ବାତ୍ୟା ପରବର୍ତୀ ଥଇଥାନକୁ ନେଇ ସତ କୁହନ୍ତୁ ସରକାର : କଂଗ୍ରେସ

Straight to the Point

ଭୁବନେଶ୍ୱର: ବାତ୍ୟା ପରିବର୍ତୀ ଅବସ୍ଥାରେ ଦୁଃଖ ଓ ଦୁର୍ଦଶାରେ ଦିନ କାଟୁଥିବା ସାଧାରଣ ଜନତାଙ୍କ ପ୍ରତି ସରକାର ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବ୍ୟବସ୍ଥାକୁ ନେଇ ଗଭୀର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବାତ୍ୟା ବିତିବାର ଦୀର୍ଘ ୧୦ଦିନ ପରେ ମଧ୍ୟ ଉପକୂଳବର୍ତୀ ଜିଲା ଗୁଡ଼ିକ ଯାହା ଗଭୀର ଭାବରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ତାଙ୍କ ପ୍ରତି ନ୍ୟାୟ ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବାତ୍ୟା କ୍ଷତିଗ୍ରସ୍ତ ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯଥା: ପିଇବା ପାଣି, ରନ୍ଧାଖାଦ୍ୟ ଏବଂ ପିନ୍ଧିବା ବସ୍ତ୍ର ଯୋଗାଇ ଦେବାରେ ସରକାର ବାହାଦୁର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । ରିଲିଫ୍ ପରିଚାଳନାରେ ସରକାରଙ୍କ ଉଦାସୀନତା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବାତ୍ୟା ପୀଡ଼ିତ ସାଧାରଣ ଜନତା ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ସରକାର ଯେଉଁ ବାହାସ୍ପୋଟ ମାରି କହିଥିଲେ ଯେ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର, କଟକ ଏବଂ ପୁରୀ ବଡ଼ଦାଣ୍ଡକୁ ବିଜୁଳିବତୀର ସଂଯୋଗ ସଂପୂର୍ଣ୍ଣଭାବେ ଦିଆଯିବ କିନ୍ତୁ ଦିଆଯାଇନି । ଆଜିର ଦିନରେ ଭୁବନେଶ୍ୱର ସହରରେ ଅର୍ଦ୍ଧାଧିକ ସ୍ଥାନ ଯଥା: ନୂଆପଲ୍ଲୀ, ଆଇଆରସି ଭିଲେଜ, କଳିଙ୍ଗ ନଗର, ହଂସପାଳ ଭଳି ଅନେକ ଅଂଚଳକୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ । ପୁରୀ ବଡ଼ଦାଣ୍ଡକୁ ୧୨ ତାରିଖ ସୁଦ୍ଧା ବିଜୁଳି ସଂଯୋଗ ଦେବାର ଯେଉଁ ଦମ୍ଭୋକ୍ତି ସରକାର ଦେଖାଇଥିଲେ ତାହା ଫସର ଫାଟିଯାଇଛି ଏବଂ ସରକାର କେବଳ ଦିନ ଗଡ଼ାଇବାରେ ବ୍ୟସ୍ତ ରହିଛନ୍ତି । ବିଜୁଳି ସଂଯୋଗକୁ ନେଇ ବିଭାଗୀୟ ସଚିବ ସାଧାରଣ ଜନତାଙ୍କୁ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ସରକାର ବିଜୁଳି ଏବଂ ପାଣିକୁ ନେଇ ଯେଉଁ ସଂଖ୍ୟାର ଖେଳ ‘ପ୍ରତିଶତ’ ଆକାରରେ ପ୍ରତ୍ୟେକ ଦିନ ଗଣମାଧ୍ୟମକୁ ଦେଉଛନ୍ତି ତାହା ସତ୍ୟ ଆଧାରିତ ନୁହେଁ ଏ କଥା ସାଧାରଣ ଜନତାଙ୍କର ତୃଣମୁଳ ସ୍ତରରୁ ଆସୁଥିବା ଅଭିଯୋଗର ହିଁ ସ୍ପଷ୍ଟ । ପୁରୀରେ ବିଭିନ୍ନ ସ୍ଥାନରୁ ଆସି ପହଂଚୁଥିବା ରିଲିଫ ସାମଗ୍ରିକୁ ଠିକ୍ ଭାବରେ ବାଂଟିବା ପାଇଁ ଯେଉଁପରି ଭାବରେ ମାନବସମ୍ବଳକୁ ଉପଯୋଗ କରାଯିବା କଥା ତାହା ହେଉନାହିଁ ଏବଂ ସରକାରୀ ଅଧିକାରୀମାନେ ଏ ନେଇ ନୀରବତା ଅବଲମ୍ବନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ବାତ୍ୟ କ୍ଷତିଗ୍ରସ୍ତ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ଯେଉଁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ ସରକାର ସେହି ଗ୍ରାମକୁ କିଭଳି ରିଲିଫ୍ ସାମଗ୍ରୀ ପଠାଉଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟିକରିଛି । ଖାଲି ବାତ୍ୟା କ୍ଷତିଗ୍ରସ୍ତ ଜିଲା ନୁହେଁ ବରଂ ସମଗ୍ର ଓଡ଼ିଶାର ପ୍ରତ୍ୟେକ ଜିଲାର ଗ୍ରାମାଂଚଳରେ ଥିବା ଗଭୀର ନଳକୂପ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି ଯାହାକୁ ଯୁଦ୍ଧକାଳୀନ ଭିତିରେ ପୁନରୁଉଦ୍ଧାର କରାଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଅଚଳ ନଳକୂପକୁ ସଚଳ କରିବାପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବାରମ୍ବାର ଦାବି ଉପସ୍ଥାପନ କରାଯିବା ସତ୍ୱେ ସରକାରଙ୍କ ନିରବତା ଯୋଗୁଁ ଆଜି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଯେଉଁଠାରେ ବିଜୁଳି ସଂଯୋଗ ନାହିଁ ସେ ଯାଗାରେ ପିଇବାପାଣିର ଘୋର ସମସ୍ୟା ଦେଖାଦେଇଛି । ସରକାର ବାତ୍ୟାକ୍ଷତିଗ୍ରସ୍ତଙ୍କ ପାଇଁ ଯେଉଁ ପରିମାଣର ପ୍ୟାକେଜ ଘୋଷଣା କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଏବଂ ସରକାର ବାତ୍ୟାକ୍ଷତିଗ୍ରସ୍ତଙ୍କ ପୁନରୁଦ୍ଧାର ପରିମାଣ ବଢ଼ାଇବାପାଇଁ କଂଗ୍ରେସ ଦାବୀ କରିଛି । ସରକାରଙ୍କ ରାଜସ୍ୱବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟର ଅଭାବଯୋଗୁଁ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ହଜାର ହଜାର ସଂଖ୍ୟାର ଗଛ କାଟି ସଫାକରିବାକୁ ନେଇଁ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଯାଇଛି ଯାହାର ପରିଣାମସ୍ୱରୂପ ସଡ଼କଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସୁନାହିଁ । ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କର ପ୍ରଶସ୍ତିପତ୍ର ନେଇ ଖୁବ ଖୁସି ଅଛନ୍ତି ଯାହାଫଳରେ ବାତ୍ୟା ପୀଡ଼ିତଙ୍କର ଦୁଃଖ ତାଙ୍କ ପାଖରେ ପହଂଚିପାରୁ ନାହିଁ ।
ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ଚିନ୍ମୟସୁନ୍ଦର ଦାସ ଓ ମିଡ଼ିଆ ସଂଯୋଜକ ନରେଶ ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting