ଭଦ୍ରକ କଲେଜ ପରିସରରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବି

Straight to the Point

ଭଦ୍ରକ:- ଭଦ୍ରକ କଲେଜ ପରିସର ମଧ୍ୟରେ ଦୀର୍ଘ ଦିନ ଧରି ଜବର ଦଖଲ କରି ଆସ୍ଥାନ ଜମାଇଥିବା ବ୍ୟକ୍ତିଙ୍କୁ ବିତାଡିତ କରିବା ପାଇଁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାମାନେ ଭଦ୍ରକ ତହସିଲଦାର ପ୍ରଦିପ କୁମାର ସାହୁଙ୍କୁ ଭେଟି ତୁରନ୍ତ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି । କଲେଜ ପରିସର ମଧ୍ୟରେ ଦୀର୍ଘଦିନ ଧରି ଘର କରି ରହି ଟିଉସନ ଚଳାଇଥିବା ଜନୈକ ବ୍ୟକ୍ତିଙ୍କୁ ବାରମ୍ବାର ନୋଟିସ ଏବଂ ଅଧ୍ୟକ୍ଷଙ୍କ ତାଗିଦ ସତ୍ତେ୍ୱ କଲେଜ ପରିସରରୁ ନ ଉଠିବା ଦ୍ୱାରା କଲେଜର ପାଠପଢା ପରିବେଶ ନଷ୍ଟ ହେଉଛି ।

ଯାହାକୁ ନେଇ ପୁରାତନ ଛାତ୍ର ସଂସଦ ଉଦ୍ବେଗ ପ୍ରକଟ କରିବା ସହିତ ସଂସଦ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ ଏକ ଘଟଣାରେ କଲେଜ ପାଚେରୀକୁ ଭାଙ୍ଗି ଲୋକେ କେବିନ ପକାଇବା ଏବଂ କଲେଜ ପରିସରରେ ପଲିଥିନ ପକାଇ ଘର କରି ରହିବା କଥା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନଧିକାର ଜବରଦଖଲ ଯୋଗୁ କଲେଜ ପରିସର ଧୀରେ ଧୀରେ ଖରାପ ଆଡକୁ ଗତି କରୁଛି ବୋଲି ସଂସଦର ପ୍ରତିନିଧି ଦଳ ତହସିଲଦାରଙ୍କ ସହିତ ଆଲୋଚନାକାଳରେ ପ୍ରକାଶ କରିଥିଲେ ।

ଏ ସଂକ୍ରାନ୍ତରେ ଜବରଦଖଲକାରୀ ବିଭିନ୍ନ ସମୟରେ କଲେଜ ଅଧ୍ୟକ୍ଷ ଏବଂ ଉଚ୍ଚଶିକ୍ଷା ବିଭାଗରୁ ଆସିଥିବା ଚିଠି ଗୁଡିକୁ ମଧ୍ୟ ଆଲୋଚନା ବେଳେ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ପୁରାତନ ଛାତ୍ର ସଂସଦର ସଭାପତି ପ୍ରଫେସର ଦେବେନ୍ଦ୍ର ନାଥ ରାଉତ, ପୂର୍ବତନ ସଭାପତି ଡା.ଦୁର୍ଯ୍ୟୋଧନ ଦାସ, ସମ୍ପାଦକ ଅଜୟ ନାୟକ, ବୈଲୋଚନ ବେହୁରିଆ, ଗୋକୁଳାନନ୍ଦ ମହାନ୍ତି, ଅମରେନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ପ୍ରମୋଦ ରାୟ, ଚାରୁଲତା ମହାପାତ୍ର, ଅଧିବକ୍ତା ପବନ ଶର୍ମା ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ ।

error: Thank You Keep Visiting