ଲୋକାୟୁକ୍ତ ନିଯୁକ୍ତି କେବେ,ଜଣାଅ:ପିସିସି ସଭାପତି
ଭୁବନେଶ୍ୱର: ଓଡ଼ିଶା ସରକାର କେବେ ଲୋକାୟୁକ୍ତ ନିଯୁକ୍ତ କରିବେ ତାହା ଜଣାଇବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟସ୍ତରରେ ଦକ୍ଷ ଲୋକାୟୁକ୍ତ ନିଯୁକ୍ତି ନେଇ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ତାହା ବିରୋଧରେ ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଅନିଶ୍ଚିତ କାଳ ପାଇଁ ଅନଶନ କରିଥିଲେ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ମାର୍ଚ୍ଚ ୨୩ ତାରିଖରେ ହୋଇଥିଲା । ସର୍ବୋଚ୍ଚ ଅଦାଲତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଲୋକାୟୁକ୍ତ ଅଥବା ଉପ ଲୋକାୟୁକ୍ତ ନିଯୁକ୍ତି କାହିଁକି କରାଯାଇନାହିଁ ଏବଂ ଉକ୍ତ ପଦବୀଗୁଡିକ ପୂରଣ କରିବା ଦିଗରେ କି ପଦକ୍ଷେପ ନିଆଯାଇଛି ତାହା ଜାଣିବାକୁ ପ୍ରଶ୍ନ କରିଥିଲେ । ତେବେ ଓଡ଼ିଶାରେ ଲୋକାୟୁକ୍ତ ଅଛି କି ନାହିଁ ସେ ସର୍ମ୍ପକରେ କିଛି ସ୍ପଷ୍ଟ ଚିତ୍ର ନଥିବାରୁ ସର୍ବୋଚ୍ଚ ଅଦାଲତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏକ ସତ୍ୟପାଠ ଦାଖଲ କରି ରାଜ୍ୟରେ ଲୋକାୟୁକ୍ତ ଅଥବା ଉପଲୋକାୟୁକ୍ତଙ୍କ ଦପ୍ତର କାର୍ଯ୍ୟକରୁଛି କି ନାହିଁ ତାହା ଜଣାଇବାକୁ କହିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୨ ତାରିଖରେ ସତ୍ୟପାଠ ଦାଖଲ କରାଯାଇଥିଲା । ସେଥିରେ ରାଜ୍ୟ ସରକାର ଯେଉଁ ତଥ୍ୟ ପ୍ରଦାନ କରିଥିଲେ ସେହି ଆଧାରରେ ଲୋକାୟୁକ୍ତ ଅଥବା ଉପଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଜୁଲାଇ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ପ୍ରକ୍ରିୟାରେ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ କୋ÷ଣସି ପଦକ୍ଷେପ ନିଆଯାଇନାହିଁ ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବାପରେ ଓଡ଼ିଶା ପ୍ରଥମ ରାଜ୍ୟଭାବେ ରାଜ୍ୟସ୍ତରୀୟ ଆଇନ ପ୍ରଣୟନ କରିଥିଲା, କିନ୍ତୁ ଏହା ଜଣେ ଲୋକାୟୁକ୍ତଙ୍କୁ ନିଯୁକ୍ତ କଲାନାହିଁ । ଏହି ଆଇନ କାର୍ଯ୍ୟକାରୀ ହେଲେ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ ଏବଂ ସରକାରୀ ଅଫିସରମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇପାରିବ । ଏଥିପାଇଁ ଏକ ଛଅ ସଦସ୍ୟ ବିଶିଷ୍ଟ ପରିଷଦ ଗଠନ ହେବ ଏବଂ ତାହାର ନେତୃତ୍ୱ ହାଇକୋର୍ଟର ଜଣେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ ବିଚାରପତି ନେବେ । ଓଡ଼ିଶାରେ ଲୋକାୟୁକ୍ତ ବିଲ୍ ୨୦୧୪ ସେହିବର୍ଷ ଫେବ୍ରୁଆରୀ ମାସରେ ଗୃହୀତ ହେବାପରେ ତାହା ୨୦୧୫ ଜାନୁଆରୀ ୧୮ ତାରିଖରେ ରାଷ୍ଟ୍ରପତିଙ୍କର ଅନୁମୋଦନ ହାସଲ କରିସାରିଛି । ଏହାସତ୍ୱେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ ନକରି କାହିଁକି ପକାଇ ରଖିଛନ୍ତି, ତାହାକୁ ନେଇ ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ପ୍ରଦତ ସମୟ ଅବଧି ଶେଷ ହେବାକୁ ଆଉ ଏକ ସପ୍ତାହରୁ କମ୍ ରହିଥିବାବେଳେ ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ନେଇ କୋ÷ଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ରାଜ୍ୟ ସରକାର ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁପାଳନ କରାଯିବ ବୋଲି କହିଥିବାବେଳେ ତାହା କେବେ କରାଯିବ ଜଣାଇବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।