ପାରାଦ୍ୱୀପ ନିର୍ବାଚନରେ ଭେଳିକି,ତଳେ ପଙ୍କ ଉପରେ ଶଙ୍ଖ;ହରଡ ଘଣାରେ କର୍ମୀ
ପାରାଦ୍ୱୀପ: ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ଓଡିଶାର ଏକ ଚର୍ଚ୍ଚିତ ନିର୍ବାଚନ କ୍ଷେତ୍ର । ଓଡିଶା ରାଜନୀତୀରେ ହଟଚମଟ ସୃଷ୍ଟି କରିଥିବା ଦାମୋଦର ରାଉତ ଏହି ଠାରେ ଦୀର୍ଘ ୪୦ବର୍ଷ ରାଜନୀତୀ କରିଆସୁଛନ୍ତି । ତେବେ ବିଜେଡି ଦଳରୁ ବହିଷ୍କୃତ ହୋଇ ବିଜେପିରେ ଯୋଗଦେଇ ବାଲିକୁଦା- ଏରସମା ବିଧାନସଭା ନିର୍ବାଚନରେ ସେ ଏଥର ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଦଳରୁ ବହିଷ୍କୃତ ହେବା ପରେ ଦାମ ବାବୁ ଜଗତସିଂହପୁର ଜିଲ୍ଲାରେ ବୋଟିଏ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଦେବେ ନାହିଁ ବୋଲି ଘୋଷଣା କରିଥିଲେ । ଦାମଙ୍କ ଯୋଗଦାନ ପରେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ଗୁଡିକରେ ଚଳିତ ନିର୍ବାଚନରେ ବିଜେପି ଲାଭାନ୍ୱିତ ହେବ ବୋଲି ଆଶା କରିଥିଲା । କିନ୍ତୁ ଦାମଙ୍କ ଚେତାବନୀ ଏବଂ ସେଥିରୁ ବର୍ତ୍ତୀବା ପାଇଁ ଚତୁର ନବୀନ ଦାମଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ପାରାଦ୍ୱୀପର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଏପରି ନିଷ୍ପତି ଦାମଙ୍କ ପ୍ରତିଜ୍ଞାକୁ ଭଣ୍ଡୁର କରିଥିବା ପରି ମନେ ହୁଏ । ବାପ ପୁଅ ନିଜ ନିଜ ଅଞ୍ଚଳରେ ନିର୍ବାଚନ କାର୍ଯ୍ୟସାରୀ ତିର୍ତ୍ତୋଲରେ ଥିବା ଦାମଙ୍କ ବାସଭବନରେ ଆଶ୍ରୟ ନିଅନ୍ତି । କିନ୍ତୁ ସେମାନଙ୍କର କର୍ମୀ ମାନେ ଯେତେବେଳେ ନେତାଙ୍କୁ ଦେଖା କରିବାକୁ ଯାଆନ୍ତି, ତଳ ଘରେ ଦାମ ଓ ଉପର ଘରେ ପୁତ୍ର ସମ୍ବିତ ଥାଆନ୍ତି । ତେବେ ସେ ସମୟରେ ସେମାନଙ୍କ କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳିଥିଲା ଯେ ତଳେ ପଙ୍କ (ପଦ୍ମ) ଉପରେ ଶଙ୍ଖ ବୋଲି, ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଦାମଙ୍କୁ ଦଳ ତରଫରୁ ମିଳୁଥିବା ପଇସାରୁ ନିଜ ପୁତ୍ର ସମ୍ବିତଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ଓ ବିଜେପି ପଇସାରେ ବିଜେଡି ପାରାଦ୍ୱୀପରେ ଲଢୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏ ପରିପ୍ରେକ୍ଷିରେ ଉଭୟ ବିଜେପି ଓ ବିଜେଡି କର୍ମୀମାନେ ଦ୍ୱନ୍ଦାତ୍ମକ ପରିସ୍ଥିତିରେ ପଡିଛନ୍ତି । ଦାମଙ୍କ ସହଯୋଗରେ ବିଜେପି ପାରାଦ୍ୱୀପରୁ ବିଧାନସଭାକ୍ଷେତ୍ରରୁ ନିଶ୍ଚିତ ବିଜୟଲାଭର ଆଶା ଏବେ ମଉଳି ଯିବାରେ ଲାଗିଛି । ଦାମଙ୍କ ସମର୍ଥକ ଖୋଲମ୍ଖୁଲା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଏସବୁର ଫାଇଦା କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ ସପକ୍ଷରେ ଏବଂ ଅସନ୍ତୁଷ୍ଟ ଓ ଲୋଟାଭୋଟ ସ୍ୱାଧୀନ ପ୍ରାର୍ଥୀ ଶ୍ରବଲ୍ଲଭ କରଙ୍କ ସପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି ।