି ରାଜ୍ୟର ମହିଳାମାନେ ନଳାରେ, ପୋଲ ତଳେ, ଅଟୋରେ, ରାସ୍ତା କଡରେ, ଖୋଲା ଆକାଶ ତଳେ ପ୍ରସବ କରିବା ଘଟଣା ସାମ୍ନାକୁ ଆସିଛି । ଗୋଟିଏପଟେ ରାଜ୍ୟସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଘୋଷଣା କରିବା ଏବଂ ଅନ୍ୟପଟେ ମହିଳାମାନେ ସମସ୍ତ ଯୋଜନାରୁ ବଂଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଏପରିକି ଅନେକ ମେଡିକାଲରେ ଟର୍ଚ୍ଚ ମାରି ରୋଗୀର ଅସ୍ତ୍ରୋପ୍ରଚାର କରାଯାଉଥିବା ଘଟଣା ଗଣମାଧ୍ୟମରେ ପ୍ରସାରିତ ହୋଇଛି । ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ େବେ ସୁଦ୍ଧା ବି ସମସ୍ତ ଜିଲ୍ଲା ଡାକ୍ତଖାନାରେ ଆସିୟୁ ଚିକିତ୍ସା ସୁବିଧା ଉବଲବ୍ଧ ହୋଇ ପାରିନାହିଁ । ରୋଗୀଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହୋଇଥିବା ରାଜ୍ୟସରକାରଙ୍କ ସଫଳ ଯୋଜନାର ଏହା କଣ ପ୍ରମାଣପତ୍ର ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି ।
ରାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି । ସେହିପରି ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନଥିବାରୁ ରୋଗୀସେବା ପୂରାପୂରି ଠପ୍ ହୋଇଛି । ଡାକ୍ତରମାନଙ୍କ ଅଭାବ ଯୋଗୁଁ ମେଡିକାଲରେ ସିକ୍ୟୁରିଟି ଗାର୍ଡ, ପିଅନ, ରାତ୍ର ଜଗୁଆଳୀ ମାନେ ଡାକ୍ତର ସାଜି ରୋଗୀମାନଙ୍କୁ ସେବା ଯୋଗାଉଛନ୍ତି । ରାଜ୍ୟର ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି । ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବୀ ଖାଲି ପଡିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଉପଯୁକ୍ତ ଯନ୍ତ୍ରପାତି ଏବଂ ଉପକରଣର ଘୋର ଅଭାବ ରହିଛି । ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟମାନଙ୍କ ଆବଶ୍ୟକୀୟ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ନପାଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏହି ସବୁ ସମସ୍ୟାର ସମାଧାନ ନକରି ମୁଖ୍ୟମନ୍ତ୍ରୀ କେବଳ ଘୋଷଣା ଉପରେ ଘୋଷଣା ପ୍ରଚାର କରି ଚାଲିଛନ୍ତି । କେବଳ ବିଜ୍ୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଘରୋଇ ମେଡିକାଲକୁ ମୁନାଫା ଯୋଗାଇବା ଛଡା ରାଜ୍ୟସରକାରଙ୍କ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

error: Thank You Keep Visiting