ଧାନର ଏମଏସପି ବୃଦ୍ଧି ନେଇ କ୍ୟାବିନେଟ ନିଷ୍ପତ୍ତିକୁ ବିଜେଡିର ସ୍ୱାଗତ

Straight to the Point

ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ।
ସେ କହିଛନ୍ତି ଯେ ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଉପଯୁକ୍ତ ବୃଦ୍ଧି ନକରିବା ଦୁର୍ଭାଗ୍ୟଜନକ । ଯଦିଓ ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏନଡିଏ ସରକାର ସ୍ୱାମୀନାଥନ କମିଟି ସୁପାରିସ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ କଲେ ନାହିଁ । ଓଡ଼ିଶା ସରକାର ପ୍ରତି କ୍ୱିଂଟାଲ ଧାନରେ ଚାଷୀର ସମୁଦାୟ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ନିଷ୍ପତି ଗ୍ରହଣ କରାଯାଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସ୍ୱାମୀନାଥନ କମିଟିକୁ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି ।
ସେ ୍ରଆହୁରି କହିଛନ୍ତି ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରି ସ୍ୱାମୀନାଥନ କମିଟିର ସୁପାରିଶକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରିଥିବା ଆଜି ସ୍ପଷ୍ଟ ହୋଇଛି । ଯଦି ସ୍ୱାମୀନାଥନ କମିଟି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥାନ୍ତେ, ଆଉ ୩୦୦ ଟଙ୍କା ବୃଦ୍ଧି ପାଇଥାନ୍ତା । ଅତୀତରେ ବିଜୁ ଜନତା ଦଳ କହିଛି ଯେ କେନ୍ଦ୍ର ସର୍ବଦା ବଡ଼ ବଡ଼ କଥା କହିଆସିଛନ୍ତି । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା କରୁନାହାନ୍ତି ଏବଂ ସବୁବେଳେ ଅର୍ଦ୍ଧସତ୍ୟ ଉପରେ ବିଶ୍ୱାସ କରୁଛନ୍ତି । ପୂର୍ଣ୍ଣାଙ୍ଗ ତଥ୍ୟ ଦିଅନ୍ତି ନାହିଁ କିମ୍ବା ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା, କେନ୍ଦ୍ର ସରକାରଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ବିଗତ ୪ବର୍ଷରେ କେବଳ ଓଡ଼ିଶା ନୁହେଁ, ସାରା ଭାରତର ଜନସାଧାରଣ ଏହାକୁ ଅନୁଭବ କରିଛନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।

error: Thank You Keep Visiting